ମହାନଗରରାଜ୍ୟ

ଶ୍ରେଣୀଗୃହରେ ଶିକ୍ଷାଦାନ ଦାବିରେ ଏଆଇଏସଏଫର ବିକ୍ଷୋଭ

ଭୁବନେଶ୍ୱର : ଅଖିଳ ଭାରତ ଛାତ୍ର ସଂଘ (ଏଆଇଏସ୍ଏଫ୍) ଆହ୍ୱାନରେ ସୋମବାର ମାଷ୍ଟର କ୍ୟାଣ୍ଟିନ ଠାରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ବିଭିନ୍ନ ସ୍କୁଲ କଲେଜର ଛାତ୍ରଛାତ୍ରୀଙ୍କୁ ସରକାର ୟୁଟ୍ୟୁବ୍ ମାଧ୍ୟମରେ ଯେଉଁ ଶିକ୍ଷାଦାନର ଭେଳିକି ଆରମ୍ଭ କରିଛନ୍ତି,ସେଥିରେ ରାଜ୍ୟର ୭୦% ଛାତ୍ରଛାତ୍ରୀ ଅଧ୍ୟୟନରୁ ବଞ୍ଚିତ ହେଉଛନ୍ତି । ଏହି ୟୁଟ୍ୟୁବ୍ ଶିକ୍ଷାକୁ ବନ୍ଦ କରି ଅବିଳମ୍ବେ ଶ୍ରେଣୀଗୃହ ଶିକ୍ଷା ଦାନ ଆରମ୍ଭ ଦାବିରେ ଏହି ବିକ୍ଷୋଭ ଅନୁଷ୍ଠିତ ହୋଇଥିଲା । ଓଡ଼ିଶାରେ ଗତ ଜୁନ-୨୧ରୁ ସରକାର ଅନଲାଇନ୍/ ୟୁଟ୍ୟୁବ ମାଧ୍ୟମରେ ଶିକ୍ଷାଦାନ ଆରମ୍ଭ କରିଛନ୍ତି । ଯାହାକି ଧନୀ-ଗରିବ ଓ ଉନ୍ନତ-ଅବହେଳିତ ଅଞ୍ଚଳର ଛାତ୍ରଛାତ୍ରୀଙ୍କ ମଧ୍ରେ ତାରତମ୍ୟ ସୃଷ୍ଟି କରୁଛି । ସଂଖ୍ୟାଗରିଷ୍ଠ ଛାତ୍ରଛାତ୍ରୀଙ୍କ ପାଖରେ ଲାପଟପ୍ ଅଥବା ସ୍ମାର୍ଟ ଫୋନ ନାହିଁ । ଡାଟା ରିଚାର୍ଜର ଆର୍ଥକ ଦୁରାବସ୍ଥା ସହିତ ଗ୍ରାମାଞ୍ଚଳରେ ମୋବାଇଲ ଅଥବା ଇଣ୍ଟରନେଟର ସୁବିଧା ନଥିବାରୁ ହାରାହାରୀ ୭୦% ଛାତ୍ରଛାତ୍ରୀ ଶିକ୍ଷାରୁ ବଞ୍ଚିତ ହେଉଛନ୍ତି । ଅନଲାଇନ୍ ଶିକ୍ଷାଦାନରେ ଛାତ୍ରଛାତ୍ରୀଙ୍କ ମେଧାବୃଦ୍ଧି ହେଉନଥିବା ବେଳେ ଏହା କୋମଳମତି ଛାତ୍ରଛାତ୍ରୀଙ୍କ ଆଖି ଓ ମସ୍ତିଷ୍କ ଉପରେ ମଧ୍ୟ ଖରାପ ପ୍ରଭାବ ପକାଇଥାଏ । ଦେଶର ଅର୍ଥନୀତି ସୁଧାର ପାଇଁ ଶିଳ୍ପ, କଳ କାରଖାନା, ଶପିଂ ମଲ୍ ଓ ସିନେମା ହଲ୍ ଖୋଲିବା ପାଇଁ ସରକାର ଅନୁମତି ଦେଉଛନ୍ତି । ଏପରିକି ଘଷରାଇ କାର୍ଯ୍ୟକ୍ରମ ପାଇଁ ମଧ୍ୟ ୨୫ ଜଣଙ୍କୁ ଅନୁମତି ପ୍ରଦାନ କରାଯାଇଛି ।

ସମାନ ବ୍ୟବସ୍ଥାରେ ସାମାଜିକ ଦୂରତ୍ୱର ପାଳନ କରି ସ୍କୁଲ ଖୋଲିବାରେ ସରକାରଙ୍କ କୁଣ୍ଠା କାହିଁକି ବୋଲି ପ୍ରଶ୍ନ କରିଛନ୍ତି । ଏହା ସହିତ ଘରୋଇ ସ୍କୁଲ ମାନେ ଅନଲାଇନ୍ ଶିକ୍ଷା ନାଁରେୁ ଅଭିଭାବକଙ୍କୁ ଲୁଟିବା ଆରମ୍ଭ କରି ସାରିଲେଣି । ତେଣୁ ଅବିଳମ୍ୱେ ସ୍କୁଲ କଲେଜ କୋଭିଡ୍ କଟକଣା ଖୋଲାଯାଇ ଶ୍ରେଣୀଗୃହ ଶିକ୍ଷାଦାନ ୍ୱ୍ୟ୍ୱସ୍ଥା କରାଯାଉ, ନଚେତ୍ ସମସ୍ତଙ୍କୁ ମାଗଣାରେ ଲାପଟପ୍ ଓ ଡାଟା ସହ ସେମାନଙ୍କ ଅଞ୍ଚଳରେ ବିଦ୍ୟୁତ୍ ଓ ନେଟୱାର୍କର ସଂଯୋଗ କରିବା ପାଇଁ ଅଖିଳ ଭାରତ ଛାତ୍ରସଂଘ ପକ୍ଷରୁ ଦାବି କରାଯାଇଛି । ଶ୍ରେଣୀଗୃହ ଶିକ୍ଷା ଆରମ୍ଭ କରିବା ପାଇଁ ଏଆଇଏସଏଫ୍ ରାଜ୍ୟ କମିଟି ପକ୍ଷରୁ ଦାବି କରାଯାଇଛି । ଶ୍ରେଣୀଗୃହ ଶିକ୍ଷା ବ୍ୟବସ୍ଥା ଆରମ୍ଭ କରାନଗଲେ ଛାତ୍ର ଅଶାନ୍ତି ସୃଷ୍ଟି ହେବ ବୋଲି ଏଆଇଏସଏଫ ରାଜ୍ୟ ସଭାପତି ସଂଘମିତ୍ରା ଜେନା, ବିବେକ କ୍ରିଷ୍ଣା, ସସ୍ମିତା ଦାସ, ଅବିନାଶ ନାୟକ, ମାନସ ରଞ୍ଜନ କର, ଗୌରୀ କହଁର, ଶୁଭମ ପରମାଣିକ ପ୍ରମୁଖ ଚେତାବନୀ ଦେବା ସହିତ ବିକ୍ଷୋଭ ପ୍ରଦର୍ଶନ କରିଥିଲେ ।

Leave a Reply

Your email address will not be published. Required fields are marked *