ରାଜ୍ୟ

ଫିଟିଲା ୮କୋଟି ଟଙ୍କାର ଜାଲ୍ ନୋଟର ଗୁମର

କୋରାପୁଟ: ଛତିଶଗଡ ରାଜଧାନୀ ରାୟପୁରରୁ ଆନ୍ଧ୍ର ପ୍ରଦେଶର ଭାଇଜାକ୍‌କୁ ଚାଲାଣ ହେଉଥିଲା ଜାଲ୍ ନୋଟ୍ । ଲକ୍ଷ କି ଦୁଇ ଲକ୍ଷ ନୁହେଁ ପୂରା ୭କୋଟି ୯୦ ଲକ୍ଷ ଟଙ୍କାର ଜାଲ୍ ନୋଟ ଚୋରା ଚାଲାଣ ହେଉଥିବା ବେଳେ ପୁଲିସ ହାତରେ ଧରାପଡ଼ିଛନ୍ତି ଅଭିଯୁକ୍ତ । ପୁଲିସର ତଲାସୀ ବେଳେ ଖସି ଚାଲିଯାଉଥିବା ସମୟରେ କାବୁ କଲେ କୋରାପୁଟ ପୋଲିସ । ବ୍ୟାଗରୁ ମିଳିଲା ପୁଳାପୁଳା ଟଙ୍କା । କୋରାପୁଟର ସୁଙ୍କି ଆଉଟପୋଷ୍ଟରେ ଜାଲ ନୋଟ ସହ ଛତିଶଗଡର ଚମ୍ପା ଜିଲ୍ଲା ଜଞ୍ଜଗୀର ଅଞ୍ଚଳର ତିନିଜଣଙ୍କୁ ଗିରଫ କରାଯାଇଛି । ୩ଅଭିଯୁକ୍ତଙ୍କ ମଧ୍ୟରୁ ଜଣେ ଏକ ପ୍ରତିଷ୍ଠିତ ପାୱାର ପ୍ଲାଣ୍ଟରେ କାମ କରୁଥିବା ଇଞ୍ଜିନିୟର, ଜଣେ କର୍ମଚାରୀ ଓ ଜଣେ ଡ୍ରାଇଭର ରହିଥିବା ଜଣାପଡିଛି । କୋରାପୁଟ ଏସପି ବରୁଣ ଗୁଣ୍ଟୁପାଲି ଏ ନେଇ ଆଜି ସୁନାବେଡ଼ା ଏସଡିପିଓଙ୍କ କାର୍ଯ୍ୟଳୟରେ ଏକ ସାମ୍ବାଦିକ ସମ୍ମିଳନୀ କରି ସୂଚନା ଦେଇଛନ୍ତି ।

ସେ କହିଛନ୍ତି, ସୁଙ୍କି ଆଉଟ ପୋଷ୍ଟ ନିକଟରେ ଏସ୍‌ଆଇ ଏସ୍‌କେ ସ୍ୱାଇଁ ଓ ଏଏସ୍‌ଆଇ ଏମ୍ ଏସ୍ ନାୟକ ଏବଂ ତାଙ୍କ ଟିମ୍ ଚେକିଂ କରୁଥିଲେ । ଏହି ସମୟରେ କୋରାପୁଟ ପଟୁ ବିଜୟ କୁମାର ବର୍ମନଙ୍କ ନାମରେ ରହିଥିବା ଏକ ଫୋର୍ଡ ଫିଗୋ ଗାଡ଼ିଟି ଦ୍ରୁତ ଗତିରେ ଯାଉଥିଲା । ପୋଲିସ ଗାଡ଼ିକୁ ଅଟକାଇଥିଲା । ଗାଡିର ସମ୍ମୁଖ ପଟେ ଦୁଇଟି ବଡ ଟ୍ରଲି ବ୍ୟାଗ ଓ ପଛ ପଟେ ଦୁଇଟି ଟ୍ରଲି ବ୍ୟାଗ ରହିଥିବା ଜଣାପଡିଥିଲା । ଏହାକୁ ଯାଞ୍ଚ କରିବା ପରେ ସେଥିରେ ନକଲି ନୋଟ ରହିଥିବା ପୋଲିସ ଜାଣିବାକୁ ପାଇଥିଲା । ବ୍ୟାଗ୍‌ରୁ ଟଙ୍କା କାଢ଼ି ଗଣିବା ପରେ ୭ କୋଟି ୯୦ ଲକ୍ଷ ଟଙ୍କାର ନକଲି ନୋଟ୍ ମିଳିଥିଲା । ଅଭିଯୁକ୍ତଙ୍କୁ ପଚରାଉଚୁରା କରିବା ପରେ ଜଣାପଡ଼ିଛି ଯେ ରାୟପୁରରେ ଏକ କଲର ଜେରକ୍ସରେ ଏହା ଛପା ଯାଇଥିଲା । ଏହାକୁ ସେମାନେ ରାୟପୁରରୁ ଭାଇଜାଗ୍ ନେଇ ଯାଉଥିଲେ । ଏହି ସମସ୍ତ ଅଭିଯୁକ୍ତ ଛତିଶଗଡ ରାଜ୍ୟର ।

Leave a Reply

Your email address will not be published. Required fields are marked *