ମନୋରଞ୍ଜନରାଜ୍ୟ

ଆଉ ନାହାନ୍ତି ଶଲାବୁଢ଼ା

ସୁବର୍ଣ୍ଣପୁର : ଆଉ ନାହାନ୍ତି ଓଡ଼ିଆ ସିନେମା ଜଗତର ବିଶିଷ୍ଟ କଳାକାର ଅଟଳ ବିହାରୀ ପଣ୍ଡା । ଶଲାବୁଢ଼ାଙ୍କୁ ଆଉଥରେ ଝିଲମିଲ ପରଦାରେ ଦେଖିବାର ସ୍ୱପ୍ନ ସ୍ୱପ୍ନ ହୋଇ ରହିଗଲା । କୋଶଳୀ ନାଟକ, ସଙ୍ଗୀତ, ଚଳଚ୍ଚିତ୍ର ଜଗତରେ ଗୋଟିଏ ଶୂନ୍ୟସ୍ଥାନ ସୃଷ୍ଟି ହୋଇଛି । ଏକ ସାଂସ୍କୃତିକ ଯୁଗର ଅବସାନ ହୋଇଛି । ବୁର୍ଲା ଡାକ୍ତରଖାନାରେ ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ନିଧନ ହୋଇଛି । ମୃତ୍ୟୁ ବେଳକୁ ତାଙ୍କୁ ୯୧ ବର୍ଷ ହୋଇଥିଲା । ଗତମାସ ୧୬ ତାରିଖରେ ଶ୍ରୀ ପଣ୍ଡାଙ୍କ ପତ୍ନୀ ଲଳିତାଙ୍କ ଦେହାନ୍ତ ହୋଇଥିଲା । ସ୍ତ୍ରୀଙ୍କ ଦେହାନ୍ତ ପରେ ଶ୍ରୀ ପଣ୍ଡାଙ୍କ ସ୍ୱାସ୍ଥ୍ୟବସ୍ଥା ବିଗିଡିବାରେ ଲାଗିଥିଲ । ବାରମ୍ବାର ସ୍ୱାସ୍ଥ୍ୟବସ୍ଥା ବିଗୁଡୁଥିବା ବେଳେ ତାଙ୍କୁ ବୁର୍ଲା ମେଡିକାଲରେ ଭର୍ତ୍ତି କରାଯାଇଥିଲା । ଆଜି ଭୋର ୩.୪୫ ରେ ତାଙ୍କ ପ୍ରାଣ ବାୟୁ ଉଡି ଯାଇଛି । ସବ୍ୟସାଚୀ ମହାପାତ୍ରଙ୍କ ନିର୍ଦ୍ଦେଶିତ ଶଳାବୁଢ଼ା ଓ ଆଦିମ ବିଚାରରେ ତାଙ୍କ ବଳିଷ୍ଠ ଅଭିନୟ ପାଇଁ ସବୁଦିନେ ସେ ଅମର ରହିବେ । ସେ ପ୍ରଥମ ପ୍ରସିଦ୍ଧ କୋଶଳୀ ନାଟକ ଫଟା କପାଳ ଲେଖି କୋଶଳୀ ନାଟକର ଧାରାକୁ ଆରମ୍ଭ କରିଥିଲେ । ସମ୍ବଲପୁର ଆକାଶବାଣୀର ଆଗ ଧାଡ଼ିର ଗୀତିକାର ଭାବେ ସେ ବେଶ ପ୍ରସିଦ୍ଧ ହୋଇ ପାରିଥିଲେ । ତାଙ୍କ ନିଧନରେ କଳାକାର ମହଲରେ ଶୋକର ଛାୟା ଖେଳିଯାଇଛି ।

ଗୋଟିଏ କାହାଣୀରେ ଜଣେ ନାୟକ ରହିବେ । ସେ ହୋଇଥିବେ ଜଣେ ଯୌବନକୁ ଜୀବନ୍ତ ଫୁଟାଇ ପାରୁଥିବା ଯୁବକ । ତାଙ୍କର ଥିବ ବଳିଷ୍ଠ ଅଭିନୟ ଓ ଆକର୍ଷଣୀୟ ଚେହେରା । ପୁଣି ଥିବ ଅନେକ ରୋମାଞ୍ଚକର ଶୈଳୀ । ଅଙ୍ଗପ୍ରଦର୍ଶନ ତଥା ଉତ୍ତେଜନା ସୃଷ୍ଟି କରିବା ଭଳି ଅଭିନୟ କୌଶଳ । ଆଦିମ ବିଚାରର ମୁଖ୍ୟ କଳାକାର ୯୧ ବର୍ଷୀୟ ‘ଅଟଳବିହାରୀ ପଣ୍ଡା’ ଏହି ଅବଧାରଣାଗୁଡ଼ିକୁ ଦୂର କରିଥିଲେ ନିଜର ଅଭିନୟ ତଥା ସଂଳାପ ମାଧ୍ୟମରେ । ଡ. ଅଟଲ ବିହାରୀ ପଣ୍ଡା ତା.୧.୧୨.୧୯୩୧ ରିଖରେ ସୁବର୍ଣ୍ଣପୁର ଜିଲ୍ଲାର ବିନିକା ଗ୍ରାମରେ ଜନ୍ମ ପିତା କବିରାଜ ବାସୁଦେବ ପଣ୍ଡା ଓ ମାତା ଲକ୍ଷ୍ମୀପ୍ରିୟାଙ୍କର ସେ ଜ୍ୟେଷ୍ଠ ପୁତ୍ର । ଓଡ଼ିଆ ସାହିତ୍ୟ କ୍ଷେତ୍ର ତଥା ସମ୍ବଲପୁରୀ/ କୋଶଳି ସାହିତ୍ୟ କ୍ଷେତ୍ରରେ ତାଙ୍କର ବହୁ ମଞ୍ଚନାଟକ, ଯାତ୍ରା ନାଟକ, ଶିଶୁ ନାଟକ, ବେତାର ନାଟକ, ଧାରାବାହିକ ବେତାର ନାଟକ, ଉପନ୍ୟାସ, ଗଳ୍ପ, ଗୀତି କବିତା, ରମ୍ୟ ରଚନା ପ୍ରଭୃତି ବେଶ୍ ଆଦୃତ ହୋଇପାରିଛି । ତାଙ୍କ ରଚିତ ‘ଫଟା କପାଲ’ ସମ୍ବଲପୁରୀ ଭାଷାର ପ୍ରଥମ ପ୍ରକାଶିତ ପୂର୍ଣ୍ଣାଙ୍ଗ ମଞ୍ଚ ନାଟକ ରୂପେ ଆଲୋଚକମାନଙ୍କର ମାନ୍ୟତା ପାଇଛି ସେ ଆକାଶବାଣୀ ସମ୍ବଲପୁରର ସ୍ୱୀକୃତିପ୍ରାପ୍ତ ଗୀତିକାର ଓ ନାଟ୍ୟକାର । ଓଡ଼ିଆ ସାହିତ୍ୟ ଓ ସମ୍ବଳପୁରୀ, କୋଶଲୀ ସାହିତ୍ୟରେ ସେ ପ୍ରାୟ ସତୁରି ଖଣ୍ଡ ପୁସ୍ତକ ରଚନା କରିଛନ୍ତି ।

ଜୀବନରେ ସତାତ୍ୱିକ ନାଟକରେ ଅଭିନୟ ତଥା ନିର୍ଦ୍ଦେଶନା ଏବଂ ନାଟ୍ୟ ରଚନା ମାଧ୍ୟମରେ ରଙ୍ଗମଞ୍ଚ ସହ ସେ ଷାଠିଏ ବର୍ଷ ଧରି ନିବିଡ଼ ସଂପର୍କ ସ୍ଥାପନ କରି ପାରିଛନ୍ତି । ଓଡ଼ିଆ ସାହିତ୍ୟ କ୍ଷେତ୍ରରେ ବହୁ ଯାତ୍ରା, ନାଟକ ରଚନା କରି ଓଡ଼ିଶାର ପୁରପଲ୍ଲୀରେ ସେ ବେଶ୍ ପରିଚିତ । ଯାତ୍ରା ନାଟକମାନଙ୍କ ମଧ୍ୟରେ ‘ଏବେବି ଏ ସମାଜ ବ୍ୟାଧୁସ୍ଥ’ ଓ ‘ବାଘମାତିଛି’ ପ୍ରଭୃତି ଯାତ୍ରା ନାଟକ ଓଡ଼ିଶାର ପ୍ରଖ୍ୟାତ ଗଣନାଟ୍ୟ ମାନଙ୍କ ଦ୍ୱାରା ପ୍ରଦର୍ଶିତ ହୋଇ ଓଡ଼ିଶାର ସର୍ବତ୍ର ଉଚ୍ଚ ପ୍ରଶଂସିତ ହୋଇଛି । ରଙ୍ଗମଞ୍ଚରେ ପ୍ରଦର୍ଶିତ ନାଟକମାନଙ୍କ ମଧ୍ୟରେ ‘ମଣି ସଂହାର’ ପୌରାଣିକ ନାଟକ ଓ ‘କ୍ଲାନ୍ତ ଅପରାହ୍ନ’ ନାଟକମାନ ଉଲ୍ଲେଖଯୋଗ୍ୟ ସମ୍ବଲପୁରୀ, କୋଶଳୀ ଭାଷାର ତାଙ୍କ ରଚିତ ‘ଦେବୀ’ ଏବଂ ‘ବାନ୍ଦୁ ଉବାଚ’ ଉପନ୍ୟାସ ସର୍ବତ୍ର ପ୍ରଶଂସିତ । ଗୀତିକାର, ନାଟ୍ୟକାର, ଔପନ୍ୟାସିକ, ଅଭିନେତା ନିର୍ଦ୍ଦେଶକ ସଂଙ୍ଗେ ସଂଙ୍ଗେ ସେ ଚଳଚିତ୍ର ଜଗତରେ ପ୍ରବେଶ କରି ଓଡିଶା ରାଜ୍ୟ ତଥା ଜାତୀୟ ଓ ଆର୍ନ୍ତଜାତୀୟ ସ୍ତରରେ ବେଶ୍ ଖ୍ୟାତି ଅର୍ଜନ କରି ପାରିଛନ୍ତି । ତାଙ୍କ ପାଖରେ ବୟସ ହାର ମାନିଛି ।

ସବ୍ୟସାଚୀ ମହାପାତ୍ରଙ୍କ ନିର୍ଦ୍ଦେଶିତ ‘ଶଲାବୁଢା’ ଏବଂ ‘ଆଦିମ ବିଚାର’, ଶଲାବୁଢାର ବଦଲା ଚଳଚ୍ଚିତ୍ରରେ ସେ ସଂଳାପ ଲେଖକ ଏବଂ ଚଳଚ୍ଚିତ୍ରରେ ସେ ମୁଖ୍ୟ ନାୟକ ଭୂମିକାରେ ଅଭିନୟ କରି ଦେଶ ବିଦେଶରେ ସୁନାମ ଅର୍ଜନ କରି ପାରିଛନ୍ତି ସଂସ୍କୃତି ବିଭାଗ, ଓଡିଶା ରାଜ୍ୟ ପାଇଁ ୨୫ ତମ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ୨୦୧୩ ମସିହାରେ ଶଲାବୁଢା ଚଳଚ୍ଚିତ୍ରରେ ମୁଖ୍ୟ ଚରିତ୍ର ଶଲାବୁଢା ପାଇଁ ସେ ‘ଶ୍ରେଷ୍ଠ ଅଭିନେତା’ ରୂପେ ପୁରସ୍କାର ପାଇଛନ୍ତି । ସେହିପରି ଶଲାବୁଢାର ବଦଲା ମଧ୍ୟ ଶ୍ରେଷ୍ଠ ଚଳଚ୍ଚିତ୍ର ଭାବେ ପୁରସ୍କୃତ ହୋଇଛି । ୮୪ ବର୍ଷ ବୟସରେ ସିନେମା ଜଗତରେ ପାଦ ଥାପି ଥିବା ଅଟଲ ପଣ୍ଡା ଜଣେ ଅଦ୍ୱିତୀୟ କଳାକାର । ତାଙ୍କ ଅଙ୍ଗି ଭଙ୍ଗି ଓ ଡାଇଲଗ ଦର୍ଶକମାନଙ୍କୁ ବେଶ ପ୍ରଭାବିତ କରି ପାରିଥିଲା । ତାଙ୍କ ବିୟୋଗରେ ସାରା ପଶ୍ଚିମ ଓଡ଼ିଶାରେ ଶୋକର ଛାୟା ଖେଳିଯାଇଛି । ତାଙ୍କ ବିୟୋଗ ଏକ ଅପୂରଣୀୟ କ୍ଷତି ବୋଲି କହିଛନ୍ତି ଜିଲ୍ଲାବାସୀ । କଥା, ଭାଷା, ଚାହାଣୀ, କହିବାର ଠାଣୀ, ଶରୀରର ଭାଷା ଓ ହୃଦୟକୁ ସ୍ପର୍ଶ କଲାଭଳି ଅଭିନୟ ମାଧ୍ୟମରେ ସେ ନିଜକୁ ପ୍ରତିଷ୍ଠିତ କରି ପାରିଥିଲେ । ସବ୍ୟସାଚୀ ମହାପାତ୍ରଙ୍କ ନିର୍ଦ୍ଦେଶିତ ଶଳାବୁଢ଼ା ଓ ଆଦିମ ବିଚାରରେ ତାଙ୍କ ବଳିଷ୍ଠ ଅଭିନୟ ପାଇଁ ସବୁଦିନେ ସେ ଅମର ରହିବେ । ତାଙ୍କ ନିଧନରେ କଳାକାର ମହଲରେ ଶୋକର ଛାୟା ଖେଳିଯାଇଛି ।

Leave a Reply

Your email address will not be published. Required fields are marked *