ଖେଳ

ବଢିଲା ଟିମ୍ ଇଣ୍ଡିଆର ଚିନ୍ତା !

ନୂଆଦିଲ୍ଲୀ : ଟି-୨୦ ବିଶ୍ଵ କପ୍‌ ୨୦୨୧ରେ ଭାରତ ନିଜର ଅଭିଯାନ ଅକ୍ଟୋବର ୨୪ରେ ପାକିସ୍ତାନ ବିପକ୍ଷ ମୁକାବିଲାରୁ ଆରମ୍ଭ କରିବ। ମାତ୍ର ଏହା ପୂର୍ବରୁ ଭାରତୀୟ ଦଳ ପାଇଁ ଦୁଃଖଦ ଖବର। କୋଲକାତା ନାଇଟ୍ ରାଇଡର୍ସ(କେକେଆର) ପାଇଁ ଏବେ ଆଇପିଏଲ୍‌ରେ ଖେଳୁଥିବା ‘ମିଷ୍ଟ୍ରି ସ୍ପିନର’ ବରୁଣ ଚକ୍ରବର୍ତ୍ତୀଙ୍କ ଗୋଇଠି ସମସ୍ୟା ପୁଣି ଥରେ ଦେଖା ଦେଇଛି।

ବରୁଣ ଚକ୍ରବର୍ତ୍ତୀଙ୍କୁ ଆଗାମୀ ଟି-୨୦ ବିଶ୍ଵ କପ୍‌ରେ ଭାରତର ଗୁରୁତ୍ଵପୂର୍ଣ୍ଣ ବୋଲର କୁହାଯାଉଛି। ମାତ୍ର ବିସିସିଆଇର ଡାକ୍ତରୀ ଦଳକୁ ତାମିଲନାଡୁର ଏହି ମିଷ୍ଟ୍ରି ସ୍ପିନରଙ୍କ ଉପରେ ଅଧିକ ପରିଶ୍ରମ କରିବାକୁ ପଡିବ। ଯଦ୍ଵାରା ଗୋଇଠି ସମସ୍ୟା କିଛିଟା ଠିକ୍ ହୋଇ ପାରିବ।

ଭାରତୀୟ ଦଳରେ ଅକ୍ଟୋବର ୧୦ ସୁଦ୍ଧା  ପରିବର୍ତ୍ତନ କରାଯାଇପାରେ। ମାତ୍ର ଗୋଇଠି ସମସ୍ୟା ସତ୍ତ୍ଵେ ବରୁଣଙ୍କ ବୋଲିଂକୁ ଦୃଷ୍ଟିରେ ରଖି ସେ ବିଶ୍ଵ କପ୍‌ରେ ଖେଳିବା ପ୍ରାୟତଃ ନିଶ୍ଚିତ ଲାଗୁଛି। ବୋର୍ଡ ସୂତ୍ର ଅନୁଯାୟୀ, ବରୁଣଙ୍କ ଗୋଇଠିର ଅବସ୍ଥା ସେତେଟା ଭଲ ନୁହେଁ। ତାଙ୍କୁ ଯନ୍ତ୍ରଣା ହେଉଛି, ମାତ୍ର ଯଦି ଏହା ଟି-୨୦ ବିଶ୍ଵ କପ୍ ହୋଇନଥାନ୍ତା ତେବେ ଦଳ ପ୍ରବନ୍ଧକ ତାଙ୍କୁ ଖେଳାଇବାର ରିସ୍କ ଉଠାଇନଥାନ୍ତେ ବୋଲି ଦଳୀୟ ପ୍ରବନ୍ଧକ କହିଛନ୍ତି।

ଜୈନକ ଅଧିକାରୀ କହିଛନ୍ତି, ଏବେ ଆମର ଫୋକସ୍ ଟି-୨୦ ବିଶ୍ଵ କପ୍‌ ପାଇଁ ତାଙ୍କ ଯନ୍ତ୍ରଣାକୁ ଉପଶମ ଦେବାର ଅଛି। ବିଶ୍ଵ କପ୍ ପରେ ରିହାବ ଉପରେ ବିଚାର କରାଯିବ ବୋଲି ଜନୈକ ଅଧିକାରୀ କହିଛନ୍ତି। ବରୁଣ ଚକ୍ରବର୍ତ୍ତୀ ଏବେ ପେନ କିଲର୍ସର ସାହାରା ନେଉଛନ୍ତି। ତାଙ୍କୁ ଯନ୍ତ୍ରଣା ନିବାରକ ଔଷଧ ଦିଆଯାଉଛି। ଯଦ୍ଵାରା ସେ ଚାରି ଓଭର ବୋଲିଂ କରି ପାରିବେ। ଇଞ୍ଜେକ୍ସନରେ ଯନ୍ତ୍ରଣାରୁ ଉପଶମ ମିଳିଥାଏ। ଟିଭିରେ ତାଙ୍କର ଯନ୍ତ୍ରଣା ଜଣା ପଡୁନାହିଁ, କିନ୍ତୁ ବୋଲିଂ ନକରିବା ସମୟରେ ତାଙ୍କୁ ଯନ୍ତ୍ରଣା ହୋଇଥାଏ ବୋଲି କେକେଆରର ସହଯୋଗୀ କର୍ମଚାରୀ କହିଛନ୍ତି। ବରୁଣ ଚକ୍ରବର୍ତ୍ତୀ ଆଇପିଏଲ ୨୦୨୧ରେ ଏ ପର୍ଯ୍ୟନ୍ତ ୧୩ଟି ମୁକାବିଲାରେ ୬.୭୩ ହାରରେ ୧୫ ଓ୍ଵିକେଟ୍ ନେଇଛନ୍ତି। ବରୁଣ ଭାରତ ପାଇଁ ଏ ପର୍ଯ୍ୟନ୍ତ ତିନୋଟି ଟି-୨୦ ମ୍ୟାଚ୍ ଖେଳିଛନ୍ତି। ଏହି ସମୟରେ ସେ ୩୦.୫୦ ହାରରେ ଦୁଇଟି ଓ୍ଵିକେଟ୍ ନେଇଛନ୍ତି।

Leave a Reply

Your email address will not be published. Required fields are marked *