ଦେଶ- ବିଦେଶ

ରାମ ମନ୍ଦିର ଜମି ଦୁର୍ନୀତି ମାମଲା: ପ୍ରଧାନମନ୍ତ୍ରୀଙ୍କ ହସ୍ତକ୍ଷେପ ଦାବି କଲା ଶିବସେନା

ନୂଆଦିଲ୍ଲୀ : ଅଯୋଧ୍ୟା ରାମ ମନ୍ଦିର ନିର୍ମାଣରେ  ହୋଇଥିବା ଜମି ଦୁର୍ନୀତିକୁ ନେଇ ଦେଶରେ ରାଜନୀତି ଜୋର ଧରିଛି। ଶିବସେନା ପକ୍ଷରୁ ଲଗାତାର କେନ୍ଦ୍ର ସରକାରଙ୍କ ପ୍ରତି ହମଲା ଜାରି ରହିଛି। ଏହି ମାମଲାରେ ଏବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ହସ୍ତକ୍ଷେପ ଦାବି କରିଛି  ଶିବସେନା। ଯଦି ମନ୍ଦିର ନିର୍ମାଣରେ ଦୁର୍ନୀତିର ଦାଗ ଲାଗିଛି ତେବେ ଖୋଦ୍ ପ୍ରଧାନମନ୍ତ୍ରୀଙ୍କୁ ଏଥିରେ ତୁରନ୍ତ ଦଖଲ ଦେବା ଉଚିତ୍ ବୋଲି ଶିବସେନା କହିଛି। ଶିବସେନାର ମୁଖପତ୍ର ‘ସାମ୍ନା’ରେ ମଙ୍ଗଳବାର କୁହାଯାଇଛି ଯେ, ରାମ ମନ୍ଦିର ନିର୍ମାଣର ପ୍ରକ୍ରିୟା ସଂପୂର୍ଣ୍ଣ ଭାବେ ପାରଦର୍ଶୀ ଏବଂ ସଚ୍ଚୋଟତାର ସହ ହେବା ଉଚିତ୍, କାରଣ ଏହା ରାଷ୍ଟ୍ରୀୟ ଗର୍ବର ବିଷୟ। ଆମ୍ ଆଦମୀ ପାର୍ଟିର ନେତା ସଞ୍ଜୟ ସିଂହ ପ୍ରଥମେ ଜମି ଦୁର୍ନୀତି ଅଭିଯୋଗ ଉଠାଇଥିଲେ। ଏହା ପୂର୍ବରୁ ସଞ୍ଜୟ ରାଉତ ସୋମବାର ଟ୍ରଷ୍ଟକୁ ମଧ୍ୟ କଠୋର ଶବ୍ଦରେ ସମାଲୋଚନା କରିଥିଲେ।

ଏହି ସବୁ ଅଭିଯୋଗକୁ ନେଇ ଆରଏସଏସ ପ୍ରମୁଖ ମୋହନ ଭାଗବତ, ମନ୍ଦିର ଟ୍ରଷ୍ଟ ଓ ଉତ୍ତର ପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ଲୋକଙ୍କ ସାମ୍ନାରେ ପୂରା ସତ୍ୟ ରଖିବା ଉଚିତ୍ ବୋଲି ରାଉତ କହିଥିଲେ। ଏବେ ଶିବସେନା ଏଥିରେ ସିଧାସଳଖ ପ୍ରଧାନମନ୍ତ୍ରୀଙ୍କ ହସ୍ତକ୍ଷେପ ଦାବି କରିଛି। ରାମ ମନ୍ଦିର ନିର୍ମାଣ ଓ ଏହାର ପ୍ରକ୍ରିୟା ସଂପୂର୍ଣ୍ଣ ପାରଦର୍ଶୀ ହେବା ଉଚିତ୍। କିନ୍ତୁ ଏହି ଅଭିଯୋଗ କେତେ ସତ ଏହି  ବିଷୟରେ ଖୁବ୍ ଶୀଘ୍ର ସତ୍ୟ ସାମ୍ନାକୁ ଆସିବା ଉଚିତ୍ ବୋଲି ବୋଲି ଶିବସେନା କହିଛି।

ଏହା ମଧ୍ୟରେ ବିଜେପି ମଧ୍ୟ ଶିବସେନା ଉପରେ ପାଲଟା ଆକ୍ରମଣ କରିଛି। ମୁମ୍ବାଇର ବିଜେପି  ବିଧାୟକ ଅତୁଲ ଭାଟଖଲକର ଶିବସେନାକୁ ଟାର୍ଗେଟ୍ କରି କହିଛନ୍ତି, ରାମ ଜନ୍ମଭୂମୀ ତୀର୍ଥ କ୍ଷେତ୍ର ଟେଷ୍ଟ ଉପରେ ଲଗାତାର ଅଭିଯୋଗ କରାଯାଉଛି। ଏହି ସବୁ ଅଭିଯୋଗ ଦେଶର କୋଟି କୋଟି ରାମ ଭକ୍ତଙ୍କ ଆସ୍ଥାକୁ ଆଘାତ ଦେଇଛି। ସଞ୍ଜୟ ରାଉତଙ୍କ ଟିପ୍ପଣୀ ଉପରେ ପ୍ରତିକ୍ରିୟା ଦେଇ ଭାଟଖଲକର କହିଛନ୍ତି, ଶିବସେନା ରାମ ମନ୍ଦିର ନିର୍ମାଣ ପାଇଁ ଏକ କୋଟି ଟଙ୍କା ଦାନ କରିଛି। ଚାହିଁଲେ ସେମାନେ ଏହି ଟଙ୍କାକୁ ନେଇ ପାରିବେ। ଲୋକେ ପୂରା ଆସ୍ଥା ଓ ବିଶ୍ଵାସର ସହ ରାମ ମନ୍ଦିର ପାଇଁ ଦାନ କରିଛନ୍ତି। ଯଦି ଶିବସେନାକୁ ଏଥିରେ ଭରସା ନାହିଁ ତେବେ ନିଜର ଏକ କୋଟି ଟଙ୍କା ପୁନର୍ବାର ନେଇ ପାରିବେ।

Leave a Reply

Your email address will not be published. Required fields are marked *