ଦେଶ- ବିଦେଶ

ଅଶ୍ଵିନୀ ବୈଷ୍ଣବଙ୍କୁ ପ୍ରଶଂସାରେ ପୋତିଲେ ପୂର୍ବତନ ଆଇଟି ମନ୍ତ୍ରୀ ରବିଶଙ୍କର

ନୂଆଦିଲ୍ଲୀ : ନୂତନ ରୂପେ ନିଯୁକ୍ତ ହୋଇଥିବା ସଞ୍ଚାର ଏବଂ ସୂଚନା ପ୍ରଯୁକ୍ତିବିଦ୍ୟା ଅଶ୍ଵିନୀ ବୈଷ୍ଣବଙ୍କୁ ପ୍ରଶଂସାରେ ପୋତିଛନ୍ତି ପୂର୍ବତନ କେନ୍ଦ୍ର ମନ୍ତ୍ରୀ ରବିଶଙ୍କର ପ୍ରସାଦ। ମାଇକ୍ରୋବ୍ଲଗିଂ ସାଇଟ୍ ଟୁଇଟର୍ ପ୍ରତି ବୈଷ୍ଣବଙ୍କ କଠୋର ଆଭିମୁଖ୍ୟକୁ ବେଶ୍ ପ୍ରଶଂସା କରିଛନ୍ତି ରବିଶଙ୍କର। କେନ୍ଦ୍ର ସରକାରଙ୍କ ନୂଆ ଆଇଟି ନିୟମକୁ ନେଇ ନିଜର ସ୍ପଷ୍ଟ ଆଭିମୁଖ୍ୟ ପାଇଁ ଅଶ୍ଵିନୀଙ୍କୁ ସେ ଧନ୍ୟବାଦ ଦେଇଛନ୍ତି। ସୂଚନାଯୋଗ୍ୟ କ୍ୟାବିନେଟ୍ ସଂପ୍ରସାରଣ ପୂର୍ବରୁ ରବି ଶଙ୍କର ପ୍ରସାଦ ଏହି ମନ୍ତ୍ରଣାଳୟ ଦାୟିତ୍ଵରେ ଥିଲେ। ରବିଶଙ୍କର ପ୍ରସାଦ ସୋମବାର ଟୁଇଟ୍ କରି କହିଛନ୍ତି ଯେ, ନୂତନ ଆଇଟି ମନ୍ତ୍ରୀ ଅଶ୍ଵିନୀ ବୈଷ୍ଣବଙ୍କୁ ନୂଆ ଆଇଟି ନିୟମରେ ଅଡି ରହିବା ପାଇଁ ଧନ୍ୟବାଦ। ସେ ସ୍ପଷ୍ଟ କରିଛନ୍ତି ଯେ, ନୂତନ ଆଇନ ୟୁଜର୍ସଙ୍କ ସୁରକ୍ଷା ପାଇଁ ତିଆରି କରାଯାଇଛି, ଯଦ୍ଵାରା କେହି ବି ଏହାର ଦୁରୁପଯୋଗ କରି ପାରିବେ ନାହିଁ। ଏଥିସହ ଉପଯୋଗକାରୀଙ୍କ ଅଭିଯୋଗ ନିବାରଣ ମଧ୍ୟ ହୋଇ ପାରିବ। କେନ୍ଦ୍ର ସରକାରଙ୍କ କଡା ଆଭିମୁଖ୍ୟ ପରେ ଟୁଇଟର୍ ମଧ୍ୟ ନୂଆ ଆଇନ ପାଳନ ପାଇଁ କିଛି ପଦକ୍ଷେପ ଉଠାଇଛି। ଏଥିସହିତ ନୂତନ ଅଭିଯୋଗ ନିବାରଣ ଅଧିକାରୀ ନିଯୁକ୍ତ ମଧ୍ୟ କରିଛି । ସୂଚନା ଥାଉ କି, ଆଇଟି ମନ୍ତ୍ରଣାଳୟ ପଦଭାର ଗ୍ରହଣ କରିବାର ପରେ ଅଶ୍ଵିନୀ ବୈଷ୍ଣବ କହିଥିଲେ ଯେ, ଭାରତରେ ରହୁଥିବା ଏବଂ କାମ କରୁଥିବା ଲୋକଙ୍କୁ ଦେଶର ନିୟନ ପାଳନ କରିବାକୁ ପଡିବ। ଟୁଇଟର୍ ପକ୍ଷରୁ ନୂତନ ଆଇଟି ନିୟମ ପାଳନ କରାନଯିବା ପ୍ରଶ୍ନ ଉପରେ ବୈଷ୍ଣବ କହିଥିଲେ, ଯେ କେହି ବି ଭାରତରେ ରହିବ ଏବଂ କାମ କରିବ ତେବେ ଦେଶର ନିୟମ ପାଳନ କରିବାକୁ ପଡିବ। ଏଥିସହ ସେ ନିକଟରେ ସ୍ୱଦେଶୀ ଆପ୍ କୁ’ ରେ ଆକାଉଣ୍ଟ ଖୋଲିଛନ୍ତି ।

Leave a Reply

Your email address will not be published. Required fields are marked *