ଦେଶ- ବିଦେଶ

ୟୁପି ଓ କେନ୍ଦ୍ର ସରକାରଙ୍କୁ ସୁପ୍ରିମକୋର୍ଟଙ୍କ ନୋଟିସ୍

ନୂଆଦିଲ୍ଲୀ : କରୋନା ସଙ୍କଟ ସମୟରେ କାଉଡି ଯାତ୍ରାକୁ କଣ ପାଇଁ ଅନୁମତି ଦେଲେ ? କେନ୍ଦ୍ର ଓ ଉତ୍ତର ପ୍ରଦେଶ ସରକାରଙ୍କୁ ଏମିତି ପ୍ରଶ୍ନ କରି ନୋଟିସ୍ ଜାରି କରିଛନ୍ତି ସର୍ବୋଚ୍ଚ ନ୍ୟାୟାଳୟ। ସୁପ୍ରିମକୋର୍ଟ ଉଭୟ ସରକାରଙ୍କୁ କାଉଡି ଯାତ୍ରାକୁ ଅନୁମତି ଦେବା ନେଇ ଜବାବ ଲୋଡିଛନ୍ତି। ଏହି ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ ଅଦାଲତ ଶୁକ୍ରବାର ଧାର୍ଯ୍ୟ କରିଛନ୍ତି। ବିଚାରପତି ଆର.ଏଫ. ନରିମମଙ୍କ ପୀଠ ଏହି ମାମଲାରେ ନିଜ ଆଡୁ ହସ୍ତକ୍ଷେପ  କରି କେନ୍ଦ୍ର ଓ ଉତ୍ତର ପ୍ରଦେଶ ସରକାରଙ୍କୁ ନୋଟିସ୍ ଜାରି କରିଛନ୍ତି। ବିଚାରପତି ଆରଏଫ ନରିମମ ମାମଲାର ଶୁଣାଣି କରି କହିଛନ୍ତି ଯେ, କାଉଡି ଯାତ୍ରାକୁ ଅନୁମତି ଦିଆଯିବା ଖବର ପଢିଛି। ଉତ୍ତର ପ୍ରଦେଶ ସରକାର ବୋଲବମ ଯାତ୍ରାକୁ ଅନୁମତି ଦେଇଥିବା ବେଳେ ଉତ୍ତରାଖଣ୍ଡ ସରକାର ଏହା ଉପରେ ରୋକ୍ ଲଗାଇଛନ୍ତି। ଖଣ୍ଡପୀଠ କହିଛନ୍ତି, ଗୋଟିଏ ପଟେ ନରେନ୍ଦ୍ର ମୋଦୀ ସରକାର କରୋନା ମୁକାବିଲା ପାଇଁ ସତର୍କ ରହିବା ସହ କଟକଣା ଲଗାଇବା କଥା କହୁଥିବା ବେଳେ ଅନ୍ୟପଟେ ୟୁପି ସରକାର କାଉଡି ଯାତ୍ରାକୁ ମଞ୍ଜୁରୀ ଦେଇଛନ୍ତି। ସର୍ବୋଚ୍ଚ ନ୍ୟାୟାଳୟ ଏହି ମାମଲାରେ ଉତ୍ତର ପ୍ରଦେଶ, ଉତ୍ତରାଖଣ୍ଡ ଓ କେନ୍ଦ୍ର ସରକାରଙ୍କୁ ଶୁକ୍ରବାର ସକାଳ ସୁଦ୍ଧା ଜବାବ ମାଗିଛନ୍ତି। ଜୁଲାଇ ୨୫ରୁ କାଉଡି ଯାତ୍ରା ଆରମ୍ଭ ହେବାକୁ ଯାଉଛି। ତେଣୁ ଏହି ଗୁରୁତ୍ଵପୂର୍ଣ୍ଣ ମାମଲାର ଶୀଘ୍ର ଶୁଣାଣି ହେବା ଦରକାର ବୋଲି ବିଚାରପତି କହିଛନ୍ତି। ସୂଚନାଯୋଗ୍ୟ, ଉତ୍ତରାଖଣ୍ଡ ସରକାର କରୋନା ସଙ୍କଟକୁ ଦୃଷ୍ଟିରେ ରଖି କାଉଡି ଯାତ୍ରା ବନ୍ଦ ରଖିବାକୁ ନିଷ୍ପତ୍ତି ନେଇଛନ୍ତି। କିନ୍ତୁ ଉତ୍ତର ପ୍ରଦେଶ ସରକାର କିଛି ନିୟମ ସହ ଏହାକୁ ଅନୁମତି ଦେଇଛନ୍ତି। ଲମ୍ବା ସମୟ ଧରି ବିଚାର ବିମର୍ଶ ପରେ ମଙ୍ଗଳବାର ଉତ୍ତରାଖଣ୍ଡ ସରକାର କାଉଡି ଯାତ୍ରା ଉପରେ ରୋକ୍ ଲଗାଇବାକୁ ନିଷ୍ପତ୍ତି ନେଇଥିଲେ। ଫଳରେ ଗତ ବର୍ଷ ପରି ଏଥର ମଧ୍ୟ କାଉଡି ଯାତ୍ରା ହୋଇ ପାରିବ ନାହିଁ। ଉଲ୍ଲେଖନୀୟ ଆଇଏମଏର ଉତ୍ତରାଖଣ୍ଡ ୟୁନିଟ୍ କାଉଡି ଯାତ୍ରାକୁ ବିରୋଧ କରିଥିଲେ।

Leave a Reply

Your email address will not be published. Required fields are marked *