ରାଜ୍ୟ

ସୁପ୍ରିମକୋର୍ଟ ନିର୍ଦ୍ଦେଶ ଆଧାରରେ ଇପିଏଫ୍ ପେନ୍‌ସନ୍ ପ୍ରଦାନ ଦାବି

ବଲାଙ୍ଗିର : ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଆଧାରରେ ପେନ୍‌ସନ ଦିଆଯିବାକୁ ଆଲ୍ ଓଡ଼ିଶା ଇପିଏଫ୍ ପେନସନର୍ସ ଆସୋସିଏସନ ବଲାଙ୍ଗିର ଜିଲ୍ଲା ଶାଖା ପୁଣି ଦାବି କରିଛି । ଅର୍ଦ୍ଧସରକାରୀ ଓ ବେସରକାରୀ ସଂସ୍ଥାରେ କାର୍ଯ୍ୟ କରି ଅବସର ନେଉଥିବା କର୍ମଚାରୀଙ୍କ ପାଇଁ ସାମାଜିକ, ଆର୍ଥିକ ସୁରକ୍ଷା ଲାଗି କେନ୍ଦ୍ର ସରକାର ଇପିଏଫ୍ -୯୫ ପେନସନ ଯୋଜନା -୧୯୯୫ ନଭେମ୍ବର ୧୬ ତାରିଖରେ ଲାଗୁ କରିଛନ୍ତି । ଆହୁରି ୨୦୧୪ ମସିହାରେ ପେନ୍‌ସନ୍‌ଭୋଗୀଙ୍କ କ୍ଷେତ୍ରରେ ପାତରଅନ୍ତର କରି ବିନା ମହଙ୍ଗା ଭତ୍ତାରେ ମାସିକ ସର୍ବନିମ୍ନ ୧ ହଜାର ଟଙ୍କା ପ୍ରଚଳନ କରିଥିବା ସତ୍ତ୍ୱେ ତାହା ମଧ୍ୟ ସମସ୍ତଙ୍କ କ୍ଷେତ୍ରରେ ଲାଗୁ ହୋଇନାହିଁ । ଦେଶରେ ପ୍ରାୟ ୬୭ ଲକ୍ଷ ଇପିଏଫ୍ ପେନ୍‌ସନ୍ ଭୋଗୀ ଅଛନ୍ତି। ତନ୍ମଧ୍ୟରୁ ଓଡ଼ିଶାରେ ୧ଲକ୍ଷ ୬୨ହଜାର ପେନ୍‌ସନ୍ ଭୋଗୀ କରୋନା ମହାମାରୀ ସମୟରେ ସ୍ୱଳ୍ପ ପେନ୍‌ସନ୍ ଓ ଚିିକିତ୍ସା ସୁବିଧା ନ ପାଇ ଅତି ଯନ୍ତ୍ରଣାରେ ଜୀବନ ବିତାଉଛନ୍ତି । ୨୦୧୩ରେ ଖୋସିୟାରୀ କମିଟିର ସୁପାରିଶ ଅନୁସାରେ ସର୍ବନିମ୍ନ ମାସିକ ୯ ହଜାର ଟଙ୍କା ପେନସନ ଦିଆଯାଉ ବୋଲି ସଂଘ ପ୍ରଧାନମନ୍ତ୍ରୀଙ୍କୁ ଚିଠିରେ ଅନୁରୋଧ କରିଥିବା ସଂଘ କହିଛି ।

ସୂଚନାଯୋଗ୍ୟ ଯେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସମେତ ଓଡ଼ିଶାର ୧୭ଜଣ ସାଂସଦ କେନ୍ଦ୍ର ଶ୍ରମମନ୍ତ୍ରୀ ସନ୍ତୋଷ କୁମାର ଗଙ୍ଗୱାରଙ୍କୁ ଏ ସମ୍ପର୍କରେ ପତ୍ର ମାଧ୍ୟମରେ ଜଣାଇଥିଲେ ମଧ୍ୟ କୌଣସି ସୁଫଳ ଅଦ୍ୟାବଧି ମିଳିନାହିଁ । ଅନ୍ୟପକ୍ଷରେ ୨୦୧୬ ଅକ୍ଟୋବର ୪ ତାରିଖରେ ଆର.ସି. ଗୁପ୍ତା ବନାମ କେନ୍ଦ୍ର ସରକାରଙ୍କ ମାମଲାକୁ ବିଚାରକୁ ନେଇ ସୁପ୍ରିମକୋର୍ଟ ପେନସନଭୋଗୀମାନଙ୍କୁ ସେମାନଙ୍କ ଶେଷ ଦରମା ଆଧାରରେ ବର୍ଦ୍ଧିତ ପେନସନ ଦେବା ପାଇଁ ଆଦେଶ ଦେଇଥିଲେ । ଉକ୍ତ ଆଦେଶକୁ ଅନେକ ରାଜ୍ୟର ରିଜିଓନାଲ ପ୍ରୋଭିଡେଣ୍ଡ ଫଣ୍ଡ୍ କମିଶନରମାନେ କାର୍ଯ୍ୟକାରୀ କରିଥିବା ସ୍ଥଳେ ଓଡ଼ିଶା ରାଜ୍ୟର ରିଜିଓନାଲ ପ୍ରୋଭିଡେଣ୍ଟଫଣ୍ଡ୍ କମିଶନର ଉକ୍ତ ଆଦେଶକୁ କାର୍ଯ୍ୟକାରୀ କରୁନାହାନ୍ତି । ଯାହା ଫଳରେ କେନ୍ଦ୍ରର ଅତିରିକ୍ତ ଭବିଷ୍ୟନିଧି କମିଶନର, ପେନସନ ବିଭାଗ, ନୂଆଦିଲ୍ଲୀ ତାଙ୍କ ଚିଠିରେ ଦେଶରେ ଥିବା ସମସ୍ତ ରିଜିଓନାଲ ପ୍ରୋଭିଡେଣ୍ଟ ଫଣ୍ଡ୍ କମିଶନରମାନଙ୍କୁ ଶୀଘ୍ର ସୁପ୍ରିମକୋର୍ଟ ଅର୍ଡରକୁ କାର୍ଯ୍ୟକାରୀ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ନଚେତ୍ ତାଙ୍କ ବିରୁଦ୍ଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ କରିବା ପାଇଁ ତାଗିଦ୍ କରିଛନ୍ତି । କରୋନା ସମୟରେ ସହାୟତା ରାଶି ବୃଦ୍ଧି କରି ମାସିକ ୯ ହଜାର ଟଙ୍କା ଦିଆଯିବା, ମହଙ୍ଗାଭତ୍ତା ପ୍ରଦାନ ଏବଂ ଆୟୁଷ୍ମାନ ଭାରତ ଯୋଜନାରେ ସାମିଲ କରାଯିବାକୁ ଇପିଏଫ୍ ସଂଘ ବଲାଙ୍ଗିର ଜିଲ୍ଲା ଆବାହକ ବିଶ୍ୱ ପ୍ରକାଶ ମିଶ୍ର, ଅମୂଲ୍ୟ ମିଶ୍ର, ସନ୍ତୋଷ ତ୍ରିପାଠୀ ପ୍ରମୁଖ ଏକ ପ୍ରେସ ବିବୃତ୍ତିରେ ଦାବି ଜଣାଇଛନ୍ତି ।

Leave a Reply

Your email address will not be published. Required fields are marked *