ଅପରାଧରାଜ୍ୟ

ସ୍ୱାମୀର ତଣ୍ଟି ଚିିପି ହତ୍ୟା କଲା ସ୍ତ୍ରୀ

ସମ୍ବଲପୁର : ନିଜ ସିନ୍ଦୂର ନିଜେ ପୋଛି ଦେଲା ସ୍ତ୍ରୀ। ପାରିବାରିକ କଳି ଅସହ୍ୟ ହେବାରୁ ସମ୍ପର୍କୀୟ ଭାଇ(ଶଳା) ସହ ମିଶି ସ୍ୱାମୀର ତଣ୍ଟି ଚିିପି ହତ୍ୟା କରିଲେ ମଞ୍ଜରୀ। ଏଭଳି ଅଭାବନୀୟ ଘଟଣା  ସମ୍ବଲପୁର ଜିଲ୍ଲା ବାମ୍‌ରା ବ୍ଲକ୍‌ ରଙ୍ଗିଆଟିକ୍ର ପଞ୍ଚାୟତରେ ଘଟିଛି।  ତେବେ ପୋଲିସ ଉଭୟଙ୍କୁ ଗିରଫ କରିବା ସହ କୋର୍ଟଚାଲାଣ କରିଛି । ପ୍ରକାଶ ଯେ କହପାଣି ଗ୍ରାମରେ ସ୍ୱର୍ଗତଃ ବୃଷଭ ବେହେରା (୪୮)ଙ୍କ ପ୍ରଥମ ପତ୍ନୀ ତୁଳା ବେହେରା ନିଜ ୩ ପୁଅଙ୍କୁ ଧରି ଗୁରୁଣ୍ଡିଆ ବ୍ଲକ୍‌ ଜରଡା ଗ୍ରାମରେ ଅଲଗା ରହୁଥିବା ବେଳେ ପ୍ରାୟ ୧୫ବର୍ଷ ହେଲା ବୃଷଭ ୨ୟ ପତ୍ନୀ ମଞ୍ଜରୀ ବେହେରାଙ୍କ ସହିତ କହପାଣି(ଗୌଡ)ପଡାଠାରେ ରହୁଥିଲେ । ତାଙ୍କର ଦ୍ୱିତୀୟ ପତ୍ନୀଙ୍କ ଏକମାତ୍ର ନାବାଳିକା ଝିଅ ମଧ୍ୟ ତାଙ୍କ ସହ ରହୁଥିଲା । ବୃଷଭ ବେହେରା ଦିନ ମଜୁରିଆ ଭାବେ କାମ କରି ଚଳୁଥିଲେ ।

ପତ୍ନୀ ମଞ୍ଜରୀଙ୍କ କହିବାନୁସାରେ ବୃଷଭ ପ୍ରତିଦିନ ଘରକୁ ମଦ୍ୟପାନ କରି ଫେରୁଥିବାବେଳେ ତାଙ୍କ ସହିତ କଳି ଝଗଡା କରୁଥିଲେ । ମଝିରେ ମଝିରେ ମାରପିଟ୍‌ ମଧ୍ୟ
କରୁଥିବା ନେଇ ପୋଲିସ ଆଗରେ ଅଭିଯୋଗ କରିଥିଲେ । ଏହାକୁ ନେଇ ଉଭୟଙ୍କମଧ୍ୟରେ ତିକ୍ତତା ଓ ମନୋମାଳିନ୍ୟ ଲାଗି ରହିଥିଲା । ଶନିବାର ମଧ୍ୟ ମଞ୍ଜରୀଙ୍କ ସମ୍ପର୍କୀୟ ଭାଇ ଗୁରୁଣ୍ଡିଆ ଥାନା ଅନ୍ତର୍ଗତ ସୋଲଗୁଡା ଗ୍ରାମର ଗୋବିନ୍ଦ କଲୋଙ୍କ ପୁଅ ଅଜୟ କାଲୋ(୨୪)ତାଙ୍କ ଘରେ ରାତିରେ ରହିଥିଲେ। ରାତି ପ୍ରାୟ ୧୧ଟା
ସମୟରେ ପୁଣି ମଞ୍ଜରୀଙ୍କ ସହ ବୃଷଭଙ୍କ ଝଗଡା ହୋଇଥିଲା ଓ ମଞ୍ଜରୀଙ୍କୁ ମାରପିଟ୍‌ କରିଥିଲେ ବୃଷଭ ।

ଏଥିରେ ମଞ୍ଜରୀ ଉତ୍ତ୍ୟକ୍ତ ହୋଇଯାଇଥିଲେ । ମଞ୍ଜରୀ ଏବଂ ଅଜୟ ଦୁହେଁ ମିଶି ବୃଷଭଙ୍କ ତଣ୍ଟି ଚିିପି ହତ୍ୟା କରିଥିବା କହିଥିଲେ । ପୋଲିସ ମଞ୍ଜରୀଙ୍କୁ ତାଙ୍କ ଘରୁ ଗିରଫ କରିଥିବାବେଳେ ଘଟଣା ପରେ ଅଜୟ ଫେରାର ମାରିଥିଲା । ତେବେ ପୋଲିସ ତନାଘନା କରି ଅଜୟକୁ ଗୁରୁଣ୍ଡିଆ ଥାନା କଣ୍ଡେଇଡିହା ପଞ୍ଚାୟତ ଜାଲେ ଗ୍ରାମରୁ ଗିରଫ କରିଥିଲା । ଉଭୟଙ୍କୁ କୁଚିଣ୍ଡା ପୋଲିସ କୋର୍ଟଚାଲାଣ କରିଥିବାବେଳେ ଜାମିନ ନାମଞ୍ଜୁର ହେବାରୁ ବିଚାର ବିଭାଗୀୟ ଜେଲକୁ ପଠାଯାଇଥିବା ପୋଲିସ ସୂତ୍ରରୁ ଜଣାପଡିଛି । ତେବେ ପୋଲିସ ଏକ ରୂପା ଚେନ୍‌କୁ ସ୍ଥାନୀୟ ବନ୍ଧ(କଟା)ପାଖରୁ ଉଦ୍ଧାର କରିଥିଲା । ଏନେଇ ପୋଲିସ ଏକ ହତ୍ୟା ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି ।

Leave a Reply

Your email address will not be published. Required fields are marked *