ରାଜ୍ୟ

ରଥଯାତ୍ରା ଦେଖିବା ସମ୍ପର୍କରେ ବଦଳିଲା ନିଷ୍ପତ୍ତି, ଲାଗୁହେଲା କଟକଣା

ଭୁବନେଶ୍ୱର : ଚଳିତ ବର୍ଷ କରୋନା କାଳରେ ଅନୁଷ୍ଠିତ ହେବାକୁ ଯାଉଥିବା ରଥଯାତ୍ରା ପାଇଁ ନୂଆ କଟକଣା ଲାଗୁ କରାଯାଇଛି । ମହାପ୍ରଭୁଙ୍କ ରଥଯାତ୍ରାକୁ ଭକ୍ତମାନେ ଛାତ ଉପରେ ଦେଖିପାରିବେ ନାହିଁ । ଶ୍ରଦ୍ଧାଳୁମାନେ ରଥଯାତ୍ରା ସମୟରେ ଘରେ ରହିବାକୁ କୁହାଯାଇଛି । ପୁରୀ ବଡ଼ଦାଣ୍ଡରେ ଥିବା ସମସ୍ତ ହୋଟେଲକୁ ସର୍ଭେ କରି ଖାଲି କରାଯିବ । ପୁରୀ ସହରରେ ରଥଯାତ୍ରା ବେଳେ କର୍ଫ୍ୟୁ ବଳବତ୍ତର ରହିବା ସହ ରାଥଯାତ୍ରାର ପୂର୍ବ ରାତି ଓ ପରଦିନ ଅପରାହ୍ନ ପର୍ଯ୍ୟନ୍ତ ଏହି କର୍ଫ୍ୟୁ ଜାରି ରହିବ ବୋଲି ଜିଲ୍ଲା ପ୍ରଶାସନ ପକ୍ଷରୁ କୁହାଯାଇଛି । ତେବେ ରଥଯାତ୍ରା ସହ ବାହୁଡ଼ା ଯାତ୍ରା ବେଳେ ମଧ୍ୟ କଟକଣା ଲାଗୁ କରିବାକୁ ପ୍ରଶାସନ ପ୍ରସ୍ତୁତି ଚଳାଇଛି । ଆଗାମୀ ଦୁଇଦିନ ମଧ୍ୟରେ ଏନେଇ ସବିଶେଷ ତଥ୍ୟ ପ୍ରଦାନ କରାଯିବ । ଆସନ୍ତା ୧୨ ତାରିଖରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ବିଶ୍ୱପ୍ରସିଦ୍ଧ ରଥଯାତ୍ରା ପଡ଼ୁଥିବାରୁ ଏହାକୁ ନେଇ ସ୍ୱତନ୍ତ୍ର ଏସଓପି ଲାଗୁ କରାଯିବ । ଚଳିତ ବର୍ଷ ବିନା ଭକ୍ତରେ ରଥଯାତ୍ରା ଅନୁଷ୍ଠିତ ହେବାକୁ ଥିବାରୁ ରଥଯାତ୍ରାରେ ସାମିଲ ହେବାକୁ ଥିବା ସେବାୟତ, ପୋଲିସ ଓ ପ୍ରଶାସନିକ କର୍ମଚାରୀଙ୍କ କୋଭିଡ୍ ଟେଷ୍ଟ କରାଯିବ ବୋଲି ପ୍ରଶାସନ ପକ୍ଷରୁ କୁହାଯାଇଛି ।

Leave a Reply

Your email address will not be published. Required fields are marked *