ଦେଶ- ବିଦେଶରାଜନୀତି

ତୀରଥଙ୍କ ଇସ୍ତଫା ପରେ ମମତାଙ୍କ ମୁଣ୍ଡରେ ଡେମୋକ୍ଲିସ୍ ଖଣ୍ଡା !

ନୂଆଦିଲ୍ଲୀ: ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ତୀରଥ ସିଂ ରାୱତଙ୍କ ଇସ୍ତଫା ପରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଅଡୁଆ ବଢିଛି । ମାତ୍ର ୧୧୫ ଦିନର ମୁଖ୍ୟମନ୍ତ୍ରୀତ୍ୱ ସମୟ ପରେ ତୀରଥ ଶୁକ୍ରବାର ମଧ୍ୟରାତ୍ରରେ ରାଜ୍ୟପାଳଙ୍କୁ ନିଜର ଇସ୍ତଫା ପତ୍ର ପ୍ରଦାନ କରିଥିଲେ । ତେବେ ତୀରଥଙ୍କ ଇସ୍ତଫା ସହିତ ଜାତୀୟ ରାଜନୀତିର ଘଣ୍ଟାକଣ୍ଟା ବର୍ତ୍ତମାନ ମମତାଙ୍କ ଆଡକୁ ମୋଡି ହୋଇଯାଇଛି । ତୀରଥ ସିଂ ରାୱତ ଉତ୍ତରାଖଣ୍ଡ ବିଧାନସଭାର ନିର୍ବାଚିତ ସଦସ୍ୟ ନଥିଲେ । ସମାନ ଭାବରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ମଧ୍ୟ ପଶ୍ଚିମବଙ୍ଗ ବିଧାନସଭାର ନିର୍ବାଚିତ ସଦସ୍ୟ ନୁହନ୍ତି । ଏହି ଘଟଣା ପରେ ମମତାଙ୍କ ନିଷ୍ପତ୍ତିକୁ ସମସ୍ତେ ଉତ୍ସୁକତାର ସହିତ ଅପେକ୍ଷା କରିଛନ୍ତି । ପଶ୍ଚିମବଙ୍ଗ ସାଧାରଣ ନିର୍ବାଚନରେ ମମତା ବାନାର୍ଜୀ ନିଜର ପୂର୍ବତନ ସହଯୋଗୀ ତଥା ବିଜେପି ପ୍ରାର୍ଥୀ ଶୁଭେନ୍ଦୁ ଅଧିକାରୀଙ୍କ ନିକଟରୁ ପରାଜିତ ହୋଇଥିଲେ । ନିୟମ ଅନୁଯାୟୀ ପରାଜିତ ସଦସ୍ୟ ୬ ମାସ ମଧ୍ୟରେ ପୁନଃ ନିର୍ବାଚିତ ହେବା ଉଚିତ୍ ।

ତେବେ କରୋନା ସମୟରେ ୪ ରାଜ୍ୟ ଓ ୨ କେନ୍ଦ୍ର ଶାସିତ ଅଞ୍ଚଳରେ ନିର୍ବାଚନ କରିବାକୁ ନେଇ ଉଭୟ ନିର୍ବାଚନ କମିଶନ ଓ କେନ୍ଦ୍ର ସରକାର ସମାଲୋଚନାର ଶିକାର ହୋଇଛନ୍ତି । ତୀରଥଙ୍କ ଇସ୍ତଫାକୁ ବିଜେପିର ରାଜନୈତିକ ଚାଲ୍ ବୋଲି ମଧ୍ୟ ବିବେଚନା କରାଯାଇପାରେ । ତୀରଥଙ୍କ ଇସ୍ତଫା ପରେ ଉପ ନିର୍ବାଚନ ଜରିଆରେ କ୍ଷମତା ବଜାୟ ରଖିବା ପାଇଁ ମମତାଙ୍କ ନିକଟରେ ନଭେମ୍ବର ୧୫ ପର୍ଯ୍ୟନ୍ତ ସୁଯୋଗ ରହିଛି । ତେବେ କରୋନାର ଭୟାବହତାକୁ ଦୃଷ୍ଟିରେ ରଖି ବର୍ତ୍ତମାନ ନିର୍ବାଜଚନ କରିବା ଅସମ୍ଭବ ମନେ ହେଉଛି । ଏପରି ସ୍ଥଳେ ମମତା ମୁଖ୍ୟମନ୍ତ୍ରୀ ପଦରୁ ଓହରି ନିଜର ଅନୁଗତଙ୍କୁ ଉକ୍ତ ଆସନରେ ବସାଇବା ପ୍ରାୟ ନିଶ୍ଚିତ ମନେ ହେଉଛି । ନନ୍ଦିଗ୍ରାମରୁ ନିଜର ନିକଟତମ ପ୍ରତିଦ୍ୱନ୍ଦୀ ଶୁଭେନ୍ଦୁ ଅଧିକାରୀଙ୍କ ଠାରୁ ୧୯୫୬ ଭୋଟରେ ପରାଜିତ ହୋଇଥିଲେ । ଏହି ନିର୍ବାଚନୀ ରାୟ ବିରୋଧରେ ମମତା କୋର୍ଟଙ୍କ ଦ୍ୱାରସ୍ଥ ମଧ୍ୟ ହୋଇଛନ୍ତି ।

Leave a Reply

Your email address will not be published. Required fields are marked *