ଦେଶ- ବିଦେଶ

ପୁଣି ତାମିଲନାଡୁ ଏବଂ ଆନ୍ଧ୍ରରେ ଅତିପ୍ରବଳ ବର୍ଷା ଆଶଙ୍କା

ଚେନ୍ନାଇ : ବର୍ଷା ଜଳରେ ଉବୁଟୁବୁ ହେଉଥିବା ଚେନ୍ନାଇରେ ପୁଣି ଅତିପ୍ରବଳ ବର୍ଷା ହେବ ବୋଲି ଜଣାପଡ଼ିଛି। ସୋମବାର ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ ତାମିଲନାଡୁ ଏବଂ ଆନ୍ଧ୍ରପ୍ରଦେଶର କିଛି ଅଞ୍ଚଳରେ ନଭେମ୍ବର ୧୦ ଏବଂ ୧୧ରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବ ବୋଲି ପୂର୍ବାନୁମାନ କରାଯାଇଛି। ଏଥିରେ ସଡ଼କ ଏବଂ ତଳିଆ ଅଞ୍ଚଳ ସବୁ ଜଳମଗ୍ନ ହୋଇପାରେ। ଏହା ସହ ଚେନ୍ନାଇର ତଳିଆ ଅଞ୍ଚଳରେ ରହୁଥିବା ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ଚାଲିଯିବା ପାଇଁ ପରାମର୍ଶ ଦିଆଯାଇଛି।

ପାଣିପାଗ ବିଭାଗ ଅନୁସାରେ, ଲଘୁଚାପ ଯୋଗୁଁ ସୋମବାର ଓ ମଙ୍ଗଳବାର ଦିନ ତାମିଲନାଡ଼ୁରେ ପ୍ରବଳ ବର୍ଷା ହେବାର ସମ୍ଭାବନା ଥିବା ବେଳେ କିଛି ସ୍ଥାନରେ ନମ୍ଭେମ୍ବର ୧୦ ଏବଂ ୧୧ ତାରିଖରେ ଅତିପ୍ରବଳ ବର୍ଷା ହୋଇପାରେ। ଏହା ସହ ୬୦ କି.ମି ବେଗରେ ପବନ ମଧ୍ୟ ପ୍ରବାହିତ ହେବ। ଏହି ସମୟରେ ସମୁଦ୍ରକୁ ମତ୍ସଜୀବୀମାନଙ୍କୁ ନଯିବାକୁ କୁହାଯାଇଛି। କିଛି ସ୍ଥାନରେ ଭୂସ୍ଖଳନ, ସଡ଼କ ଧସିବାର ସମ୍ଭାବନା ଥିବା ମଧ୍ୟ କୁହାଯାଉଛି ।

ପ୍ରବଳ ବର୍ଷା ଯୋଗୁଁ କିଛି ନଦୀରେ ବନ୍ୟା ଆସିପାରେ। ଚେନ୍ନାଇ ଏବଂ ଆଖପାଖ ଅଞ୍ଚଳରେ ଶନିବାରଠୁ ଲାଗି ରହିଥିବା ବର୍ଷା ଯୋଗୁଁ ହାଲ ବେହାଲ ହୋଇପଡ଼ିଛି। ହଠାତ ଏମିତି ସ୍ଥିତି ଯୋଗୁ ସାଧାରଣ ଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି। ଶନିବାର ରାତି ୧୦ ପରେ ହଠାତ ବର୍ଷା, ପବନ ଆରମ୍ଭ ହୋଇଥିଲା। ରବିବାର ସକାଳ ୮.୩୦ ବେଳକୁ ୨୧.୫ ସେଣ୍ଟିମିଟର ବର୍ଷା ରେକର୍ଡ କରାଯାଇଥିଲା। ୨୦୧୫ ପ​‌ରେ ପ୍ରଥମ ଥର ଶନିବାର ରାତିରେ ଚେନ୍ନାଇରେ ପ୍ରବଳ ବର୍ଷା ହୋଇଛି। ଅଞ୍ଚଳରେ ବନ୍ୟା ସ୍ଥିତି ଉପୁଜିଥିବା ବେଳେ ଆଗାମୀ ୨୪ ଘଣ୍ଟା ମଧ୍ୟରେ ପୁଣି ବର୍ଷା ହେବାର ସମ୍ଭାବନା ରହିଛି ।

Leave a Reply

Your email address will not be published. Required fields are marked *