ରାଜ୍ୟ

ଆସନ୍ତାକାଲି ସରିଯିବ ଟିକା : କେନ୍ଦ୍ରକୁ ଅତିରିକ୍ତ ୬ ଲକ୍ଷ ଡୋଜ୍ କୋଭିସିଲ୍ଡ ମାଗିଲା ଓଡ଼ିଶା

ଭୁବନେଶ୍ୱର : କରୋନାର ତୃତୀୟ ଲହରର ଓ ଡେଲଟା ପ୍ଲସ୍ ଭାରିଆଣ୍ଟକୁ ନେଇ ଜନସାଧାରଣ ଆଶଙ୍କା ମଧ୍ୟରେ ରହିଛନ୍ତି । ତେଣୁ କରୋନା ଟିକାକରଣର ସୁପରିଚାଳନା ନେଇ ରାଜ୍ୟ ସରକାର ଅନେକ ପଦକ୍ଷେପ ନେଉଛନ୍ତି । ଲୋକଙ୍କୁ ଟିକାକରଣର ସୁପ୍ରଭାବ ବିଷୟରେ ଉପଯୁକ୍ତ ସଚେତନତାର ଫଳସ୍ୱରୂପ ଆଜି ରାଜ୍ୟରେ ଟିକାକରଣ ଦ୍ରୁତଗତିରେ ଆଗେଇ ଚାଲିଛି । ତେବେ ବର୍ତ୍ତମାନ ରାଜ୍ୟରେ ଟିକା ଅଭାବ ହେଉଥିବାରୁ ରାଜ୍ୟ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡ. ହର୍ଷ ବର୍ଦ୍ଧନଙ୍କୁ ଚିଠି ଲେଖିଛନ୍ତି । ଶ୍ରୀ ଦାସ ଚିଠିରେ ଉଲ୍ଲେଖ କରିଛନ୍ତି ଯେ, ଗତ ଜାନୁଆରୀ ମାସ ୧୬ ତାରିଖରୁ ରାଜ୍ୟରେ ୧ କୋଟି ୧୪ ଲକ୍ଷ ଲୋକଙ୍କୁ ଟିକା ପ୍ରଦାନ କରାଯାଇଛି । ଚଳିତ ମାସ ୨୧ ତାରିଖଠାରୁ ରାଜ୍ୟରେ ଦୈନିକ ଆଭରେଜ୍ ୩ ଲକ୍ଷ ଲୋକଙ୍କର ଟିକାକରଣ କରାଯାଇଛି । ରାଜ୍ୟରେ ଦୈନିକ ୩.୫ ଲକ୍ଷ ଲୋକଙ୍କୁ ଟିକା ଦେବା ନିମନ୍ତେ ସୁବିଧା ରହିଛି । ଜୁନ୍ ମାସର ଦ୍ୱିତୀୟାର୍ଦ୍ଧରେ ରାଜ୍ୟକୁ କେନ୍ଦ୍ରରୁ ୧୩ ଲକ୍ଷ ୭୮ ହଜାର ୩୧୦ ଡୋଜ୍ କୋଭିସିଲ୍ଡ ଟିକା ଆସିଥିବା ବେଳେ ତାହା ବିଭିନ୍ନ ଜିଲ୍ଲାକୁ ବିତରଣ କରାଯାଇଛି । ଆଜି ସୁଦ୍ଧା ୩ ଲକ୍ଷ ୩୮ ହଜାର ଡୋଜ୍ କୋଭିସିଲ୍ଡ ଟିକା ମହଜୁଦ୍ ରହିଥିବା ଜଣାପଡ଼ିଛି । ତେବେ ଏପରି ସ୍ଥିତିରେ ଆସନ୍ତା ମଙ୍ଗଳବାରଠାରୁ ରାଜ୍ୟରେ ଆଉ ଟିକାକରଣ ଆଗେଇବା ସମ୍ଭବ ହେବ ନାହିଁ । ତେଣୁ ରାଜ୍ୟ ସ୍ୱାସ୍ଥ୍ୟ ମନ୍ତ୍ରୀ ଶ୍ରୀ ଦାସ ଚିଠିରେ କୋଭିସିଲ୍ଡର ଅତିରିକ୍ତ ୬ ଲକ୍ଷ ଡୋଜ୍ ପଠାଇବାକୁ ଅନୁରୋଧ କରିଛନ୍ତି । ଠିକ୍ ସମୟରେ ରାଜ୍ୟରେ ଟିକା ପହଞ୍ଚିପାରିଲେ ଜନସାଧାରଣ ଉପକୃତ ହୋଇପାରିବେ ବୋଲି ଶ୍ରୀ ଦାସ କହିଛନ୍ତି ।

Leave a Reply

Your email address will not be published. Required fields are marked *