ଦେଶ- ବିଦେଶରାଜନୀତି

ଗୁଜୁରାଟ ବିଜେପିରେ ତୀବ୍ର ହେବାରେ ଲାଗିଛି ଦଳୀୟ କନ୍ଦଳ

ଅହମଦାବାଦ : ଗୁଜୁରାଟ ବିଜେପିରେ ଦଳୀୟ କନ୍ଦଳ ଉଗ୍ର ରୂପ ଧାରଣ କରିଛି । ମନ୍ତ୍ରୀପଦ ପାଇଁ ଦଳୀୟ ନେତାଙ୍କ ମଧ୍ୟରେ ବିବାଦ ଲାଗିରହିଥିବା ବେଳେ ବୁଧବାର ଶପଥ ଗ୍ରହଣ ଉତ୍ସବକୁ ଆସନ୍ତାକାଲିକୁ ଟାଳିଦିଆଯାଇଛି । ରାଜ୍ୟର ନବ ନିଯୁକ୍ତ ମୁଖ୍ୟମନ୍ତ୍ରୀ ଭୂପେଶ ପଟେଲ ପୂର୍ବରୁ ଶପଥ ନେଇସାରିଥିବା ବେଳେ ବୁଧବାର ସନ୍ଧ୍ୟାରେ ତାଙ୍କର ନୂଆ ମନ୍ତ୍ରୀମଣ୍ଡଳ ଶପଥ ନେବାର ଥିଲା । କିନ୍ତୁ ଏହାକୁ ଆସନ୍ତାକାଲି ଯାଏଁ ସ୍ଥଗିତ ରଖାଯାଇଛି । ଗୁରୁବାର ଦିନ ୧.୩୦ରେ ଭୂପେଶ ପଟେଲଙ୍କ ନୂଆ ମନ୍ତ୍ରୀମଣ୍ଡଳ ଶପଥ ନେବେ ବୋଲି ସୂଚନା ମିଳିଛି ।

କ୍ୟାବିନେଟ୍‌ ଅଦଳବଦଳକୁ ନେଇ ନେତାଙ୍କ ମଧ୍ୟରେ ଅସନ୍ତୋଷ ତୀବ୍ର ହେଉଥିବା ଦେଖିବାକୁ ମିଳୁଛି । ମୁଖ୍ୟମନ୍ତ୍ରୀ ଭୂପେଶ ପଟେଲ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବା ପରେ ବୁଧବାର ସନ୍ଧ୍ୟାରେ ତାଙ୍କର ନୂଆ ମନ୍ତ୍ରୀ ମଣ୍ଡଳ ଶପଥ ନେବାର ଥିଲା ଯାହାକି ଆସନ୍ତାକାଲି ହେବ । ଏହା ପୂର୍ବରୁ କିନ୍ତୁ କ୍ୟାବିନେଟ୍‌ରେ ନୂଆ ଚେହେରାଙ୍କୁ ନେଇ ତୀବ୍ର ଅସନ୍ତୋଷ ଦେଖାଦେଇଛି । କାରଣ ବର୍ତ୍ତମାନ କ୍ୟାବିନେଟ୍‌ରେ ମନ୍ତ୍ରୀ ଥିବା ପ୍ରାୟ ୯୦ ପ୍ରତିଶତଙ୍କୁ ହଟାଯାଇ ନୂଆ ମୁହଁଙ୍କୁ ମନ୍ତ୍ରୀପଦ ଦିଆଯିବା ନେଇ ଚର୍ଚ୍ଚା ହେଉଛି । ମାତ୍ର ଜଣେ କିମ୍ବା ୨ ଜଣଙ୍କୁ ଦ୍ବିତୀୟ ଥର ପାଇଁ ମନ୍ତ୍ରୀମଣ୍ଡଳ​‌ରେ ସାମିଲ କରାଯାଇପାରେ ।  

ନୂଆ ମୁଖ୍ୟମନ୍ତ୍ରୀ ଭୂପେଶ ପଟେଲ ନିଜ ମନ୍ତ୍ରୀମଣ୍ଡଳରେ ୨୧ ରୁ ୨୨ ଜଣ ମନ୍ତ୍ରୀଙ୍କୁ ସ୍ଥାନ ଦେବାକୁ ଚାହୁଁଛନ୍ତି । ଏହି କ୍ରମରେ ଦେଖିବାକୁ ଗଲେ ଯେଉଁମାନଙ୍କୁ ମନ୍ତ୍ରୀପଦ ମିଳିବା ନେଇ ଆଭାସ ମିଳୁନି ସେମାନେ ଅସନ୍ତୋଷ ବ୍ୟକ୍ତ କରୁଛନ୍ତି । ମନ୍ତ୍ରୀ ମଣ୍ଡଳରେ ନୂଆ ଚେହେରା ଏବଂ ବିଶେଷ କରି ମହିଳାଙ୍କୁ ଅଧିକ ସ୍ଥାନ ଦେବାକୁ ଯୋଜନା ଚାଲିଛି ।

ସବୁଠାରୁ ବଡ କଥା ହେଉଛି ରୂପାଣୀଙ୍କ କ୍ୟାବିନେଟ୍‌ରେ ଗୁରୁତ୍ବପୂର୍ଣ୍ଣ ପଦବୀରେ ଥିବା ନେତାମାନଙ୍କ ପଦବୀ ଯାଇପାରେ । ବିଶେଷ କରି ଉପ ମୁଖ୍ୟମନ୍ତ୍ରୀ ନିତିନ୍‌ ପଟେଲ, ଭୂପେନ୍ଦ୍ର ସିଂହ ଚୁଡାସ୍ମା, ଆରସୀ ଫାଲଦୁ ଏବଂ କୌଶିକ ପଟେଲଙ୍କ ଭବିଷ୍ୟତକୁ ନେଇ ଏବେଠାରୁ ପ୍ରଶ୍ନବାଚୀ ସୃଷ୍ଟି ହେଲାଣି । ରୂପାଣିଙ୍କ କ୍ୟାବିନେଟ୍‌ରେ ନିତିନ୍‌ ପେଟଲ ଉପମୁଖ୍ୟମନ୍ତ୍ରୀ ସହ ଗୁରୁତ୍ବପୂର୍ଣ୍ଣ ଅର୍ଥ ବିଭାଗ ଦାୟିତ୍ବରେ ଥିଲେ । ସେହିଭଳି ଭୂପେନ୍ଦ୍ର ସିଂହ ଚୁଡାସ୍ମା ଶିକ୍ଷା ମନ୍ତ୍ରୀ, ଆର୍‌ସି ଫାଲଦୁ ଶିକ୍ଷା ମନ୍ତ୍ରୀ ଏବଂ କୌଶିକ ପଟେଲ ରାଜସ୍ବ ମନ୍ତ୍ରୀ ଥିଲେ । ତେବେ ଭୂପେଶ ପଟେଲଙ୍କ କ୍ୟାବିନେଟ୍‌ରେ ଏମାନଙ୍କ ମନ୍ତ୍ରୀପଦ ଯିବା ନେଇ ଚର୍ଚ୍ଚା ହେଉଛି । ଏମାନେ ସମସ୍ତେ ଗୁଜୁରାଟ ବିଜେପିର ପୁରୁଣା ଚେହେରା । ତେଣୁ ଭୂପେଶ ପଟେଲଙ୍କ କ୍ୟାବିନେଟ୍‌ରେ କେଉଁମାନେ ସାମଇଳ ହେବାକୁ ଯାଉଛନ୍ତି ତାହା ଉପରେ ନଜର ରହିଛି । 

Leave a Reply

Your email address will not be published. Required fields are marked *