ଦେଶ- ବିଦେଶ

କରନାଲ୍‌ରେ ଚାଷୀଙ୍କ ଉଗ୍ରରୂପ : ମୁଖ୍ୟମନ୍ତ୍ରୀଙ୍କ ବାସଭବନକୁ ଧସେଇ ପଶିବାକୁ ଉଦ୍ୟମ

ନୂଆଦିଲ୍ଲୀ : ଖରିଫ୍‌ ଫସଲ କିଣା ତାରିଖ ବଢାଯିବାକୁ ନେଇ ଉତ୍ତ୍ୟକ୍ତ ପଞ୍ଜାବ ଏବଂ ହରିୟାଣାର ଚାଷୀମାନେ ଆନ୍ଦୋଳନକୁ ଓଲ୍ଲାଇଛନ୍ତି । ପ୍ରଦର୍ଶନ ପାଇଁ ରାସ୍ତାକୁ ଓଲ୍ଲାଇଥିବା ହଜାର ହଜାର ସଂଖ୍ୟାରେ ଚାଷୀମାନେ ସାଂସଦ ଏବଂ ବିଧାୟକଙ୍କ ବାସଭବନ ଘେରାଉ କରିଛନ୍ତି । କରନାଲ୍‌ରେ ଚାଷୀମାନେ ମୁଖ୍ୟମନ୍ତ୍ରୀ ମନୋହର ଲାଲ୍‌ ଖଟ୍ଟରଙ୍କ ବାସଭବନକୁ ଘେରାଉ କରିବାକୁ ଚେଷ୍ଟା କରିଥିଲେ ।

ପ୍ରଦର୍ଶନକାରୀ ଚାଷୀମାନେ ଏତେ ଉଗ୍ର ହୋଇଯାଇଥିଲେ ଯେ, ପୋଲିସ ପକ୍ଷରୁ ଲଗାଯାଇଥିବା ବ୍ୟାରିକେଡ୍‌ ଉପରେ ଟ୍ରାକ୍ଟର ଚଢାଇ ଦେଇଛନ୍ତି । ଚାଷୀଙ୍କୁ ଆୟତ କରିବା ପାଇଁ ମୁତୟନ ହୋଇଥିବା ସୁରକ୍ଷାବଳ ସେମାନଙ୍କୁ କାବୁ କରିବା ପାଇଁ ପ୍ରୟାସ କରିଥିଲେ । ସ୍ଥିତି ଅଣାୟତ ହେବାରୁ ବାଧ୍ୟ ହୋଇ ଲାଠି ଚାର୍ଜ କରିଥିଲା ପୋଲିସ ।

ପ୍ରଦର୍ଶନରତ ଚାଷୀମାନେ ମୁଖ୍ୟମନ୍ତ୍ରୀ ଆବାସ ବାହାରେ ବ୍ୟାରିକେଡ୍‌ ଭାଙ୍ଗିବାକୁ ଉଦ୍ୟତ ହୋଇଥିଲେ । ଟ୍ରାକ୍ଟର ମଡାଇ ମୁଖ୍ୟମନ୍ତ୍ରୀ ଆବାସ ମଧ୍ୟକୁ ପସିବାକୁ ଚେଷ୍ଟା କରିଥିଲେ । ଚାଷୀଙ୍କ ଉଗ୍ରରୂପ ଦେଖି ସ୍ଥିତି ଅଣାୟତ ପାଇଁ ପାଣି ମାଡ କରିବା ସହ ଲାଠିଚାର୍ଜ କରିଛି । ଚାଷୀଙ୍କ ଏକା ଜିଦ ଯେ ପର୍ଯ୍ୟନ୍ତ ସରକାର ଧାନ କ୍ରୟ ନକରିଛନ୍ତି, ବିରୋଧ ପ୍ରଦର୍ଶନ ଏବଂ ଧାରଣା ଜାରି ରହିବ ।

ପଞ୍ଚକୁଲା​‌ରେ ଚାଷୀଙ୍କ ଉପରେ ଲାଠିମାଡ କରିଛି ପୋଲିସ । ଏହା ସହିତ ୧୨ରୁ ଉର୍ଦ୍ଧ୍ବ ଚାଷୀ ନେତା ଏବଂ ଚାଷୀଙ୍କୁ ଉଠାଇ ନେଇଛି ପୋଲିସ । ପୋଲିସ କହିବା ମୁତାବକ ଉଗ୍ର ଚାଷୀମାନେ ପୋଲିସକର୍ମୀଙ୍କ ଉପରେ ଟ୍ରାକ୍ଟର ଚଢାଇବାକୁ ଚେଷ୍ଟା କରୁଥିଲେ । ଯାହାଫଳରେ ବାଧ୍ୟ ହୋଇ ଲାଠି ଚାର୍ଜ ଏବଂ ପାଣିମାଡ କରିବାକୁ ପଡିଥିଲା ।

Leave a Reply

Your email address will not be published. Required fields are marked *