ଦେଶ- ବିଦେଶ

କାବୁଲ୍ ୟୁନିଭର୍ସିଟିର ୭୦ ଶିକ୍ଷକଙ୍କ ଇସ୍ତଫା

କାବୁଲ: ଆଫଗାନିସ୍ତାନ ତାଲିବାନ ସରକାର ଶିକ୍ଷାକୁ ନେଇ ଏକ ଅଜବ ନିର୍ଦ୍ଦେଶ ଦେଇଛି । ବୁଧବାର କାବୁଲ ୟୁନିଭର୍ସିଟିର ପିଏଚ୍‌ଡିଧାରୀ ଭାଇସ୍ ଚାନ୍ସେଲର୍ ମହମ୍ମଦ ଉସ୍‌ମାନ ବାବରିଙ୍କୁ ବରଖାସ୍ତ କରି ତାଙ୍କ ସ୍ଥାନରେ ଜଣେ ବିଏ ପାସ୍ ମହମ୍ମଦ ଅଶ୍ରଫ୍ ଘେରାତ୍‌ଙ୍କୁ ନିଯୁକ୍ତ କରିଛି । ତାଲିବାନର ଏହି ନିଷ୍ପତ୍ତି ପ୍ରତିବାଦରେ ୟୁନିଭର୍ସିଟିର ଆସିଷ୍ଟାଣ୍ଟ ପ୍ରଫେସର ଓ ପ୍ରଫେସରଙ୍କ ସମେତ ୭୦ ଜଣ ଷ୍ଟାଫ୍ ଇସ୍ତଫା ପ୍ରଦାନ କରିଛନ୍ତି । କାବୁଲ୍‌ସ୍ଥିତ ସବୁଠୁ ବଡ଼ ୟୁନିଭର୍ସିଟିରେ ଭାଇସ୍ ଚାନ୍ସେଲର୍ ଭାବେ ଘେରାତ୍‌ଙ୍କ ନିଯୁକ୍ତିକୁ ସୋସିଆଲ୍ ମିଡିଆରେ ବିରୋଧ କରାଯାଇଛି । ସମାଲୋଚକମାନଙ୍କ ଦ୍ୱାରା ଘେରାତ୍‌ଙ୍କ ଗତବର୍ଷର ଏକ ଟ୍ୱିଟ୍‌କୁ ହାଇଲାଇଟ୍ କରାଯାଇଛି, ଯେଉଁଥିରେ ସେ ଜଣେ ସାମ୍ବାଦିକଙ୍କ ହତ୍ୟାକୁ ଯଥାର୍ଥ ବୋଲି କହିଥିଲେ । ଦେଶର ସର୍ବପ୍ରଥମ ୟୁନିଭର୍ସିଟିରେ ଜଣେ ପିଏଚ୍‌ଧାରୀଙ୍କୁ ହଟାଇ ଜଣେ ଯୁବ ସ୍ନାତକ ଡିଗ୍ରୀଧାରୀଙ୍କୁ ନିଯୁକ୍ତ କରାଯାଇଥିବାରୁ ଲୋକଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଥିବା ଖାମା ପ୍ରେସ୍ ନ୍ୟୁଜ୍ ଏଜେନ୍ସି ପକ୍ଷରୁ କୁହାଯାଇଛି । ରିପୋର୍ଟ ଅନୁସାରେ ସାଧାରଣ ନାଗରିକଙ୍କ ସମେତ କେତେକ ତାଲିବାନ ସଦସ୍ୟ ମଧ୍ୟ ଏହି ଘଟଣାକୁ ନିନ୍ଦା କରିବା ସହ ଏହି ପଦ ପାଇଁ ଘେରାତ୍‌ଙ୍କଠାରୁ ବହୁ ଯୋଗ୍ୟ ବ୍ୟକ୍ତି ଦେଶରେ ଅଛନ୍ତି ବୋଲି କହିଛନ୍ତି । ଗତ ତାଲିବାନ ସରକାରରେ ଘେରାତ୍ ଶିକ୍ଷା ମନ୍ତ୍ରଣାଳୟରେ କାର୍ଯ୍ୟରତ ଥିଲେ ଏବଂ ଦକ୍ଷିଣ-ପଶ୍ଚିମସ୍ଥିତ ଆଇଇଏ ୟୁନିଭର୍ସିଟିର ମୂଲ୍ୟାଙ୍କନ ୟୁନିଟ୍‌ର ମୁଖ୍ୟ ଥିଲେ ବୋଲି କୁହାଯାଉଛି । ପୂର୍ବରୁ ସୋମବାର ତାଲିବାନ ସରକାର ଏକ ସରକାରୀ ୟୁନିଭର୍ସିଟିର ନାମ ପରିବର୍ତ୍ତନ କରି ପୂର୍ବତନ ଆଫଗାନିସ୍ତାନ ରାଷ୍ଟ୍ରପତି ତଥା ଦେଶର ଦ୍ୱିତୀୟ ବୃହତ୍ତମ ରାଜନୈତିକ ପାର୍ଟିର ପ୍ରତିଷ୍ଠାତା ବରାଉଦ୍ଦିନ୍ ରବାନିଙ୍କ ନାମରେ ନାମିତ କରିଥିଲା ।

Leave a Reply

Your email address will not be published. Required fields are marked *