ରାଜ୍ୟ

ଧାନ ବିଲରୁ ମିଳିଲା ଯୁବକଙ୍କ ମୃତଦେହ

ନିଶ୍ଚିନ୍ତକୋଇଲି : ମାଛ ଧରୁଥିବା ବେଳେ ନିଖୋଜ ଯୁବକଙ୍କ ମୃତଦେହ ୨ ଦିନ ପରେ ଉଦ୍ଧାର । ଧାନ ବିଲରୁ ସ୍ଥାନୀୟ ବାସିନ୍ଦାଙ୍କ ଦ୍ଵାରା ଉଦ୍ଧାର । କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ବ୍ଲକ୍ ନତକାଇ-ଶକ୍ତିଶ୍ବର ରାସ୍ତା ନିକଟ ଏକ ପାଟନାଳୀରେ ମାଛ ଧରୁଥିବା ବେଳେ ପ୍ରଖର ସ୍ରୋତରେ ଭାସିଯାଇ ଯୁବକ ନିଖୋଜ ଥିବା ସ୍ଥାନୀୟ ସଂଜୟ ରାଉତଙ୍କ ମୃତଦେହ ଉଦ୍ଧାର । ଦୁଇ ଦିନ ଧରି ଦମକଳ ବାହିନୀ, ଓଡ୍ରାଫ୍ ଟିମ୍ ଓ ନିଶ୍ଚିନ୍ତକୋଇଲି ପୋଲିସ ଖୋଜାଖୋଜି ଜାରି ରଖିଥିଲେ ମଧ୍ୟ ନିଖୋଜ ଯୁବକଙ୍କ ସନ୍ଧାନ ମିଳିପାରିନଥିଲା ।

ସୂଚନାଯୋଗ୍ୟ ଯେ, ପ୍ରବଳ ବର୍ଷା ହେତୁ କେନାଲ ଓ ପାଟନାଳୀରେ ଜଳସ୍ତର ଅହେତୁକ ବୃଦ୍ଧି ପାଇବା ସହ ଜଳର ସ୍ରୋତ ଅତ୍ୟଧିକ ଥିବାରୁ ନିଖୋଜ ଯୁବକଙ୍କୁ ଖୋଜିବାରେ ବାଧକ ସୃଷ୍ଟି ହୋଇଥିଲା । ବୁଧବାର ସକାଳୁ ପାଟନାଳୀ ନିକଟସ୍ଥ ଏକ ଧାନ ବିଲରେ ମୃତଦେହ ସ୍ଥାନୀୟ ଲୋକେ ଦେଖିଥିଲେ ଓ ସ୍ଥାନୀୟ ପୋଲିସ ତହସିଲଦାରଙ୍କୁ ଖବର ଦେବା ପରେ ମୃତଦେହ ଉଦ୍ଧାର କରାଯାଇଛି । ମୃତକ ସଂଜୟଙ୍କ ହାତରେ ମାଛଧରା ଜାଲର ଅବଶିଷ୍ଟାଂଶ ଲାଗିଥିବା ସହ ରେନ୍ କୋର୍ଟ ମଧ୍ୟ ପିନ୍ଧିଥିବା ଦେଖିବାକୁ ମିଳିଥିଲା । ସଂଜୟଙ୍କ ପରିବାର ଅତ୍ୟନ୍ତ ଗରିବ ଶ୍ରେଣୀର ହୋଇଥିବାରୁ ନିଶ୍ଚିନ୍ତକୋଇଲି ତହସିଲଦାର ସଂଜୟଙ୍କ  ପରିବାରକୁ ରେଡକ୍ରସ୍ ତରଫରୁ ୧୦ ହଜାର ଟଙ୍କା ସହାୟତା ରାଶି ପ୍ରଦାନ କରିବା ସହ ନିଶ୍ଚିନ୍ତକୋଇଲି ପୋଲିସ ଶବକୁ ଜବତ କରି ବ୍ୟବଚ୍ଛେଦ ପାଇଁ କଟକ ପଠାଇଛି ।

Leave a Reply

Your email address will not be published. Required fields are marked *