ଦେଶ- ବିଦେଶମନୋରଞ୍ଜନ

ବଢ଼ିଲା ସୋନୁ ସୁଦଙ୍କ ଅଡୁଆ

ମୁମ୍ବାଇ : ବଲିଉଡ ଅଭିନେତା ସୋନୁ ସୁଦଙ୍କ ଅଡୁଆ ବଢିଚାଲିଛି। ଆୟକର ବିଭାଗ ଟିମ ଲଗାତାର ଚତୁର୍ଥ ଦିନ ସୋନୁ ସୁଦଙ୍କ ସହ ଜଡିତ ୨୮ ଠିକଣାରେ ଚଢ଼ଉ କରିଛି। ସୂତ୍ର ଅନୁଯାୟୀ, ଆୟକର ବିଭାଗର ଚଢ଼ଉ ବେଳେ ଟ୍ୟାକ୍ସରେ ବଡ ହେରଫେର ହୋଇଥିବା ପ୍ରମାଣ ମିଳିଛି। ଆୟକର ବିଭାଗ ଟିମ ମୁମ୍ବାଇ, ଲକ୍ଷ୍ନୌ, କାନପୁର, ଜୟପୁର, ଦିଲ୍ଲୀ ଓ ଗୁରୁଗ୍ରାମରେ ଏକାସାଙ୍ଗେ ଚଢ଼ଉ କରିଛି। ଆୟକର ବିଭାଗ ଅନୁଯାୟୀ, ଯାଞ୍ଚ ବେଳେ ଟିମକୁ ପ୍ରାୟ ୨୦ କୋଟି ଟ୍ୟାକ୍ସ ହେରଫେର ହୋଇଥିବା ଜଣାପଡିଛି। ସର୍ଚ୍ଚ ବେଳେ ଆୟକର ବିଭାଗ ଟିମ ନଗଦ ୧ କୋଟି ୮ ଲକ୍ଷ ଟଙ୍କା ଜବତ କରିଛି ଏବଂ ୧୧ଟି ଲକର ବିଷୟରେ ଜଣାପଡିଛି।

ସୂତ୍ରରେ ଦାବି କରାଯାଇଛି ଯେ ଆୟକର ବିଭାଗକୁ ଏହି ଚଢ଼ଉରେ ଟ୍ୟାକ୍ସରେ ବଡ ଧରଣର ହେରଫେର ହୋଇଥିବା ପ୍ରମାଣ ମିଳିଛି। ଟ୍ୟାକ୍ସ ହେରଫେର ସୋନୁ ସୁଦଙ୍କ ବ୍ୟକ୍ତିଗତ ଫାଇନାନ୍ସ ସହ ଜଡିତ। ଏବେ ସୁଦ୍ଧା ମିଳିଥିବା ସୂଚନା ଅନୁଯାୟୀ, ଫିଲ୍ମରୁ ମିଳୁଥିବା ଫି’ରେ ମଧ୍ୟ ବଡ ଧରଣର ହେରଫେର ହୋଇଥିବା ଜଣାପଡିଛି। ଏହି ଅନିୟମିତତା ପରେ ଆୟକର ବିଭାଗ ଟିମ ସୋନୁ ସୁଦଙ୍କ ଚ୍ୟାରିଟି ଫାଉଣ୍ଡେସନର ଆକାଉଣ୍ଟ ମଧ୍ୟ ଯାଞ୍ଚ କରୁଛି। ଆୟକର ବିଭାଗ ଅନୁଯାୟୀ, ଅଭିନେତା ନିଜ ରୋଜଗାରକୁ ନକଲି କମ୍ପାନୀ ଜରିଆରେ ରୁଟ କରିଛନ୍ତି। ଏବେ ଯାଏଁ ଯାଞ୍ଚରେ ଟିମକୁ ୨୦ଟି ନକଲି ଏଣ୍ଟ୍ରି ସମ୍ପର୍କରେ ଜଣାପଡିଛି। ୨୦୨୦ ଜୁଲାଇ ୨୧ ତାରିଖରୁ ଏବେ ସୁଦ୍ଧା ସୋନୁ ସୁଦଙ୍କ ଦ୍ୱାରା ଆରମ୍ଭ କରାଯାଇଥିବା ଚ୍ୟାରିଟି ଫାଉଣ୍ଡେସନ ପ୍ରାୟ ୧୮.୯୪ କୋଟି ଟଙ୍କା ଦାନ ଭାବେ ଏକତ୍ର କରିଛି ଯେଉଁଥିରେ ୧.୯ କୋଟି ଟଙ୍କା ରିଲିଫ କାର୍ଯ୍ୟରେ ଖର୍ଚ୍ଚ କରାଯାଇଛି ଏବଂ ୧୭ କୋଟି ଟଙ୍କା ଏବେ ବି ଅଛି। ଯାଞ୍ଚ ବେଳେ ଜଣାପଡିଛି ଯେ FCRA ଉଲ୍ଲଙ୍ଘନ କରି ସୋନୁ ସୁଦଙ୍କ ଏହି ଚ୍ୟାରିଟି ଫାଉଣ୍ଡେସନରେ ୨.୧ କୋଟି ଟଙ୍କା ଜମା କରାଯାଇଛି।

Leave a Reply

Your email address will not be published. Required fields are marked *