ରାଜନୀତିରାଜ୍ୟ

ଓଡ଼ିଶା-ଆନ୍ଧ୍ର ସୀମା ବିବାଦକୁ ନେଇ ପୁଣି ଉତ୍ତେଜନା

ଗଜପତି : ଓଡ଼ିଶା-ଆନ୍ଧ୍ର ସୀମା ବିବାଦକୁ ନେଇ ଗଜପତିରେ ପୁଣି ଉତ୍ତେଜନା । ରାୟଗଡ ତହସିଲ ଅନ୍ତର୍ଗତ ମାଣିକପାଟଣାରେ ଆନ୍ଧ୍ର ପକ୍ଷରୁ ନିର୍ମାଣ ହୋଇଥିବା ଅଙ୍ଗନଓ୍ଵାଡି କେନ୍ଦ୍ରକୁ ଦୁଇଦିନ ପୂର୍ବେ ପ୍ରଶାସନ ପକ୍ଷରୁ ସିଲ୍ କରାଯାଇଥିଲା। ଯାହାକୁ ନେଇ ଆଜି ମାଣିକପାଟଣା ଗାଁରେ ପହଂଚିଥିଲେ ଆନ୍ଧ୍ର ପୋଲିସ ଓ ପ୍ରଶାସନ । ଏହାକୁ ବିରୋଧ କରି ସ୍ଥାନୀୟ ଲୋକ ଜିଲ୍ଲା ପ୍ରଶାସନକୁ ସୂଚନା ଦେଇଥିଲେ । ଅତିରିକ୍ତ ଜିଲ୍ଲାପାଳ ସଂଗ୍ରାମ ଶେଖର ପଣ୍ଡାଙ୍କ ନେତୃତ୍ୱରେ ଉପଜିଲ୍ଲାପାଳ, ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ପ୍ରକଳ୍ପ ନିର୍ଦ୍ଦେଶକ ଘଟଣାସ୍ଥଳରେ ପହଞ୍ଚିଛନ୍ତି । ଶ୍ରୀକାକୁଲମ ଆଇଟିଡିଏ ପିଏ ସି.ଏଚ.ଶ୍ରୀଧରଙ୍କ ନେତୃତ୍ୱରେ ଏକ ଟିମ୍ ଗଜପତି ଜିଲ୍ଲା ପ୍ରଶାସନ ସହ ଉପୁଜିଥିବା ବିବାଦକୁ ନେଇ ରୁଦ୍ଧ ଦ୍ଵାର ବୈଠକ କରୁଥିବା ଜଣାଯାଇଛି । ଆନ୍ଧ୍ର ପକ୍ଷରୁ ଶ୍ରୀକାକୁଲମ ପିଏ ଆଇଟିଡିଏ ସିଏଚ ଶ୍ରୀଧର ଗଣମାଧ୍ୟମକୁ ନିଜ ପକ୍ଷ ରଖି ଅଙ୍ଗନୱାଡି କେନ୍ଦ୍ର ଘଟଣାକୁ ସତ୍ଯ ବୋଲି କହିବା ସହ ହିତାଧିକାରୀଙ୍କୁ ପୁଷ୍ଟିକର ଖାଦ୍ଯ ଯୋଗାଣ ଦାୟିତ୍ବରେ ଥିବା ଗୁରୁନାଥ ଶବରଙ୍କ ଗିରଫଦାରୀ ଘଟଣାର ଉଭୟ ରାଜ୍ୟର ପୋଲିସ ତଦନ୍ତ କରିବ ବୋଲି କହିଛନ୍ତି ।ଆନ୍ଧ୍ର ଓ ଓଡିଶା ମିଳିତ ସୀମା ନିର୍ଦ୍ଧାରଣ ପାଇଁ କେନ୍ଦ୍ର ସେଟେଲମେଣ୍ଟ କାର୍ଯ୍ୟାଳୟର ଦ୍ବାରସ୍ଥ ହୋଇଛନ୍ତି । ଏପରିକି ମାଣିକ ପାଟଣା ଗ୍ରାମରେ ସଠିକ ସୀମା ନିର୍ଦ୍ଧାରଣ ହୋଇନଥିବାରୁ ଉଭୟ ରାଜ୍ୟର ଯୋଜନା କିଛି ଲୋକ ପାଉଛନ୍ତି । ତେଣୁ ଉଭୟ ରାଜ୍ୟ ପକ୍ଷରୁ ସୀମା ନିର୍ଦ୍ଧାରଣ ନହେବା ଯାଏଁ ସୀମାନ୍ତ ଅଞ୍ଚଳବାସୀ ଭାଇଚାରା ନିଦର୍ଶନ ଦେଇ ବସବାସ କରିବାକୁ ଶ୍ରୀକାକୁଲମ ପିଏ ଆଇଟିଡିଏ ଅନୁରୋଧ କରିଛନ୍ତି ।

Leave a Reply

Your email address will not be published. Required fields are marked *