ଦେଶ- ବିଦେଶ

କାବୁଲ୍‌ ବିମାନ ବନ୍ଦର ବିସ୍ଫୋରଣଜନିତ ମୃତ୍ୟୁସଂଖ୍ୟା ୧୦୩କୁ ବୃଦ୍ଧି

ନୂଆଦିଲ୍ଲୀ: ଗୁରୁବାର ସନ୍ଧ୍ୟାରେ କାବୁଲ୍‌କୁ ଦୋହଲାଇ ଦେଇଥିବା ୪ଟି ବୋମା ବିସ୍ଫୋରଣଜନିତ ମୃତ୍ୟୁସଂଖ୍ୟା ୧୦୩କୁ ବୃଦ୍ଧି ପାଇଛି। ଗତ ସନ୍ଧ୍ୟାରେ ଜନାକୀର୍ଣ୍ଣ କାବୁଲ୍ ବିମାନ ବନ୍ଦର ବାହାରେ ଏକାଧିକ ବୋମା ବିସ୍ଫୋରଣ ସଙ୍ଗଠିତ ହୋଇଥିବା ରିପୋର୍ଟ ହୋଇଥିଲା। ଏହି ବିସ୍ଫୋରଣ ପ୍ରଭାବରେ ଆମେରିକୀୟ ନୌସେନାର ୧୨ଜଣ ସୈନିକ ଏବଂ ଜଣେ ନୌସେନା ଡାକ୍ତର ନିହତ ହୋଇଛନ୍ତି। ଏହା ବ୍ୟତିରେକେ, ସେନାର ଅନ୍ୟ ୧୮ଜଣ ସଦସ୍ୟ ମଧ୍ୟ ଆହତ ହୋଇଛନ୍ତି। ବାକି ୮୫ଜଣଙ୍କ ମଧ୍ୟରେ ଅଛନ୍ତି ୨୮ଜଣ ତାଲିବ୍‌ ଏବଂ ସାଧାରଣ ନାଗରିକ। ଉପରୋକ୍ତ ବିସ୍ଫୋରଣ ପାଇଁ ‘ଇସ୍‌ଲାମିକ୍‌ ଷ୍ଟେଟ୍‌’ ଆପଣାକୁ ଦାୟୀ କରିବା ସହ କାବୁଲ୍ ବିମାନ ବନ୍ଦରର ଜନାକୀର୍ଣ୍ଣ ଫାଟକରେ ବିସ୍ଫୋରଣ ଘଟାଇଥିବା ଜଣେ ଆତ୍ମଘାତୀ ବୋମା ବିସ୍ଫୋରଣକାରୀର ଫଟୋଚିତ୍ର ମଧ୍ୟ ପ୍ରକାଶ କରିଛି।

ମାତ୍ର କେଇ ମିନିଟ୍ ଅନ୍ତରରେ କାବୁଲ୍ ବିମାନ ବନ୍ଦର ନିକଟରେ ଦୁଇଟି ବୋମା ବିସ୍ଫୋରଣ ହେବାର କିଛି ଘଣ୍ଟା ପରେ ଅନ୍ୟତ୍ର ଆଉ ଦୁଇଟି ବୋମା ଫୁଟିଥିବା ଖବର ମିଳିଛି। ପ୍ରାଥମିକ ରିପୋର୍ଟ ଅନୁସାରେ, କେନ୍ଦ୍ରୀୟ କାବୁଲ୍‌ରେ ଗୋଟାଏ ତାଲିବାନ୍ ଯାନ ବିସ୍ଫୋରକ ସାମଗ୍ରୀ ଉପରେ ମାଡ଼ିଯିବାରୁ ତୃତୀୟ ବିସ୍ଫୋରଣ ଘଟିଥିଲା। ଚତୁର୍ଥ ବିସ୍ଫୋରଣ ବିଷୟରେ ଏଯାବତ୍ ତଥ୍ୟ ହସ୍ତଗତ ହୋଇନାହିଁ। କାବୁଲ୍ ବିମାନ ବନ୍ଦର ବାହାରେ ବୋମା ବିସ୍ଫୋରଣ ହେବାକ୍ଷଣି ପେଣ୍ଟାଗନ୍‌ ଜାରି କରିଥିବା ବିବୃତିରେ ଉଲ୍ଲେଖ କରିଥିଲା, ଅନେକ ଆମେରିକୀୟ ସେନା କର୍ମଚାରୀ ଏବଂ ସାଧାରଣ ନାଗରିକଙ୍କ ପ୍ରାଣନାଶ କରିଥିବା ଆବି ଗେଟ୍‌ ବିସ୍ଫୋରଣ ଗୋଟାଏ ଜଟିଳ ଆକ୍ରମଣ ବୋଲି ଆମେ ସୁନିଶ୍ଚିତ କରି କହୁଛୁ। ଆବି ଗେଟ୍‌ ଅଦୂରସ୍ଥ ବାରନ୍‌ ହୋଟେଲ୍‌ରେ କିଂବା ବାହାରେ ଅନ୍ୟୂନ ଆଉ ଏକ ବିସ୍ଫୋରଣ ଘଟିଥିବା କଥା ବି ଆମେ ସୁନିଶ୍ଚିତ କରି କହୁଛୁ। ଏ ସଂକ୍ରାନ୍ତରେ ଆମ ସଦ୍ୟତମ ସୂଚନା ଦେଇ ଚାଲିବୁ।

Leave a Reply

Your email address will not be published. Required fields are marked *