ରାଜ୍ୟ

ମୁଖ୍ୟମନ୍ତ୍ରୀଙ୍କ ବଡ ଘୋଷଣା : ଓଡିଶାରେ +୨ ପରୀକ୍ଷା ବାତିଲ

ଭୁବନେଶ୍ୱର : କରୋନା ସଂକ୍ରମଣ ବଢିଚାଲିଥିବା ବେଳେ ରାଜ୍ୟରେ +୨ ପରୀକ୍ଷା ବାତିଲ ହୋଇଛି । +୨ ପରୀକ୍ଷାକୁ ବାତିଲ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ପରୀକ୍ଷାଠାରୁ ଛାତ୍ରଛାତ୍ରୀଙ୍କ ଜୀବନ ଗୁରୁତ୍ୱପୂର୍ଣ୍ଣ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ଛାତ୍ରଛାତ୍ରୀ, ଶିକ୍ଷକ ଓ ଅଭିଭାବକଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଏଭଳି ନିଷ୍ପତ୍ତି ନିଆଯାଇଛି । କରୋନାର ଦ୍ୱିତୀୟ ଲହରରେ ପିଲାଙ୍କ ପାଠପଢା ଅଧିକ ପ୍ରଭାବିତ ହୋଇଛି । କିନ୍ତୁ ଏସବୁ ଠାରୁ ଉର୍ଦ୍ଧ୍ବରେ ରହିଛି ମଣିଷ ଜୀବନର ସୁରକ୍ଷା । ଜୀବନ ଆଗ, ଆଉ ସବୁ ପଛରେ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି । ତେଣୁ ଆମ ଦେଶ ଓ ଜାତିର ଭବିଷ୍ୟତ, ଆମ ପିଲାମନଙ୍କର ସ୍ବାସ୍ଥ୍ୟ ସୁରକ୍ଷା ପରୀକ୍ଷା ଠାରୁ ବହୁ ଅଧିକ ଗୁରୁତ୍ବପୂର୍ଣ୍ଣ । ପରୀକ୍ଷା କରାଯାଇଥିଲେ ଛାତ୍ରଛାତ୍ରୀ, ଶିକ୍ଷକ ଶିକ୍ଷୟତ୍ରୀ ଓ ଅଭିଭାବକ ମାନେ ବହୁ ଅସୁବିଧାର ସମ୍ମୁଖୀନ ହୋଇଥାନ୍ତେ । ତେଣୁ ଛାତ୍ର ସମାଜର ବୃହତ୍ତର ସ୍ବାର୍ଥକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ପରୀକ୍ଷା ବାତିଲ ସଂକ୍ରାନ୍ତୀୟ ଏହି ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ଗ୍ରହଣ କରିଛନ୍ତି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ଏହା ସହ ଏପରି ସମ୍ବେଦନଶୀଳ ସମୟରେ ପରିସ୍ଥିତିକୁ ସମ୍ଭାଳିବାରେ ଛାତ୍ରଛାତ୍ରୀ ଓ ସେମାନଙ୍କ ପରିବାରର ସଦସ୍ୟ ମାନଙ୍କର ଉଦ୍ୟମ, ଦୃଢ ମନୋବଳ, ଓ ଧୈର୍ଯ୍ୟର ମୁଖ୍ୟମନ୍ତ୍ରୀ ଉଚ୍ଚପ୍ରଶଂସା କରିଛନ୍ତି । ଏହା ବ୍ୟତୀତ ଦ୍ବାଦଶ ଶ୍ରେଣୀରେ ଛାତ୍ରଛାତ୍ରୀଙ୍କ ଦକ୍ଷତାର ମୂଲ୍ୟାୟନ ବିଶେଷଜ୍ଞ ମାନଙ୍କ ପରାମର୍ଶକ୍ରମେ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ବାରା ଉତ୍ତମ ଭାବରେ ନିର୍ଦ୍ଧାରିତ ମାପଦଣ୍ଡ ଦ୍ବାରା ନିର୍ଦ୍ଧିଷ୍ଟ ସମୟସୀମା ମଧ୍ୟରେ କରିବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ଏହି ମୂଲ୍ୟାୟନରେ ଯଦି କୌଣସି ଛାତ୍ରଛାତ୍ରୀ ସନ୍ତୁଷ୍ଟ ନ ହୁଅନ୍ତି, ତେବେ ସେମାନେ ଚାହିଁଲେ ପରୀକ୍ଷା ଦେଇପାରିବେ ଏବଂ ପରିସ୍ଥିତିର ସମୀକ୍ଷା କରି ପରୀକ୍ଷା କେତେବେଳେ କରାଯିବ ତାହା ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ନିର୍ଣ୍ଣୟ କରିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

Leave a Reply

Your email address will not be published. Required fields are marked *