ଦେଶ- ବିଦେଶରାଜନୀତି

ସିଦ୍ଧୁ ଯେଉଁଠୁ ବି ନିର୍ବାଚନ ଲଢିବେ, ମୁଁ ଜିତିବାକୁ ଦେବିନି : କ୍ୟାପଟେନ୍‌ ଅମରିନ୍ଦର ସିଂହ

ଚଣ୍ଡିଗଡ  : ପଞ୍ଜାବ ରାଜନୀତିରେ ବିବାଦ ଥମିବାର ନା ନେଉନାହିଁ । ଦଳୀୟ କନ୍ଦଳ ଉଗ୍ରରୂପ ଧାରଣ କରିଥିବା ବେଳେ ସିଦ୍ଧୁ-ଅମରିନ୍ଦର ବିବାଦ ଚରମ ସୀମାରେ ପହଞ୍ଚିଛି । ଦୁଇ ଦିନିଆ ଦିଲ୍ଲୀ ଗସ୍ତ ଶେଷ କରିବା ପରେ ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମରିନ୍ଦର ସିଂ ଆଜି ଚଣ୍ଡିଗଡ଼ ଫେରିଛନ୍ତି । ସେଠା​‌ରେ ପ୍ରତିକ୍ରିୟା ଦେଇ କ୍ୟାପଟେନ୍‌ କହିଛନ୍ତି ଯେ, ସେ କଂଗ୍ରେସ ଦଳ ଛାଡି ବିଜେପିରେ ଯୋଗଦେବେ ନାହିଁ । ଏଭଳି ପରିସ୍ଥିତିରେ ଅମରିନ୍ଦର ସିଂ ଏକ ଅଲଗା ଦଳ ଗଠନ କରିପାରନ୍ତି ବୋଲି କଳ୍ପନାଜଳ୍ପନା ଚାଲିଛି। ତେବେ ସହଯୋଗୀଙ୍କ ସହ ଆଲୋଚନା ପରେ ହିଁ ରଣନୀତି ପ୍ରସ୍ତୁତ ହେବ ବୋଲି ସେ କହିଛନ୍ତି ।

ଚଣ୍ଡିଗଡ଼ରେ ପହଞ୍ଚିଥିବା ଅମରିନ୍ଦର ସିଂ, ନବଜୋତ ସିଂହ ସିଦ୍ଧୁଙ୍କୁ ଟାର୍ଗେଟ କରି କହିଛନ୍ତି ଯେ, ‘ଆସନ୍ତା ବିଧାନସଭା ନିର୍ବାଚନରେ ​​ସେ ଯେଉଁଠି ବି ଲଢନ୍ତୁ ମୁଁ ତାଙ୍କୁ ଜିତିବାକୁ ଦେବି ନାହିଁ । ପଞ୍ଜାବ ପାଇଁ ସିଦ୍ଧୁ ଠିକ୍ ନୁହଁନ୍ତି ।’ ସେ କହିଛନ୍ତି ଯେ ଦଳ ଚଳାଇବା ସିଦ୍ଧୁଙ୍କ କାମ। ସିଏମ୍ ଚରଣଜିତ୍ ଚନ୍ନିଙ୍କ କାମ ହେଉଛି ସରକାର ଚଳାଇବା । ସରକାର ଚଳାଇବାରେ ସିଦ୍ଧୁଙ୍କର କୌଣସି ହସ୍ତକ୍ଷେପ ହେବା ଉଚିତ ନୁହେଁ।

କ୍ୟାପଟେନ୍‌ କହିଛନ୍ତି ଯେ, ମୋର ୯ ବର୍ଷର କାର୍ଯ୍ୟକାଳ ମଧ୍ୟରେ ଅନେକ ସଭାପତି ରହିଛନ୍ତି କିନ୍ତୁ ସିଦ୍ଧୁ ଯେଉଁଭଳି ପରିସ୍ଥିତି ସୃଷ୍ଟି କରିଛନ୍ତି ତେବେ କେବେବି ଗ୍ରହଣୀୟ ନୁହେଁ। ସୂଚନାଯୋଗ୍ୟ ଯେ, ଚରଣଜିତ ସିଂହ ଚନ୍ନି ସରକାରର ନିଷ୍ପତ୍ତିରେ ନାରାଜ ହୋଇ ନବଜୋତ ସିଦ୍ଧୁ ସେପ୍ଟେମ୍ବର ୨୮ ତାରିଖରେ ପଞ୍ଜାବ କଂଗ୍ରେସ ସଭାପତି ପଦରୁ ଇସ୍ତଫା ଦେଇଥିଲେ । ଡିଜିପି ଏବଂ ସଲିସିଟର ଜେନେରାଲଙ୍କ ନିଯୁକ୍ତିକୁ ନେଇ ସିଦ୍ଧୁ ଅସନ୍ତୋଷ ପ୍ରକାଶ କରିଛନ୍ତି । ସିଦ୍ଧୁ ଏବଂ ସିଏମ୍ ଚନ୍ନିଙ୍କ ମଧ୍ୟରେ ପ୍ରାୟ ୨ ଘଣ୍ଟା ଧରି କଥାବାର୍ତ୍ତା ହୋଇଥିଲେ ସୁଦ୍ଧା ତଥାପି ସିଦ୍ଧୁଙ୍କ ଅସନ୍ତୋଷ କମି ନଥିବା ଜଣାପଡିଛି । ସେପଟେ କ୍ୟାପଟେନ୍‌ଙ୍କ ସହିତ ସିଦ୍ଧୁଙ୍କ ବିବାଦ ଏବଂ ଏପଟେ ସିଦ୍ଧୁ-ପଞ୍ଜାବ ସରକାର ବିବାଦ ଥମିବାର ନାଁ ନେଉନାହିଁ ।

ଜାତୀୟ ସୁରକ୍ଷା ପରାମର୍ଶଦାତା (ଏନଏସଏ) ଅଜିତ ଡୋଭାଲଙ୍କ ସହ ହୋଇଥିବା ବୈଠକକୁ ଅମରିନ୍ଦର ସିଂ କହିଛନ୍ତି ଯେ, ଅନେକ ପ୍ରସଙ୍ଗରେ ଅଜିତ ଡୋଭାଲଙ୍କ ସହ ଆଲୋଚନା ହୋଇଛି । ପ୍ରତିଦିନ ପାକିସ୍ତାନ ପଟୁ ଆସୁଥିବା ଡ୍ରୋନ୍ ବିଷୟରେ ମଧ୍ୟ ଡୋଭାଲଙ୍କ ସହ କ୍ୟାପଟେନଙ୍କ ଆଲୋଚନା ହୋଇଥିଲା । କ୍ୟାପଟେନ ଗତ ବୁଧବାର କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କୁ ଭେଟିଥିଲେ । ଏହା ପରେ ତାଙ୍କ ବିଜେପିରେ ଯୋଗଦେବା ନେଇ କଳ୍ପନାଜଳ୍ପନା ଆରମ୍ଭ ହୋଇଥିଲା । କିନ୍ତୁ ସେ ବିଜେପିରେ ଯୋଗ ଦେବେ ନାହିଁ ବୋଲି ସ୍ପଷ୍ଟ କରିଛନ୍ତି ।

Leave a Reply

Your email address will not be published. Required fields are marked *