ରାଜ୍ୟ

ଶିଶୁଙ୍କ ଖୁସି ଛଡ଼ାଇ ନେଇଛି କରୋନା

ଭୁବନେଶ୍ୱର: ତୃତୀୟ ଲହର ପୂର୍ବରୁ ଶିଶୁଙ୍କ ପାଇଁ ଘାତକ ସାବ୍ୟସ୍ତ ହୋଇଛି କରୋନା। ଦ୍ୱିତୀୟ ଲହରରେ ଅନେକ ଶିଶୁ ଅନାଥ ହୋଇଥିବା ବେଳେ ସେମାନଙ୍କ ଭବିଷ୍ୟତ ଅନ୍ଧକାରକୁ ଠେଲି ହୋଇଯାଇଛି। ମା’ବାପାଙ୍କୁ ହରାଇ ବେସାହାର ହୋଇଚନ୍ତି ଅନେକ ଶିଶୁ। ଅନେକ ମାଆ ବାପାଙ୍କ ମଧ୍ୟରୁ ଜଣଙ୍କୁ ହରାଇଛନ୍ତି। ୨୦୨୧ ଜୁନ୍ ୫ ତାରିଖ ସୁଦ୍ଧା ଦେଶରେ ୩୦ହଜାରରୁ ଅଧିକ ଶିଶୁ ବେସାହାରା ହୋଇଥିବା ରିପୋର୍ଟ ଦେଇଛି ରାଷ୍ଟ୍ରୀୟ ବାଲ୍‌ ଅଧିକାର ସଂରକ୍ଷଣ ଆୟୋଗ ବା NCPCR। ମହାମାରୀ କାଳରେ ଅନାଥ ହୋଇଥିବା ଶିଶୁଙ୍କ ଲାଳନପାଳନ ଓ ପାଠପଢ଼ା ଦାୟିତ୍ୱ ନେବାକୁ ସୁପ୍ରିମକୋର୍ଟଙ୍କୁ ରିପୋର୍ଟ ଦେଇଛି NCPCR। ୨୦୨୦ ଏପ୍ରିଲ ୧ରୁ ଚଳିତ ବର୍ଷ ଜୁନ ମଧ୍ୟରେ ସମଗ୍ର ଦେଶରେ ୩ହଜାର ୬୨୧ ଜଣ ଶିଶୁ ସମୂର୍ଣ୍ଣ ଅନାଥ ହୋଇଛନ୍ତି। ୨୬ ହଜାର ୧୭୬ ଶିଶୁ ମାଆ ବାପାଙ୍କ ମଧ୍ୟରୁ ଜଣଙ୍କୁ ହରାଇଛନ୍ତି। ବେସାହାରା ହୋଇଥିବା ଏହି ୩୦ ହଜାର ୭୧ ଜଣ ଶିଶୁଙ୍କ ଦାୟିତ୍ବ ନେବା ଆବଶ୍ୟକ ହୋଇପଡ଼ିଛି ବୋଲି ରାଷ୍ଟ୍ରୀୟ ବାଲ୍‌ ଅଧିକାରୀ ସଂରକ୍ଷଣ ଆୟୋଗ ସୁପ୍ରିମକୋର୍ଟଙ୍କୁ ଦେଇଥିବା ରିପୋର୍ଟରେ ଦର୍ଶାଇଛି । ତେବେ ସବୁ ପିଲାଙ୍କ ମାବାପା କରୋନାରେ ମରିନାହାନ୍ତି। ଅନ୍ୟ କାରଣରୁ ବି କେତେଜଣଙ୍କ ଜୀବନ ଯାଇଛି। ୩୦ହଜାର ୭୧ ଜଣ ଶିଶୁଙ୍କ ମଧ୍ୟରେ ୧୫, ହଜାର ୨୦ ପୁଅ ଥିବା ବେଳେ ୧୪ ହଜାର ୪୪୭ ଝିଅ ଅଛନ୍ତି। ସେମାନଙ୍କ ମଧ୍ୟରେ ୪ ଜଣ କିନ୍ନର ମଧ୍ୟ ଅଛନ୍ତି। ଏ ପର୍ଯ୍ୟନ୍ତ ଅନେକ ରାଜ୍ୟରୁ ରିପୋର୍ଟ ଦିଆଯାଇଥିବାରୁ ଅନାଥ ଶିଶୁଙ୍କ ସଂଖ୍ୟା ବଢ଼ିପାରେ ବୋଲି NCPCR ପକ୍ଷରୁ କୁହାଯାଇଛି।

Leave a Reply

Your email address will not be published. Required fields are marked *