ଦେଶ- ବିଦେଶ

ମଦ ପିଇ ଅଫିସ ଆସିଲେ ମହିଳା: ଚାକିରୀରୁ ବିଦା କରିଦେଲା କମ୍ପାନୀ, ଶଷରେ….

ନୂଆଦିଲ୍ଲୀ : କୌଣସି କାର୍ଯ୍ୟାଳୟକୁ କର୍ମଚାରୀ ମଦ ପିଇ ଆସିବା ସାଧାରଣତଃ ବାରଣ କରାଯାଇଥାଏ। ସ୍କଟଲ୍ୟାଣ୍ଡର ଏଡିନବର୍ଗରେ ଏମିତି ଏକ ଘଟଣା ଘଟିଛି। ଏଠାରେ ଏକ କମ୍ପାନୀ ଜଣେ ମହିଳା କର୍ମଚାରୀଙ୍କୁ ସିପ୍ଟର ୯ ଘଣ୍ଟା ପୂର୍ବରୁ ମଦ ପିଇଥିବାରୁ ଚାକିରୀରୁ ବାହାର କରିଦେଇଛି। ମାମଲାକୁ ନେଇ ମହିଳା କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ପରେ କମ୍ପାନୀ ମହିଳାଙ୍କୁ ୪ ଲକ୍ଷ ଟଙ୍କା କ୍ଷତିପୂରଣ ଦେଇଛି।

ଘଟଣା ମାଲଗୋର୍ଜାତା କ୍ରୋଲିକ ନାମକ ମହିଳାଙ୍କ ସହ ଘଟିଛି। ରିପୋର୍ଟ ଅନୁଯାୟୀ, ମହିଳା ଏକ କାରଖାନାରେ କାମ କରନ୍ତି। ଯେତେବେଳେ ସେ ଅଫିସ ଯାଇଥିଲେ ତାଙ୍କ ପାଟିରୁ ମଦ ଗନ୍ଧ ଆସୁଥିଲା। ମହିଳାଙ୍କ ସିଫ୍ଟ ଅପରାହ୍ନ ୨ଟା ରେ ଥିଲା। ସେ ୯ ଘଣ୍ଟା ପୂର୍ବରୁ ଅର୍ଥାତ ସକାଳ ୫ଟା ରେ ମଦ ପିଇଥିଲେ। କମ୍ପାନୀ ପଲିସୀ ଅନୁଯାୟୀ ଡ୍ୟୁଟିକୁ ଆସୁଥିବା କର୍ମଚାରୀ ମଦ୍ୟପାନ କରିପାରିବେ ନାହିଁ। ମଦ ପ୍ରତି ଜିରୋ ଟୋଲେରାନ୍ସ ପଲିସୀ କମ୍ପାନୀ ମଦ ପିଇ ଅଫିସ ଆସୁଥିବା କର୍ମଚାରୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥାଏ। ଯେହେତୁ ମହିଳା ନିଜ ସିଫ୍ଟ ବିଷୟରେ ଜାଣିଥିଲେ ଓ ତଥାପି ମଦ ପିଇ ଆସିଥିଲେ ସେଥିପାଇଁ ତାଙ୍କୁ ଚାକିରୀରୁ ବାହାର କରାଯାଇଥିଲା।

ମହିଳା ୧୧ ବର୍ଷ ହେଲା ସେହି କମ୍ପାନୀରେ ଚାକିରୀ କରୁଥିଲେ। ବ୍ରିଫିଙ୍ଗ ସମୟରେ ତାଙ୍କୁ ମ୍ୟାନେଜର ପଚାରିଥିଲେ ଯେ ସେ ମଦ ପିଇଛନ୍ତି କି ? ସେ ହଁ ମାରିବା ପରେ ତାଙ୍କୁ ଚାକିରୀରୁ ବାହାର କରିବାକୁ ନିଷ୍ପତ୍ତି ନିଆଯାଇଥିଲା। ଚାକିରୀରୁ ବାହାର କରାଯିବା ପରେ ମହିଳା ଆଇନର ସାହାରା ନେଇଥିଲେ। ମାମଲାକୁ ନେଇ କୋର୍ଟର ଦ୍ୱାରସ୍ଥ ହୋଇଥିଲେ। କୋର୍ଟ କମ୍ପାନୀ ତରଫରୁ ମହିଳାଙ୍କୁ ୫୦୦ ୟୁରୋ ଅର୍ଥାତ ପ୍ରାୟ ୪ ଲକ୍ଷ ୩୩ ହଜାର ୨୦୪ ଟଙ୍କା କ୍ଷତିପୂରଣ ଦେବାକୁ ଆଦେଶ ଦେଇଥିଲେ। ପରେ କମ୍ପାନୀ ମହିଳାଙ୍କୁ କ୍ଷତିପୂରଣ ଦେଇଥିଲା।

Leave a Reply

Your email address will not be published. Required fields are marked *