ରାଜ୍ୟ

ରାଜ୍ୟ ସରକାର ଦାଖଲ କରିବେ କୋଭିଡ୍ ମୃତ୍ୟୁର ପ୍ରକୃତ ତଥ୍ୟ, ନିର୍ଦ୍ଦେଶ ଦେଲେ ହାଇକୋର୍ଟ

ଭୁବନେଶ୍ୱର : ରାଜ୍ୟରେ କୋଭିଡ୍ ମୃତ୍ୟୁକୁ ନେଇ ବହୁ କଳ୍ପନାଜଳ୍ପନା ପ୍ରକାଶ ପାଇଥିଲା । ସରକାରୀ ତଥ୍ୟ, ଶ୍ମଶାନ ମୃତ୍ୟୁ ସଂଖ୍ୟା, ମୃତ୍ୟୁ ସାର୍ଟିଫିକେଟକୁ ତର୍ଜମା କଲେ କରୋନା ମୃତ୍ୟୁ ସଂଖ୍ୟାରେ କୌଣସି ତାଳମେଳ ରହୁନଥିଲା । ତେଣୁ ଏନେଇ ହାଇକୋର୍ଟରେ ଏକ ଜନସ୍ୱାର୍ଥ ମାମଲା ଦାୟର କରାଯାଇଥିଲା । ସରକାର ପ୍ରତ୍ୟେକ ଜିଲ୍ଲା ଭିତ୍ତିରେ କରୋନା ମୃତ୍ୟୁର ତଥ୍ୟ ହାଇକୋର୍ଟରେ ଦାଖଲ କରିବେ । ଏନେଇ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କୁ ସତ୍ୟପାଠ ଦାଖଲ ପାଇଁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ମୁଖ୍ୟ ବିଚାରପତି ଜଷ୍ଟିସ ଏସ.ମୁରଲୀଧର ଓ ଜଷ୍ଟିସ ସାବିତ୍ରୀ ରଥଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ ଆସନ୍ତା ୨୦ ତାରିଖକୁ ଧାର୍ଯ୍ୟ କରିଛନ୍ତି । ତେବେ କରୋନା ମୃତ୍ୟୁକୁ ନେଇ ହେଉଥିବା ଅଭିଯୋଗ ପାଇଁ ରାଜ୍ୟ ସରକାର ଜିଲ୍ଲାସ୍ତରରେ ଏଡିଏମ୍ ପାହ୍ୟାର ଜଣେ ଅଧିକାରୀଙ୍କ ଅଧ୍ୟକ୍ଷତାରେ ଏକ କମିଟି ଗଠନ କରିଥିବା କହିଥିଲେ । ତେବେ ପରବର୍ତ୍ତୀ ଶୁଣାଣି ପୂର୍ବରୁ ଏ ସମ୍ପର୍କିତ ସୁବିସ୍ତୃତ ତଥ୍ୟ ଦାଖଲ କରିବା ପାଇଁ ହାଇକୋର୍ଟ ରାଜ୍ୟ ସରକାରଙ୍କୁ କହିଛନ୍ତି । ସୂଚନାଯୋଗ୍ୟ ଯେ, ରାଜ୍ୟରେ କରୋନାରେ ପ୍ରାଣ ହରାଉଥିବା ଲୋକଙ୍କର ପ୍ରକୃତ ତଥ୍ୟ ପ୍ରକାଶ କରାଯାଉନାହିଁ ବୋଲି ଅଭିଯୋଗ କରି ଆଇନଜୀବୀ ନିଶିକାନ୍ତ ମିଶ୍ର ହାଇକୋର୍ଟରେ ଗତ ଜୁନ୍ ମାସ ୨୩ ତାରିଖରେ ହାଇକୋର୍ଟରେ ଏକ ଜନସ୍ୱାର୍ଥ ମାମଲା ଦାୟର କରିଥିଲେ ।

Leave a Reply

Your email address will not be published. Required fields are marked *