ଦେଶ- ବିଦେଶ

ପାକିସ୍ତାନରେ ଟ୍ରେନ୍ ଦୁର୍ଘଟଣା, ୫୦ ମୃତ

ଇସଲାମାବାଦ : ପାକିସ୍ତାନର ସିନ୍ଧ୍ ପ୍ରଦେଶ ଅନ୍ତର୍ଗତ ଡାହାର୍କି ସହରରେ ସୋମବାର ଭୋର ସମୟରେ ଟ୍ରେନ ଦୁର୍ଘଟଣା ଘଟି ୫୦ ଜଣ ପ୍ରାଣ ହରାଇଛନ୍ତି । ଏହାବ୍ୟତୀତ ଆହତ ଅନ୍ୟ ୨୦ ଜଣଙ୍କୁ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଏବେମଧ୍ୟ ଦୁର୍ଘଟଣାଗ୍ରସ୍ତ ବଗିରେ ଯାତ୍ରୀ ଚାପି ହୋଇ ରହିଛନ୍ତି । ଫଳରେ ମୃତାହତଙ୍କ ସଂଖ୍ୟା ଆହୁରି ବୃଦ୍ଧିି ପାଇବ ବୋଲି ଆଶଙ୍କା କରାଯାଉଛି । ପ୍ରାପ୍ତ ସୂଚନା ଅନୁଯାୟୀ କରାଚିରୁ ସରଗୋଧା ଯାଉଥିବା ମିଲାଟ୍ ଏକ୍ସପ୍ରେସ ରବିବାର ରାତି ପ୍ରାୟ ୩.୩୦ ସମୟରେ ଡାହାର୍କି ନିକଟରେ ଲାଇନଚ୍ୟୁତ ହୋଇଥିଲା । ଫଳରେ ଏହାର କେତେକ ବଗି ଅପରପାଶ୍ୱର୍ ରେଳଧାରଣା ଉପରେ ପଡିଥିଲା । ଏହି ସମୟରେ ଉକ୍ତ ଟ୍ରାକ୍ ଦେଇ ରାୱଲପିଣ୍ଡିରୁ ଦ୍ରୁତ ଗତିରେ ଆସୁଥିବା ସାର୍ ସୟଦ ଏକ୍ସପ୍ରେସ ଏହି ଲାଇନଚ୍ୟୁତ ବଗିଗୁଡିକ ଉପରେ ଚଢିଯାଇଥିଲା । ପ୍ରଥମ ଘଟଣା (ଲାଇନଚ୍ୟୁତ)ରେ ଯାତ୍ରୀମାନେ କ’ଣ ଘଟିଲା ବୋଲି ଚିନ୍ତା କରିବା ପୂର୍ବରୁ ଦ୍ୱିତୀୟ ଘଟଣା ହୃଦୟ ବିଦାରକ ଥିଲା ବୋଲି ପ୍ରତ୍ୟକ୍ଷଦର୍ଶୀ ବୟାନ ଦେଇଛନ୍ତି । ପୁଲିସ, ପ୍ରଶାସନ, ଦମକଳବାହିନୀ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟକୁ ତ୍ୱରାନ୍ୱିତ କରୁଛନ୍ତି । ଏଥିରେ ସ୍ଥାନୀୟ ଗ୍ରାମବାସୀ ସହାୟତା କରୁଥିବା କୁହାଯାଇଛି । କେତେକ ବଗି ଏତେ ଭାଙ୍ଗିରୁଜି ଯାଇଛି ଯେ ଗ୍ୟାସକଟର ସାହାଯ୍ୟରେ ବଗି କାଟି ଯାତ୍ରୀଙ୍କୁ ଉଦ୍ଧାର କରାଯାଉଛି । ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍ ଏହି ଘଟଣାରେ ଗଭୀର ଦୁଃଖ ପ୍ରକାଶ କରିବା ସହ ଉଦ୍ଧାର କାର୍ଯ୍ୟକୁ ତ୍ୱରାନ୍ୱିତ କରିବାକୁ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।

Leave a Reply

Your email address will not be published. Required fields are marked *