ଦେଶ- ବିଦେଶ

୧୩ ହାଇକୋର୍ଟକୁ ମିଳିବ ନୂତନ ମୁଖ୍ୟ ବିଚାରପତି

ନୂଆଦିଲ୍ଲୀ : ଦେଶର ୧୩ ଉଚ୍ଚ ନ୍ୟାୟାଳୟ କିମ୍ବା ହାଇକୋର୍ଟକୁ ମିଳିବେ ନୂତନ ମୁଖ୍ୟ ବିଚାରପତି। ପ୍ରଧାନ ବିଚାରପତି ଏନଭି ରମନ୍ନାଙ୍କ ଅଧ୍ୟକ୍ଷତାରେ ଗଠିତ ଉଚ୍ଚତମ ନ୍ୟାୟାଳୟର କଲେଜିୟମ ପଦୋନ୍ନତି ପାଇଁ କେନ୍ଦ୍ରକୁ ଆଠ ବିଚାରପତିଙ୍କ ନାମ ସୁପାରିଶ କରିଛନ୍ତି। ଏଥିରେ କୋଲକାତା ଉଚ୍ଚ ନ୍ୟାୟାଳୟର କାର୍ଯ୍ୟକାରୀ ମୁଖ୍ୟ ବିଚାରପତି ରାଜେଶ ବିନ୍ଦଲଙ୍କ ନାମ ସାମିଲ୍। ଏହା ବ୍ୟତୀତ କଲେଜିୟମ ପାଞ୍ଚ ମୁଖ୍ୟ ବିଚାରପତିଙ୍କୁ ବିଭିନ୍ନ ଉଚ୍ଚ ନ୍ୟାୟାଳୟରେ ସ୍ଥାନାନ୍ତର କରିବାକୁ ମଧ୍ୟ ସୁପାରିଶ କରିଛନ୍ତି।

କଲେଜିୟମର ଏହି ନିର୍ଣ୍ଣୟକୁ ମଙ୍ଗଳବାର ନ୍ୟାୟାଳୟର ଓ୍ଵେବସାଇଟ୍‌ରେ ଅପଲୋଡ କରାଯାଇଛି। ସୁପ୍ରିମକୋର୍ଟର ବିଚାରପତି ୟ ୟୁ ଲଳିତ ଓ ବିଚାରପତି  ଏ ଏମ ଖାନଓ୍ଵିଲକର ମଧ୍ୟ କଲେଜିୟମର ସଦସ୍ୟ ଅଛନ୍ତି। କେନ୍ଦ୍ର ସରକାର ଯଦି କଲେଜିୟମର ସୁପାରିଶକୁ ସ୍ଵୀକାର କରି ନିଅନ୍ତି ତେବେ ବିଚାରପତି ବିନ୍ଦଲ ଆହ୍ଲାବାଦ ଉଚ୍ଚ ନ୍ୟାୟାଳୟର ମୁଖ୍ୟ ବିଚାରପତି ହେବେ। ତାଙ୍କ ବ୍ୟତୀତ ଅନ୍ୟ ସାତ ନ୍ୟାୟାଧୀଶଙ୍କୁ ମୁଖ୍ୟ ବିଚାରପତି କରାଯିବାକୁ ସୁପାରିଶ କରାଯାଇଛି।

କଲେଜିୟମ ଯେଉଁ ବିଚାରପତିଙ୍କ ନାମରେ ସୁପାରିଶ କରିଛନ୍ତି, ସେଥିରେ ବିଚାରପତି ରଞ୍ଜିତ ଭି ମୋରେ, ସତୀଶ ଚନ୍ଦ୍ର ଶର୍ମା, ପ୍ରକାଶ ଶ୍ରୀବାସ୍ତବ, ଆର ଭି ମଲିମଥ, ରିତୁ ରାଜ ଅବସ୍ଥି, ଅରବିନ୍ଦ କୁମାର ଓ ପ୍ରଶାନ୍ତ କୁମାର ମିଶ୍ରଙ୍କ ନାମ ସାମିଲ୍। ଏହି ସମସ୍ତ ବିଚାରପତିଙ୍କୁ କ୍ରମଶଃ ମେଘାଳୟ, ତେଲଙ୍ଗାନା, କଲକାତା, ମଧ୍ୟ ପ୍ରଦେଶ, କର୍ଣ୍ଣାଟକ, ଗୁଜରାଟ ଓ ଆନ୍ଧ୍ର ପ୍ରଦେଶର ଉଚ୍ଚ ନ୍ୟାୟଳୟରେ ମୁଖ୍ୟ ବିଚାରପତି ଭାବେ ନିଯୁକ୍ତି କରିବାକୁ ସୁପାରିଶ କରାଯାଇଛି। ବାକି ୫ ମୁଖ୍ୟ ବିଚାରପତିଙ୍କୁ ଅନ୍ୟ ରାଜ୍ୟରେ ସ୍ଥାନାନ୍ତର କରାଯିବ।

Leave a Reply

Your email address will not be published. Required fields are marked *