ରାଜ୍ୟ

ନରହତ୍ୟା ମାମଲାରେ ଆଜୀବନ ଦଣ୍ଡାଦେଶ ଖାରଜ

କଟକ: ଏକ ନରହତ୍ୟା ମାମଲାରେ ନିମ୍ନ ଅଦାଲତଙ୍କ ଆଜୀବନ କାରାଦଣ୍ଡ ଆଦେଶ ହାଇକୋର୍ଟରେ ଖାରଜ ହୋଇଯାଇଛି । ହାଇକୋର୍ଟ ଏହି ମାମଲାରେ ଉପଯୁକ୍ତ ପ୍ରମାଣ ଅଭାବରୁ ଆସାମୀ ମହେନ୍ଦ୍ର ଭୋଇକୁ ଦୋଷମୁକ୍ତ କରିଛନ୍ତି । ଏଥିସହିତ ହାଇକୋର୍ଟ ନିମ୍ନ ଅଦାଲତଙ୍କ ଆଜୀବନ ଦଣ୍ଡାଦେଶକୁ ରଦ୍ଦ କରିବା ସହ ଆସାମୀର ଅପିଲ୍‌କୁ ଅନୁମତି ପ୍ରଦାନ କରିଛନ୍ତି । ଗତ ୨୦୧୨, ମଇ ୩୧ ତାରିଖ ସକାଳେ ମହେନ୍ଦ୍ର ଭୋଇ ତାର ଦ୍ୱିତୀୟ ସ୍ତ୍ରୀ (ମୃତକ)କୁ ବଣରୁ କାଠ ଆଣିବାକୁ କହିଥିଲା । ତେବେ ସେ ରାଜି ନ ହେବାରୁ ଉଭୟଙ୍କ ମଧ୍ୟରେ ଝଗଡା ଲଗିଥିଲା । ଫଳରେ ମହେନ୍ଦର ରାଗିଯାଇ ତା ସ୍ତ୍ରୀର ମୁଣ୍ଡକୁ ପିଟି ଦେଇଥିଲା । ଏହା ପରେ ମହେନ୍ଦ୍ର ଘଟଣାସ୍ଥଳରୁୂ ଫେରାର ହୋଇଯାଇଥିଲା । ଉକ୍ତ ଘଟଣା ପରେ ମହେନ୍ଦ୍ର ସ୍ତ୍ରୀର ମୁଣ୍ଡରୁ ପ୍ରବଳ ରକ୍ତ ବାହାରିଥିଲା । ଫଳରେ ଚିକିତ୍ସା ନିମନ୍ତେ ମହେନ୍ଦ୍ର ସ୍ତ୍ରୀକୁ ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା ।

ତେବେ ଡାକ୍ତର ତାକୁ ସେଠାରେ ମୃତ ଘୋଷଣା କରିଥିଲେ । ହେମଗିରି ଥାନାରେ ଏହି ଘଟଣାକୁ ନେଇ ଗୁଲୁ ମାଝୀଙ୍କ ପକ୍ଷରୁ ଏତଲା ରୁଜୁ କରାଯାଇଥିଲା । ଉକ୍ତ ଏତଲା ଆଧାରରେ ପୁଲିସ୍ ମହେନ୍ଦ୍ରକୁ ୨୦୧୨ ଜୁନ୍ ୧ ତାରିଖରେ ଗିରଫ କରିଥିଲା । ୨୦୧୨ ଅଗଷ୍ଟ ୧୪ ତାରିଖରେ ପୁଲିସ୍ ମହେନ୍ଦ୍ର ବିରୋଧରେ କୋର୍ଟରେ ଅଭିଯୋଗଫର୍ଦ୍ଦ ଦାଖଲ କରିଥିଲା । ସୁନ୍ଦରଗଡ ସେସନ୍ ଜଜ୍ ଗତ ୨୦୧୭ ତାରିଖ ଜୁଲାଇ ୨୪ ତାରିଖରେ ମାମଲାର ଶୁଣାଣି କରି ମହେନ୍ଦ୍ରକୁ ଦୋଷୀ ସାବ୍ୟସ୍ତ କରି ତାକୁ ଆଜୀବନ କାରାଦଣ୍ଡ ଆଦେଶ ପ୍ରଦାନ କରିଥିଲେ । ନିମ୍ନ ଅଦାଲତଙ୍କ ଏପରି ଦଣ୍ଡାଦେଶ ବିରୋଧରେ ମହେନ୍ଦ୍ର ହାଇକୋର୍ଟରେ ଆବେଦନ କରିଥିଲା । ହାଇକୋର୍ଟରେ ଏହି ମାମଲାକୁ ରାଜ୍ୟ ସରକାରଙ୍କ ପକ୍ଷରୁ ଆଇନଜୀବୀ ଜନ୍ମେଜୟ କଟିକିଆ ପରିଚାଳନା କରୁଥିଲାବେଳେ ଆବେଦନକାରୀଙ୍କ ପକ୍ଷରୁ ହାଇକୋର୍ଟରେ ଏହି ମାମଲାକୁ ଆଇନଜୀବୀ ବି.ବି. ବେହେରା ପରିଚାଳନା କରୁଥିଲେ ।

Leave a Reply

Your email address will not be published. Required fields are marked *