ଦେଶ- ବିଦେଶ

କୋଭାକ୍ସିନ୍‌ର ତୃତୀୟ ପର୍ଯ୍ୟାୟ ଟ୍ରାଏଲ ରିପୋର୍ଟ ଜାରି

ନୂଆଦିଲ୍ଲୀ : ଭାରତୀୟ ବାୟୋଟିକ୍‌ ନିର୍ମିତ କୋଭାକ୍ସିନ୍‌ର ଫେଜ୍‌-୩ ଟ୍ରାଏଲର ଫାଇନାଲ ଆନାଲାସିସ୍‌ ରିପୋର୍ଟ ଅଫିସିଆଲି ଜାରି କରାଯାଇଛି। ରିପୋର୍ଟ ମୁତାବକ, କୋଭାକ୍ସିନ୍‌ ଟିକା ଭାଇରସ୍‌ ବିରୋଧରେ ୭୭.୮ ପ୍ରତିଶତ ପ୍ରଭାବୀ। ଏଥିସହ କରୋନା ଭାଇରସ୍‌ର ଡେଲ୍‌ଟା ଭାରିଏଣ୍ଟ ସହ ଲଢ଼ିବା ପାଇଁ ଏହା ୬୫.୨ ପ୍ରତିଶତ ପ୍ରଭାବୀ ବୋଲି ଜଣାଯାଇଛି।ସେହିପରି କରୋନା ଭାଇରସ୍‌ର ଗମ୍ଭୀର ସଂକ୍ରମଣ ବିରୋଧରେ ଏହା ୯୩.୪ ପ୍ରତିଶତ ପ୍ରଭାବୀ ବୋଲି ରିସର୍ଚ୍ଚରୁ ଜଣାଯାଇଛି। କୋଭାକ୍ସିନ୍‌ ହାଲ୍‌କା ଓ ଗମ୍ଭୀର କୋଭିଡ୍‌-୧୯ ମାମଲାରେ ୭୮ ପ୍ରତିଶତ ପ୍ରଭାବଶାଳୀ ବୋଲି ପ୍ରମାଣିତ ହୋଇଛି। ଆସିମ୍ପଟମେଟିକ୍‌ କେସ୍‌ରେ ଏହା ୬୩ ପ୍ରତିଶତ ପ୍ରଭାବୀ। କମ୍ପାନୀ ତରଫରୁ କୁହାଯାଇଛି, ଟ୍ରାଏଲରେ ୧୮ରୁ ୯୮ ବର୍ଷର ୨୫,୮୦୦ ଭଲ୍ୟୁଣ୍ଟିୟରଙ୍କୁ ସାମିଲ କରାଯାଇଥିଲା। ଏହି ପରୀକ୍ଷଣ ଦେଶର ୨୫ଟି ସ୍ଥାନରେ କରାଯାଇଛି। ଟ୍ରାଏଲରେ ଅଂଶଗ୍ରହଣ କରିଥିବା ଭଲ୍ୟୁଣ୍ଟିୟର୍ସକୁ ଉଭୟ ଡୋଜ୍‌ ଦିଆଯିବା ପରେ ପ୍ରାୟ ୨ ସପ୍ତାହ ପର୍ଯ୍ୟନ୍ତ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଉପରେ ନଜର ରଖାଯାଇଥିଲା। ଭାରତ ବାୟୋଟେକ୍‌ କିଛି ସମୟ ପୂର୍ବରୁ ମେଡ୍‌ ଇନ୍‌ ଇଣ୍ଡିଆ କୋଭିଡ୍‌-୧୯ ଭ୍ୟାକ୍‌ସିନ୍‌ର ତୃତୀୟ ପର୍ଯ୍ୟାୟ ଟ୍ରାଏଲ ଡାଟା ଡିସିଜିଆଇଙ୍କୁ ହସ୍ତାନ୍ତର କରିଛନ୍ତି। ଏହା ପୂର୍ବରୁ ଡିସିଜିଆଇ କୋଭାକ୍ସିନ୍‌ର ପ୍ରଥମ ଓ ଦ୍ୱିତୀୟ ପର୍ଯ୍ୟାୟ ଟ୍ରାଏଲ ଡାଟା ଆଧାରରେ ଭାରତରେ ଜାନୁଆରୀ ମାସରେ ଜରୁରୀକାଳୀନ ସ୍ଥିତିରେ ବ୍ୟବହାର କରିବାକୁ ଅନୁମତି ଦେଇଥିଲେ।

Leave a Reply

Your email address will not be published. Required fields are marked *