ଦେଶ- ବିଦେଶରାଜନୀତି

ମମତାଙ୍କ ବେପରୁଆ ମନୋଭାବ, ହିଂସା ପୀଡିତାଙ୍କୁ ଏ ଯାଏଁ ଦେଇ ନାହାନ୍ତି କ୍ଷତିପୂରଣ, ହାଇକୋର୍ଟଙ୍କ କଡା ଭର୍ତ୍ସନା

କୋଲକାତା : ପଶ୍ଚିମବଙ୍ଗ ନିର୍ବାଚନ ପରବର୍ତ୍ତୀ ହିଂସାରେ ପୀଡିତଙ୍କୁ ଏ ପର୍ଯ୍ୟନ୍ତ ମିଳିନି କ୍ଷତିପୂରଣ। ଏହାକୁ ନେଇ ମମତା ସରକାରଙ୍କ ଉପରେ ଖପ୍ପା କଲିକତା ହାଇକୋର୍ଟ। ଏତେ ଦିନ ପରେ ମଧ୍ୟ କାହିଁକି କ୍ଷତିପୂରଣ ଦିଆଯାଇ ନାହିଁ ତାକୁ ନେଇ ଉଚ୍ଚ ନ୍ୟାୟାଳୟ ଟିଏମସି ସରକାରଙ୍କୁ କଡା ଭର୍ତ୍ସନା କରିଛନ୍ତି। ସୋମବାର ସିବିଆଇ ରାଜ୍ୟରେ ନିର୍ବାଚନ ପରେ ଘଟିଥିବା ହିଂସାର ତଦନ୍ତ ରିପୋର୍ଟ କଲିକତା ଉଚ୍ଚ ନ୍ୟାୟାଳୟରେ ଉପସ୍ଥାପନ କରିଛନ୍ତି। ଏହି ସମୟରେ କୋର୍ଟ ମମତା ସରକାରଙ୍କ ବେପରୁଆ ମନୋଭାବକୁ ନେଇ କଠୋର ଆଭିମୁଖ୍ୟ ପୋଷଣ କରିଛନ୍ତି।

କାର୍ଯ୍ୟକାରୀ ମୁଖ୍ୟ ବିଚାରପତି ରାଜେଶ ବିନ୍ଦଲ ଓ ବିଚାରପତି ରାଜର୍ଷି ଭରଦ୍ଵାଜଙ୍କ ପୀଠ ଶୁଣାଣି ସମୟରେ କହିଛନ୍ତି, ଏମିତି ଏକ ଗମ୍ଭୀର ମାମଲାରେ ରାଜ୍ୟ ସରକାର ବେପରୁଆ ଆଭିମୁଖ୍ୟ ଦେଖାଉଛନ୍ତି। ମାମଲାର ପରବର୍ତ୍ତୀ ଶୁଣାଣି ନଭେମ୍ବର ୮ ତାରିଖ ଧାର୍ଯ୍ୟ କରାଯାଇଛି। ଏହା ପୂର୍ବରୁ କୋର୍ଟ ନିର୍ବାଚନ ପରବର୍ତ୍ତୀ ହିଂସାର ପୀଡିତଙ୍କୁ କ୍ଷତିପୂରଣ ଦେବାକୁ ନିର୍ଦ୍ଦେଶ ଦେଇଥିଲେ। ଏପରିକି ତିନି ଜଣିଆ ସଦସ୍ୟକୁ ନେଇ ଏସଆଇଟି ଗଠନ କରି ମାମଲାର ସ୍ଵତନ୍ତ୍ର ତଦନ୍ତ କରିବାକୁ କୋର୍ଟ ଆଦେଶ ଦେଇଥିଲେ।

ପୀଠ କହିଛନ୍ତି, ଏ ପର୍ଯ୍ୟନ୍ତ ସିବିଆଇ ସାତୋଟି କେସ୍‌ରେ ୪୦ ଏଫଆଇଆର ଏବଂ ଚାର୍ଜସିଟ୍ ଦାଖଲ କରି ସାରିଛି। ସୋମବାର ସିବିଆଇ କଲିକତା ହାଇକୋର୍ଟର ନୀରିକ୍ଷଣରେ ଜାରି ନିଜର ତଦନ୍ତ ସଂପର୍କିତ ପ୍ରଥମ ଷ୍ଟାଟସ୍ ରିପୋର୍ଟ ଦାଖଲ କରିଛନ୍ତି।  

ରାଜ୍ୟ ସରକାରଙ୍କ ପକ୍ଷରୁ ତିନି ସଦସ୍ୟ ବିଶିଷ୍ଟ ଏସଆଇଟିର ସହଯୋଗ ପାଇଁ ୧୦ ଆଇପିଏସ୍‌ ଅଧିକାରୀଙ୍କ ନିଯୁକ୍ତି ଉପରେ ମଧ୍ୟ କୋର୍ଟ ଆପତ୍ତି ପ୍ରକାଶ କରିଛନ୍ତି। କିନ୍ତୁ ରାଜ୍ୟ ସରକାର କୋର୍ଟରେ କହିଛନ୍ତି ଯେ, ଏସଆଇଟି ସଦସ୍ୟଙ୍କ ସହ ପର୍ଯ୍ୟାପ୍ତ ବିଚାର ବିମର୍ଶ ପରେ ୧୦ ଆଇପିଏସ ଅଧିକାରୀଙ୍କୁ ନିଯୁକ୍ତ କରାଯାଇଥିଲା। ହେଲେ ରାଜ୍ୟ ସରକାର ଏହି ଟିମ୍‌କୁ ନେଇ ମଧ୍ୟ କୌଣସି ଆନୁଷ୍ଠାନିକ ସୂଚନା ଦେବାକୁ ଅକ୍ଷମ ରହିଛି।

Leave a Reply

Your email address will not be published. Required fields are marked *