ରାଜନୀତିରାଜ୍ୟ

ପୌର ନିର୍ବାଚନ ପାଇଁ ଅଣ୍ଟା ଭିଡ଼ିବ ବିଜେଡି

ଭୁବନେଶ୍ବର : ପଞ୍ଚାୟତ ଓ ପୌର ନିର୍ବାଚନ କେବେ ହେବ ସେନେଇ ରାଜ୍ୟ ସରକାର କିଛି ସ୍ପଷ୍ଟ କରୁନାହାନ୍ତି। ହେଲେ ବିରୋଧୀ ବିଜେପି ଓ କଂଗ୍ରେସ ପୌର ନିର୍ବାଚନ ପାଇଁ ପ୍ରସ୍ତୁତି ଆରମ୍ଭ କଲେଣି। ରାଜଧାନୀର ବିଭିନ୍ନ ପ୍ରସଙ୍ଗକୁ ନେଇ ସରକାରଙ୍କୁ ଘେରିବା ସହ ସବୁ ଅବ୍ୟବସ୍ଥାରେ ସରକାରଙ୍କୁ ଟାଣୁଛନ୍ତି। ‌େତଣୁ ଏହାର କିପରି ମୁକାବିଲା କରାଯିବ, ପଞ୍ଚାୟତ କି ପୌର ନିର୍ବାଚନ ନେଇ ଯଦି ରାଜ୍ୟ ସରକାର କିଛି ନିଷ୍ପତ୍ତି ନିଅନ୍ତି ତେବେ କିପରି ୱାର୍ଡ ସ୍ତରରେ ଏବେଠୁ ପ୍ରସ୍ତୁତି କରାଯିବ; ସେନେଇ ପୁଙ୍ଖାନୁପୁଙ୍ଖ ଆଲୋଚନା ପାଇଁ ଶୁକ୍ରବାର ଭୁବନେଶ୍ବର ଜିଲ୍ଲା ବିଜେଡିର କାର୍ଯ୍ୟକାରିଣୀ ‌ବୈଠକ ବସିବ। ଭୁବନେଶ୍ବର ଜିଲ୍ଲା ସଭାପତି ତଥା ଭୁବନେଶ୍ବର ଉତ୍ତର ବିଧାୟକ ସୁଶାନ୍ତ ରାଉତଙ୍କ ଅଧ୍ୟକ୍ଷତାରେ ବସିବାକୁ ଥିବା ଏହି ବୈଠକରେ ଭୁବନେଶ୍ବର ସାଙ୍ଗଠନିକ ଜିଲ୍ଲା ପର୍ଯ୍ୟବେକ୍ଷକ ଦେବୀ ପ୍ରସାଦ ମିଶ୍ର, ପ୍ରମିଳା ମଲ୍ଲିକ, ଏକାମ୍ର ବିଧାୟକ ତଥା ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା, ବିଧାୟକ ଅନନ୍ତ ନାରାୟଣ ଜେନା, ଜିଲ୍ଲାର ଯୁବ, ଛାତ୍ର ଓ ଜିଲ୍ଲା କମିଟି ଉପସଭାପତି, ଉପଦେଷ୍ଟା, ସାଧାରଣ ସମ୍ପାଦକ ଓ ସମ୍ପାଦକ, ୱାର୍ଡ ସଭାପତି, ୧୧ ପଞ୍ଚାୟତର ସଭାପତି, ସମିତି ସଭ୍ୟମାନେ ଏହି ବୈଠକରେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ମିଳିଥିବା ସୂଚନା ଅନୁଯାୟୀ, ସୁଶାନ୍ତ ରାଉତ ଜିଲ୍ଲା ସଭାପତି ହେବା ପରେ ଏହା ଭୁବନେଶ୍ବର ଜିଲ୍ଲା ବିଜେଡିର ପ୍ରଥମ କାର୍ଯ୍ୟକାରିଣୀ ‌େବୖଠକ ହେବ। ଆଗକୁ ପଞ୍ଚାୟତ ନିର୍ବାଚନ ଆସୁଥିବାରୁ ଏହି ବୈଠକରେ ସବୁ ପଞ୍ଚାୟତର ବିଭିନ୍ନ ଉନ୍ନତିମୂଳକ କାର୍ଯ୍ୟ ନେଇ ସମୀକ୍ଷା ହେବ। ୧୧ ପଞ୍ଚାୟତର ସରପଞ୍ଚ, ସମିତି ସଭ୍ୟ ଓ ଆଗଧାଡ଼ିର କର୍ମୀମାନେ ସେମାନଙ୍କ ପଞ୍ଚାୟତ ପାଇଁ କ’ଣ କରିବାକୁ ଚାହୁଁଛନ୍ତି, କିପରି ବିରୋଧୀ ଦଳର ଅଧିକ କର୍ମୀଙ୍କୁ ବିଜେଡିର ସାମିଲ୍‌ କରାଯିବ ସେନେଇ ମତାମତ ନିଆଯିବ। ଖୁବ୍‌ ଶୀଘ୍ର ପଞ୍ଚାୟତ ସ୍ତରରେ କିଛି ଉଦ୍‌ଘାଟନୀ ଓ ଶିଳାନ୍ୟାସ କାର୍ଯ୍ୟକ୍ରମ କରିବା ନେଇ ମଧ୍ୟ ଆଲୋଚନା ହୋଇପାରେ। ଏହାବାଦ୍ ଏବେ ସବୁ ୱାର୍ଡରେ କର୍ପୋରେଟର ଆଶାୟୀ ବଢ଼ି ଚାଲିଥିବାରୁ ବିଜେଡି ପାଇଁ ଅଡ଼ୁଆ ବଢ଼ିବାରେ ଲାଗିଛି। ବିଧାୟକମାନେ ୱାର୍ଡସ୍ତରରେ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେଲେ କାହାକୁ ସାଙ୍ଗରେ ନେବେ, କାହାକୁ ଛାଡ଼ିବେ ସେନେଇ ଦ୍ବନ୍ଦ୍ବରେ ପଡ଼ୁଛନ୍ତି।

Leave a Reply

Your email address will not be published. Required fields are marked *