Uncategorized

ବିଜୁବାବୁଙ୍କ ଗୋଟିଏ ଲକ୍ଷ୍ୟ ଥିଲା ଓଡ଼ିଶା ଓ ଓଡ଼ିଆଙ୍କ ଉନ୍ନତି: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ବିଜୁ ବାବୁ ଥିଲେ ସବୁବେଳେ ଅନନ୍ୟ। ତାଙ୍କର କାମ କରିବାର ତରିକା ମଧ୍ୟ ଥିଲା ଅନନ୍ୟ। ତାଙ୍କର ଏକମାତ୍ର ଲକ୍ଷ୍ୟ ଥିଲା ଓଡିଶା ଓ ଓଡିଆ ଜାତିର ଉନ୍ନତି। ବିକାଶ, ସଶକ୍ତିକରଣ ଓ ଓଡିଆ ସ୍ୱାଭିମାନ ହିଁ ସବୁବେଳେ ତାଙ୍କର ସବୁ କାର୍ଯ୍ୟକ୍ରମର ଲକ୍ଷ୍ୟ ଥିଲା । ଏସବୁ ସହିତ ସେ କେବେ ବି ସାଲିସ କରୁ ନ ଥିଲେ । ଜଣେ ରାଜନେତା ନୁହେଁ, ବରଂ ଜଣେ ଜନନାୟକ ଭାବରେ ସେ ସାରା ଭାରତରେ ପ୍ରସିଦ୍ଧ ଥିଲେ। ବିଜୁବାବୁଙ୍କ ଗୋଟିଏ ଲକ୍ଷ୍ୟ ଥିଲା ଓଡ଼ିଶା ଓ ଓଡ଼ିଆଙ୍କ ଉନ୍ନତି। ମହିଳା ସଶକ୍ତିକରଣ ବିଜୁବାବୁଙ୍କର ସବୁଠାରୁ ପ୍ରିୟ କାର୍ଯ୍ୟକ୍ରମ ଥିଲା। ମହିଳାଙ୍କୁ ସଶକ୍ତ କରିବା ଥିଲା ବିଜୁବାବୁଙ୍କ ଅଭିଳାଷ। ଏ ଦିଗରେ ସେ ଅନେକ ମାଇଲ ଖୁଣ୍ଟି ସୃଷ୍ଟି କରିଯାଇଛନ୍ତି ବୋଲି ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଜୟଦେବ ଭବନରେ ଆୟୋଜିତ ମହାନ ଜନନାୟକ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ରାଜ୍ୟସ୍ତରୀୟ ଶ୍ରାଦ୍ଧୋତ୍ସବରେ ଭର୍ଚୁଆଲ ପ୍ଲାଟଫର୍ମ ମାଧ୍ୟମରେ ଯୋଗଦେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହା ପ୍ରକାଶ କରିଛନ୍ତି। ବିଜୁ ବାବୁଙ୍କ ସ୍ମୃତିରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଥିଲେ ଯେ ନିକଟରେ ଅନୁଷ୍ଠିତ ହୋଇଥିବା ପଞ୍ଚାୟତ ଓ ନଗରପାଳିକା ନିର୍ବାଚନରେ ମହିଳାମାନେ ବହୁସଂଖ୍ୟାରେ ଭାଗନେଇ ସଫଳତା ହାସଲ କରିବା ତାଙ୍କ ପାଇଁ ବହୁତ ଖୁସିର କଥା। ମା’ମାନେ ହିଁ ହେଉଛନ୍ତି ଆମ ନୂଆ ଓଡିଶାର ସାରଥି ବୋଲି ମତପ୍ରକାଶ କରି ସେ କହିଥିଲେ ଯେ ସେମାନଙ୍କ ଦକ୍ଷତା ଓ ସଫଳତା ହିଁ ବିଜୁ ବାବୁଙ୍କ ପ୍ରତି ଶ୍ରେଷ୍ଠ ଶ୍ରଦ୍ଧାଞ୍ଜଳି। ମହାନ ଜନନାୟକ ବିଜୁବାବୁଙ୍କୁ ଭକ୍ତିପୂତ ଶ୍ରଦ୍ଧାଞ୍ଜଳି ଅର୍ପଣ କରି ଜଳସଂପଦ, ସୂଚନା ଓ ଲୋକସଂପର୍କ ମନ୍ତ୍ରୀ ରଘୁନନ୍ଦନ ଦାସ କହିଥିଲେ ଯେ ଓଡ଼ିଶାର ଅନନ୍ୟ ପରିଚୟ ଥିଲେ ବିଜୁବାବୁ। ଜୀବିତାବସ୍ଥାରେ ସେ ଥିଲେ ଯେତିକି ଚର୍ଚ୍ଚିତ, ଅବର୍ତ୍ତମାନରେ ମଧ୍ୟ ତାଙ୍କ କୃତି ଓ କୃତିତ୍ୱ ପାଇଁ ଏବର ପିଢ଼ି ପାଖରେ ସେ ସେତିକି ଆଦୃତ। ସ୍ୱାଧୀନତା ସଂଗ୍ରାମରେ ତାଙ୍କର ଭୂମିକା ଯେତିକି ଉଲ୍ଲେଖନୀୟ ଥିଲା, ସ୍ୱାଧୀନୋତ୍ତର ଭାରତରେ ସେତିକି ପ୍ରେରଣାଦାୟୀ ଥିଲା। ଓଡ଼ିଶାର ସାମାଜିକ, ରାଜନୈତିକ ଓ ଅର୍ଥନୈତିକ ଅଭିବୃଦ୍ଧି ପାଇଁ ସେ ନିରବଚ୍ଛିନ୍ନ ଉଦ୍ୟମ କରିଥିଲେ। ବିଜୁବାବୁଙ୍କ ଅବଦାନ ଚିରକାଳ ପାଇଁ ଅବିସ୍ମରଣୀୟ ।

Leave a Reply

Your email address will not be published. Required fields are marked *