ମହାନଗରରାଜ୍ୟ

ଡରାଇଲାଣି ଡେଙ୍ଗୁ, ସ୍ଥିତି ଅନୁଧ୍ୟାନ କଲେ ସ୍ବାସ୍ଥ୍ୟ ଟିମ୍‌

ଚନ୍ଦ୍ରଶେଖରପୁର: ରାଜଧାନୀରେ ମାଡ଼ି ଚାଲିଛି ଡେଙ୍ଗୁ। ଗୋଟିଏ ପରେ ଗୋଟିଏ ଅଞ୍ଚଳକୁ ବ୍ୟାପୁଥିବା ବେଳେ ଡେଙ୍ଗୁ ଓ କରୋନା ଲକ୍ଷଣ ନେଇ ଦ୍ବନ୍ଦ୍ବରେ ପଡ଼ିଛନ୍ତି ଅଞ୍ଚଳବାସୀ। ଏନେଇ ସୋମବାର ‘ସମ୍ବାଦ’ରେ ଖବର ପ୍ରକାଶ ପାଇବା ପରେ ଭୁବନେଶ୍ବର ମହାନଗର ନିଗମ (ବିଏମ୍‌ସି) ନିଦ ହଜିଯାଇଛି। ଡେଙ୍ଗୁ ସଂକ୍ରମଣକୁ କିଭଳି ରୋକା‌ ଯାଇପାରିବ, ସେନେଇ ବିଏମ୍‌ସି ଓ ସ୍ବାସ୍ଥ୍ୟ ବିଭାଗର ଅଧିକାରୀମାନେ ଆଜି ଦିନତମାମ ଘନଘନ କ୍ଷେତ୍ର ପରିଦର୍ଶନ କରିଛନ୍ତି। ଅତ୍ୟନ୍ତ ସମ୍ବେଦନଶୀଳ ଅଞ୍ଚଳ ଉତ୍ତର ଭୁବନେଶ୍ବର ନିର୍ବାଚନମଣ୍ଡଳୀର ନୀଳାଦ୍ରିବିହାର ଓ ଶୈଳଶ୍ରୀବିହାର ତଥା ବିଏମ୍‌ସିର ୭ ଓ ୧୪ ନମ୍ବର ୱାର୍ଡରେ ଅଧିକ ଆକ୍ରାନ୍ତ ବାହାରିଥିବାରୁ ସ୍ବାସ୍ଥ୍ୟ ବିଭାଗ ଟିମ୍‌ ସମ୍ପୃକ୍ତ ଅଞ୍ଚଳ ଗସ୍ତ କରିଛନ୍ତି। ନ୍ୟାସନାଲ ଭେକ୍ଟର ବର୍ଣ୍ଣ ଡିଜିଜ୍‌ କଣ୍ଟ୍ରୋଲ ପୋଗ୍ରାମ୍‌ ଦାୟିତ୍ବରେ ଥିବା ଏଣ୍ଟମୋବିଲାଜିଷ୍ଟ ଟିମ୍‌ ଉକ୍ତ ଅଞ୍ଚଳ ପରିଦର୍ଶନ କରିବା ସହ ସାଧାରଣ ଲୋକ ଓ ଗୋଷ୍ଠୀଙ୍କ ସହ ଆଲୋଚନା କରିଛନ୍ତି। ଲୋକଙ୍କ ସଚେତନତା ଅଭାବରୁ ଡେଙ୍ଗୁ ରୋଗ ବ୍ୟାପିଥିବା ନେଇ ଟିମ୍‌ ମତପ୍ରକାଶ କରିଛି। ଟିମ୍‌ କହିଛି ଯେ ଲୋକେ ଗାଈଗୋରୁ ଓ ଅନ୍ୟାନ୍ୟ ପଶୁଙ୍କୁ ଖାଦ୍ୟ, ପାନୀୟ ଦେବା ଲାଗି ପାତ୍ରରେ ପାଣି ରଖୁଛନ୍ତି। ଯାହାକି ବେଶି ଦିନ ରହିବା ଦ୍ବାରା ମଶାବଂଶ ବୃଦ୍ଧି ପାଇଛି। ଚାଳ ଉପରେ ଥିବା ଡବା, ଫୁଲକୁଣ୍ଡ ଓ ଟାୟାରରେ ଜମୁଥିବା ପାଣି ନିୟମିତ ପରିବର୍ତ୍ତନ ନ ହେବା ଦ୍ବାରା ସେଠାରେ ମଶା ଅଣ୍ଡା ଦେଉଥିବା ଟିମ୍‌ର ସଦସ୍ୟମାନେ ଅନୁଧ୍ୟାନ ବେ‌ଳେ ଦେଖିବାକୁ ପାଇଥିଲେ।

Leave a Reply

Your email address will not be published. Required fields are marked *