ଦେଶ- ବିଦେଶ

ନୂଆ ଟିକାକରଣ ଗାଇଡ୍‌ଲାଇନ୍‌ ଜାରି କଲେ କେନ୍ଦ୍ର ସରକାର

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶର ସମସ୍ତ ରାଜ୍ୟଙ୍କୁ ମାଗଣାରେ କରୋନା ଟିକା ଯୋଗାଇ ଦିଆଯିବ ବୋଲି ସୋମବାର ଘୋଷଣା
କରିଥିଲେ । ଏହାର ଗୋଟିଏ ଦିନ ପରେ ଅର୍ଥାତ ମଙ୍ଗଳବାର କେନ୍ଦ୍ର ସରକାରଙ୍କ ପକ୍ଷରୁ ନୂଆ ଟିକାକରଣ ଗାଇଡ୍‌ଲାଇନ୍‌ ଜାରି କରାଯାଇଛି । ଏଥିରେ ଦର୍ଶାଯାଇଛି ଯେ, କେନ୍ଦ୍ର ସରକାରଙ୍କ ଟିକାକରଣ କାର୍ଯ୍ୟକ୍ରମ ବିଜ୍ଞାନସମ୍ମତ ପଦ୍ଧତି ଓ ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ (ଡବ୍ଲ୍ୟୁଏଚ୍‌ଓ) ଗାଇଡ୍‌ଲାଇନ୍‌କୁ ଆଧାର କରି କରାଯାଉଛି । ଜନସାଧାରଣ ଓ ରାଜ୍ୟ ସରକାରମାନଙ୍କ ସକ୍ରିୟ ସହଯୋଗ ରହିଲେ ଏହା ଫଳପ୍ରଦ ହୋଇପାରିବ ବୋଲି ଦର୍ଶାଯାଇଛି । ଭାରତର ପ୍ରତ୍ୟେକ ନାଗରିକଙ୍କୁ ଯେତେ ଶୀଘ୍ର ସମ୍ଭବ ଟିକାକରଣ କରିବାକୁ କେନ୍ଦ୍ର ସରକାର ପଦକ୍ଷେପ ନେଉଛନ୍ତି । ଏପରିକି ଟିକା ଉତ୍ପାଦନ ପ୍ରକ୍ରିୟା ତ୍ୱରାନ୍ୱିତ କରିବାକୁ ପଦକ୍ଷେପ ନିଆଯାଉଛି ବୋଲି ଦର୍ଶାଯାଇଛି । ପୂର୍ବରୁ ୪୫ତ୍କ ବର୍ଗର ଲୋକଙ୍କୁ କେନ୍ଦ୍ର ସରକାର ମାଗଣାରେ ଟିକା ଦେଉଥିବା ବେଳେ ଏବେ ଚଳିତ ମାସ ୨୧ ତାରିଖଠାରୁ ସବୁ ବର୍ଗର ଲୋକଙ୍କ ମାଗଣାରେ ଟିକାକରଣ କରାଯିବ । ଗାଇଡ୍‌ଲାଇନ୍‌ ଅନୁଯାୟୀ, କେନ୍ଦ୍ର ସରକାର କରୋନା ଟିକା ଉତ୍ପାଦନକାରୀ ସଂସ୍ଥା ଗୁଡ଼ିକଠାରୁ ସିଧାସଳଖ ନିଜର ୭୫% ଟିକା କିଣିବେ । ଏହା ପରେ ଏହାକୁ ମାଗଣାରେ ରାଜ୍ୟମାନଙ୍କୁ ଯୋଗାଇ ଦେବେ । ବାକି ୨୫% ଟିକା ଘରୋଇ ହସ୍ପିଟାଲଗୁଡ଼ିକ ସିଧାସଳଖ ଉତ୍ପାଦନକାରୀଙ୍କ ଠାରୁ କିଣିାରିବେ । ରାଜ୍ୟ ଗୁଡ଼ିକୁ ମାଗଣାରେ ଆସିବାକୁ ଥିବା ଏହି ଟିକାକୁ ପ୍ରାଥମିକତା ଭିତ୍ତିରେ ପ୍ରଥମେ ସ୍ୱାସ୍ଥ୍ୟକର୍ମୀ, ଏହାପରେ ସମ୍ମୁଖ ଯୋଦ୍ଧା, ଏହାପରେ ୪୫ ବର୍ଷରୁ ଊଦ୍ଧ୍ୱର୍ ବୟସର ବ୍ୟକ୍ତି, ପରେ ଯେଉଁମାନେ ଦ୍ୱିତୀୟ ଡୋଜ୍‌ ନେବାର ସମୟ ହୋଇଯାଇଥିବ ଏବଂ ଶେଷରେ ୧୮ ବର୍ଷ ବୟସରୁ ଊଦ୍ଧ୍ୱର୍ଙ୍କୁ ଯୋଗାଇ ଦିଆଯିବ ।

ରାଜ୍ୟଗୁଡ଼ିକର ଜନସଂଖ୍ୟା, କରୋନା ସଂକ୍ରମିତଙ୍କ ସଂଖ୍ୟା ଓ ଟିକା ଅପଚୟକୁ ଦେଖି ଟିକା ଯୋଗାଣ କରାଯିବ । ଯେଉଁ ରାଜ୍ୟରେ ଟିକାର ଅପଚୟ ଯେତେ କମ୍‌ ରହିବ ସେହି ରାଜ୍ୟମାନଙ୍କୁ ସେତେ ଅଧିକ ଟିକା ଯୋଗାଣ କରାଯିବ । ଟିକା ଅପଚୟ ଅଧିକ ହେଲେ ଟିକା ଯୋଗାଣ ହ୍ରାସ ପାଇବ । ରାଜ୍ୟଗୁଡ଼ିକର ଜନସଂଖ୍ୟାସହ ରୋଗୀଙ୍କ ଅନୁପାତ ଓ ଟିକାକରଣ ସ୍ଥିତିକୁ ଦେଖି କେନ୍ଦ୍ର ସରକାର ଟିକା ଦେବେ । ୧୮ ବର୍ଷରୁ ଅଧିକ ବୟସ୍କ କେଉଁମାନଙ୍କୁ ଅଗ୍ରାଧିକାର ଭିତ୍ତିରେ ଟିକା ଦିଆଯିବ,ସେ କଥା ରାଜ୍ୟ ସରକାର ସ୍ଥିର କରିବେ । ଘରୋଇ ଟିକା ଉତ୍ପାଦନକାରୀ ସଂସ୍ଥାଗୁଡ଼ିକ ସିଧାସଳଖ ପ୍ରାଇଭେଟ୍‌ ହସ୍ପିଟାଲକୁ ଟିକା ଯୋଗାଇ ଦେବେ । ହସ୍ପିଟାଲ୍‌ଗୁଡ଼ିକ ସର୍ଭିସ ଚାର୍ଜ ବାବଦରେ ୧୫୦ ଟଙ୍କା ନେବେ । ଟିକାର ମୂଲ୍ୟ ସହ ସର୍ଭିସ ଚାର୍ଜ ଯୋଡ଼ା ଯିବ । ରାଜ୍ୟଗୁଡ଼ିକୁ କେତେ ଟିକା ମିଳିବ, ସେକଥା କେନ୍ଦ୍ର ସରକାର ଆଗୁଆ ଅବଗତ କରିବେ । ରାଜ୍ୟଗୁଡ଼ିକ ମଧ୍ୟ ଜିଲ୍ଲାକୁ କେତେ ଟିକା ପଠାଇବେ, ସେକଥା ଆଗୁଆ ଜଣାଇବେ । କେଉଁ ଜିଲ୍ଲାରେ ଓ କେଉଁ ଟିକାକରଣ କେନ୍ଦ୍ରରେ କେତେ ପରିମାଣର ଟିକା ଉପଲବ୍ଧ ରହିଛି ସେକଥା ପବ୍ଲିକ ଡୋମେନ୍‌ରେ ରହିବ । କାହାର କେତେ ଆୟ ନ ଦେଖି ସମସ୍ତଙ୍କୁ ମାଗଣାରେ ଟିକା ଦିଆଯିବ । ଆର୍ଥିକ ସ୍ୱଚ୍ଛଳ ବର୍ଗର ଲୋକଙ୍କୁ ଘରୋଇ ହସ୍ପିଟାଲରେ ଟଙ୍କା ଦେଇ ଟିକା ନେବାକୁ ପ୍ରୋତ୍ସାହିତ କରାଯିବ । କୋ-ୱିନ ସହ ଅନ୍‌ସାଇଟ୍‌ ପଞ୍ଜୀକରଣ ବ୍ୟବସ୍ଥା ରହିବ । ପ୍ରି ବୁକିଂ ପାଇଁ କଲ ସେଣ୍ଟରର ବ୍ୟବସ୍ଥା କରାଯିବ ।

ସୋମବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଥିଲେ ଯେ, ୧୮ ବର୍ଷ ବୟସରୁ ଊଦ୍ଧ୍ୱର୍ ଦେଶର ସମସ୍ତ ଲୋକଙ୍କୁ କେନ୍ଦ୍ର ସରକାର ମାଗଣାରେ ଟିକା ଯୋଗାଇ
ଦେବେ ଓ ଏହି କାର୍ଯ୍ୟକ୍ରମ ଜୁନ ୨୧ ତାରିଖଠାରୁ ଆରମ୍ଭ ହେବ । ଟିକା ନଷ୍ଟ କରିବା ନେଇ କିଛି ରାଜ୍ୟ ସରକାର ଓ କେନ୍ଦ୍ର ମଧ୍ୟରେ କଥା କଟାକଟି ହୋଇଛି ।
ଗତମାସରେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ସୂଚନା ମୁତାବକ ଝାଡଖଣ୍ଡ ୩୭ ପ୍ରତିଶତ, ଛତିଶଗଡ ୩୦ ପ୍ରତିଶତ, ତାମିଲନାଡୁ ୧୫.୫ ପ୍ରତିଶତ, ଜମ୍ମୁ- କାଶ୍ମୀର ୧୦.୮ ପ୍ରତିଶତ, ମଧ୍ୟପ୍ରଦେଶ ୧୦.୭ ପ୍ରତିଶତ ଟିକା ନଷ୍ଟ କରିଦେଇଥିଲେ । ଟିକାକରଣକୁ ନେଇ କେନ୍ଦ୍ର ସରକାର ଜାରି କରିଥିବା ନୂଆ ପଲିସି ମୁତବକ ୧୮ ବର୍ଷରୁ ଅଧିକ ବୟସ୍କ ନାଗରିକଙ୍କ ଜନସଂଖ୍ୟା ସମୁହ ମଧ୍ୟରେ କିମ୍ବା ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ଆବଶ୍ୟକତା ଆଧାରରେ ସେମାନେ କେନ୍ଦ୍ରକୁ ଟିକା ମାଗି ପାରିବେ । ଘରୋଇ ହସ୍ପିଟାଲ ପାଇଁ ଟିକାର ପ୍ରତି ଖୋରାକର ମୂଲ୍ୟ ଟିକା ନିର୍ମାତା କମ୍ପାନୀମାନେ ସ୍ଥିର କରିବେ । ଏହା ଉପରେ କେନ୍ଦ୍ର ସରକାର ନଜର ରଖିବେ ।

Leave a Reply

Your email address will not be published. Required fields are marked *