ମହାନଗରରାଜ୍ୟ

ଜୁଲାଇ ୩୧ ସୁଦ୍ଧା ଶତପ୍ରତିଶତ ଟିକାକରଣ : କମିସନର

ଭୁବନେଶ୍ବର : କରୋନା ସଂକ୍ରମଣ ରୋକିବା ଲାଗି ବିଏମ୍‌ସି କଠୋର ହୋଇଛି। ନିର୍ଦ୍ଦିଷ୍ଟ ସ୍ଥାନରେ ସଂକ୍ରମଣ ସଂଖ୍ୟା ବଢ଼ିବା ପରେ କଣ୍ଟେନ୍‌ମେଣ୍ଟ ଜୋନ୍‌ କରିବା ସହ ଏନ୍‌ଫୋର୍ସମେଣ୍ଟ ମଧ୍ୟ ନିୟମିତ ହେଉଥିବା ସୂଚନା ଦେଇଛନ୍ତି ବିଏମ୍‌ସି କମିସନର ସଞ୍ଜୟ ସିଂହ। ସେ କହିଛନ୍ତି, ଡବଲ୍‌ ଡୋଜ୍‌ ନେବା ପରେ ବି ଲୋକେ ସଂକ୍ରମିତ ହେଉଥିବା ନଜରକୁ ଆସୁଛି। କିନ୍ତୁ ବିପଦ ହେଉନାହିଁ। ସେମାନଙ୍କ ଦ୍ବାରା ଅନ୍ୟମାନେ ସଂକ୍ରମିତ ହେବା ଆଶଙ୍କା ରହିଛି। ସେଥିପାଇଁ ସେମାନେ କୋଭିଡ୍‌ ନିୟମ ମାନିବା ଜରୁରି ହୋଇଛି। ଭୁବନେଶ୍ବରରେ ପାଖାପାଖି ୬ଲକ୍ଷରୁ ଊର୍ଦ୍ଧ୍ବ ଲୋକ ଦ୍ବିତୀୟ ଡୋଜ୍‌ ଟିକା ନେଇ ସାରିଲେଣି। ଏବେ ବିଭିନ୍ନ ବର୍ଗର ଲୋକଙ୍କୁ ସ୍ତରୱାରୀ ଟିକାକରଣ କରାଯାଉଛି। ସ୍ବାସ୍ଥ୍ୟକର୍ମୀ, ସମ୍ମୁଖଯୋଦ୍ଧା, ୪୫ବର୍ଷରୁ ଊର୍ଦ୍ଧ୍ବ ବୟସ ବର୍ଗ ସମେତ ଗର୍ଭବତୀଙ୍କୁ ଚିହ୍ନଟ କରି ଟିକାକରଣ ପାଇଁ ବ୍ୟବସ୍ଥା ହୋଇଛି। ଜୁଲାଇ ୩୧ ତାରିଖ ସୁଦ୍ଧା ସମସ୍ତଙ୍କୁ ଟିକାକରଣ ପାଇଁ ଲକ୍ଷ୍ୟ ରଖାଯାଇଥିବା ଶ୍ରୀ ସିଂହ ସୂଚନା ଦେଇଛନ୍ତି। ଭୁବନେଶ୍ବରରେ ସଂକ୍ରମିତଙ୍କ ସଂଖ୍ୟା କମୁଛି ବୋଲି ସେ ସୂଚନା ଦେଇଛନ୍ତି। ସଂକ୍ରମିତଙ୍କ ମଧ୍ୟରୁ ଦିନକୁ ପ୍ରାୟ ୨୦ ଜଣ ମେଡିକାଲରେ ଭର୍ତ୍ତି ହେଉଛନ୍ତି। ଏହି ୨୦ ଜଣଙ୍କ ମଧ୍ୟରୁ ଜିଲ୍ଲା ବାହାରୁ ରେଫରାଲ ରୋଗୀ ମଧ୍ୟ ରହିଛନ୍ତି। ଭୁବନେଶ୍ବରରେ ସଂକ୍ରମିତଙ୍କ ସଂଖ୍ୟା କମାଇବା ପାଇଁ ବିଏମ୍‌ସି ଉଦ୍ୟମ ଅବ୍ୟାହତ ରଖିଛି। କଣ୍ଟାକ୍ଟ ଟ୍ରେସିଂ ନିୟମିତ ହେଉଥିବା ବେଳେ ଏନ୍‌ଫୋର୍ସମେଣ୍ଟ ମଧ୍ୟ ନିୟମିତ ଚାଲିଛି। ସଂକ୍ରମିତଙ୍କ ସଂଖ୍ୟା ବଢ଼ିବା ମାତ୍ରେ ହିଁ କଣ୍ଟେନ୍‌ମେଣ୍ଟ ଜୋନ୍‌ ଘୋଷଣା କରାଯାଇ ସଂକ୍ରମଣ ଉପରେ ରୋକ୍‌ ଲଗାଯାଉଛି। ବ୍ୟବସାୟୀ କୋଭିଡ୍‌ କଟକଣାକୁ ଅଣଦେଖା କଲେ ତୁରନ୍ତ ବ୍ୟବସାୟିକ ପ୍ରତିଷ୍ଠାନ ସିଲ୍‌ କରାଯାଉଛି। ତେବେ ଡବଲ ଡୋଜ୍‌ ଟିକା ନେବା ପରେ ସେମାନେ ବାହକ ହୋଇପାରନ୍ତି। ଯେଉଁମାନେ ଟିକା ନେଇ ନାହାନ୍ତି, ସେମାନଙ୍କ ପାଇଁ ଏମାନେ ବିପଦ ଆଣି ପାରନ୍ତି। ଏଣୁ ଜନସାଧାରଣ କଟକଣା ମାନିବା ନିତାନ୍ତ ଜରୁରି ବୋଲି ସେ କହିଛନ୍ତି।

Leave a Reply

Your email address will not be published. Required fields are marked *