ରାଜ୍ୟ

ସୂତାଖିଅରେ ଝୁଲୁଛି +୨ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ

ଭୁବନେଶ୍ୱର : ଯୁକ୍ତଦୁଇ ରେଗୁଲାର ଛାତ୍ରଛାତ୍ରୀମାନେ ବିକଳ୍ପ ମୂଲ୍ୟାୟନ ଆଧାରରେ ପାସ୍ ହୋଇଗଲେ । ମାତ୍ର ଡ୍ରପଆଉଟ୍ ଓ ଏକ୍ସରେଗୁଲାର ପିଲାଙ୍କ ଭବିଷ୍ୟତ ଏବେ ବି ଝୁଲି ରହିଛି । କୌଣସି ରେକର୍ଡ ନଥାଇ ରେଗୁଲାର ପିଲାଙ୍କ ରେଜଲ୍ଟ ପ୍ରକାଶ ପାଇଥିବା ବେଳେ ଡ୍ରପଆଉଟ୍ ପିଲାଙ୍କ ଫଳ କାହିଁକି ସ୍ଥଗିତ ରଖାଯାଇଛି ବୋଲି ପ୍ରଶ୍ନ କରିଛନ୍ତି ଛାତ୍ରଛାତ୍ରୀ । କରୋନା ମହାମାରୀ କାରଣରୁ ଯୁକ୍ତଦୁଇ ପରୀକ୍ଷା ବାତିଲ କରାଯାଇ ପରେ ବିକଳ୍ପ ମୂଲ୍ୟାୟନ ଆଧାରରେ ରେଜଲ୍ଟ ପ୍ରକାଶ କରାଯାଇଥିଲା । ଯେଉଁମାନେ ବିକଳ୍ପରେ ସନ୍ତୁଷ୍ଟ ନଥିଲେ ସେମାନେ ଅଫଲାଇନ ପରୀକ୍ଷା ଦେବାକୁ କୁହାଯାଇଥିଲା ।

ତେବେ ରେଗୁଲାର ପିଲାଙ୍କୁ ଦଶମ ଶ୍ରେଣୀ ମାର୍କ ଆଧାରରେ ମାର୍କ ଦିଆଯିବ ଓ ଏକ୍ସରେଗୁଲାର ପିଲାଙ୍କୁ ପୂର୍ବ ବର୍ଷର କାଉନସିଲ ମାର୍କକୁ ଭିତ୍ତିକରି ଦିଆଯିବ ବୋଲି କୁହାଯାଇଥିଲା । ତେବେ ଅଭିଭାବକ ଓ ଛାତ୍ରଛାତ୍ରୀଙ୍କ ଏନେଇ ଅଭିଯୋଗ କରିବା ପରେ ଖୁବଶୀଘ୍ର ବିଜ୍ଞପ୍ତି ପ୍ରକାଶ ପାଇବ ବୋଲି ପରିଷଦ ପକ୍ଷରୁ କୁହାଯାଇଥିଲା । ଯୁକ୍ତଦୁଇ ପରୀକ୍ଷା ଫଳ ଜୁଲାଇ ୩୦ରେ ପ୍ରକାଶ ପାଇଥିଲେ ହେଁ ଡ୍ରପଆଉଟ୍ ପିଲାଙ୍କ ମୂଲ୍ୟାୟନ ନେଇ କୌଣସି ବିଜ୍ଞପ୍ତି ବାହାରିନଥିଲା । ତେବେ ବର୍ତ୍ତମାନ ଯୁକ୍ତତିନି ନାମଲେଖା ପ୍ରଥମ ପର୍ଯ୍ୟାୟ ସରି ଦ୍ୱିତୀୟ ପର୍ଯ୍ୟାୟ ଆରମ୍ଭ ହେଲାଣି । ଯଦି ଆଗକୁ ଫଳ ପ୍ରକାଶ ପାଏ, ତେବେ ନାମ କିପରି ଲେଖାଇବେ ବୋଲି ଛାତ୍ରଛାତ୍ରୀମାନେ ପ୍ରଶ୍ନ କରିଛନ୍ତି । ଏହି ମାମଲା ବର୍ତ୍ତମାନ ରାଜ୍ୟ ମାନବାଧିକାର କମିଶନ (ଓଏଚଆରସି)ରେ ବିଚାରାଧୀନ ରହିଥିବା ବେଳେ ଆଜି ଏହାର ଶୁଣାଣି ହେବ ।

Leave a Reply

Your email address will not be published. Required fields are marked *