ରାଜ୍ୟ

ଛାତ୍ରଛାତ୍ରୀଙ୍କୁ ଆଗୁଆ ଟିକାକରଣ ହେଉ

ଭୁବନେଶ୍ୱର: କରୋନା କହର ସତ୍ତ୍ୱେ ଏବର୍ଷ ହୋଇପାରେ ୟୁଜି-ପିଜି ପରୀକ୍ଷା। ଏ ଦୁଇଟି ଯାକ ପରୀକ୍ଷା ପ୍ରାୟତଃ ଅନୁଷ୍ଠିତ କରାଯିବା ନେଇ ମନସ୍ଥ ହୋଇଥିବା ସୂଚନା ଦେଇଛନ୍ତି ଖୋଦ୍ ଉଚ୍ଚଶିକ୍ଷା ମନ୍ତ୍ରୀ। ତେବେ ଆସନ୍ତା ୧୮ ତାରିଖରେ ଏନେଇ ଚୂଡାନ୍ତ ନିଷ୍ପତ୍ତି ନିଆଯିବ। ଉଭୟ ମାଟ୍ରିକ ଓ ପ୍ଲସ-ଟୁ ପରୀକ୍ଷା ବାତିଲ୍ ପରେ ୟୁଜି-ପିଜି ପରୀକ୍ଷାକୁ ନେଇ ଦ୍ୱନ୍ଦ୍ୱ ସୃଷ୍ଟି ହୋଇଥିଲା। ଏଥିପାଇଁ ଆଜି ଭର୍ଚୁଆଲ୍ ମୋଡ୍‌ରେ କୁଳପତିମାନଙ୍କ ବୈଠକ ଡାକିଥିଲା ଉଚ୍ଚଶିକ୍ଷା ବିଭାଗ। ସେ ସମ୍ପର୍କରେ ଗଣମାଧ୍ୟମକୁ ସୂଚନା ଦେଇ ଉଚ୍ଚଶିକ୍ଷା ମନ୍ତ୍ରୀ କହିଛନ୍ତି-କୁଳପତି ସମ୍ମିଳନୀରେ ଏ ନେଇ ବିସ୍ତୃତ ଆଲୋଚନା ହୋଇଛି। ଯେହେତୁ ଅନଲାଇନ୍‌ରେ ସ୍ନାତକ ଓ ସ୍ନାତ୍ତୋକତ୍ତର ପାଠପଢ଼ା ଚାଲିଛି, ତେଣୁ ଜୁନ୍ ଶେଷ ସୁଦ୍ଧା କୋର୍ସ ସାରିବାକୁ ଲକ୍ଷ୍ୟ ରଖାଯାଇଛି। ଏମିତିକି ଗତବର୍ଷ କିଭଳି ପରୀକ୍ଷା ହୋଇଥିଲା ସେ ନେଇ ବି ସମ୍ମିଳନୀରେ ଆଲୋଚନା ହୋଇଛି। କୁଳପତିମାନେ ଏବର୍ଷର ପରୀକ୍ଷା ନେଇ ମୁଖ୍ୟତଃ ଛାତ୍ରଛାତ୍ରୀ ଓ କଲେଜ ଅଧ୍ୟକ୍ଷମାନଙ୍କ ସହ ଆଲୋଚନା କରିବେ। ୭ଦିନ ଭିତରେ ମତାମତ ସଂଗ୍ରହ କରିବା ପରେ ୧୮ ତାରିଖରେ ପରୀକ୍ଷା ସମ୍ପର୍କିତ ଚୂଡାନ୍ତ ନିଷ୍ପତ୍ତି ନିଆଯିବ। ତେବେ ଉପାନ୍ତ ଅଞ୍ଚଳର ପିଲା କେମିତି ଦେବେ ପରୀକ୍ଷା ? ଯେହେତୁ ଏହି ଅଞ୍ଚଳର ଛାତ୍ରଛାତ୍ରୀଙ୍କ ପାଇଁ କମ୍ପ୍ୟୁଟର, ଇଣ୍ଟରନେଟ୍ ଓ ଆଣ୍ଡ୍ରଏଡ୍ ମୋବାଇଲ୍ ସେଟ୍ ମୁଖ୍ୟ ସମସ୍ୟା ଭାବେ ଉଭା ହେବ। ସେଭଳି ସ୍ଥିତିରେ ସମ୍ପୂର୍ଣ୍ଣ ଅନ୍ ଲାଇନ୍ ପରୀକ୍ଷା ସମ୍ଭବ ହେବ ତ ? ନା ଗତବର୍ଷ ଭଳି ଅନଲାଇନ୍ ଓ ଅଫଲାଇନ୍ ଉଭୟ ମୋଡରେ ପରୀକ୍ଷା କରିବାକୁ ନିଷ୍ପତ୍ତି ନିଆଯିବ ? ତାକୁ ନେଇ ବଢିଛି ଛାତ୍ରଛାତ୍ରୀଙ୍କ ଆଶଙ୍କା।

Leave a Reply

Your email address will not be published. Required fields are marked *