ଦେଶ- ବିଦେଶରାଜନୀତି

ଦିଦିଙ୍କ ମାଷ୍ଟର ଷ୍ଟ୍ରୋକ୍

କୋଲକାତା : ମୁଖ୍ୟ ସଚିବ ଅଲପନ ବନ୍ଦୋପାଧ୍ୟାୟଙ୍କୁ ନେଇ କେନ୍ଦ୍ର ସରକାର ଓ ମମତା ବାନାର୍ଜୀଙ୍କ ସରକାର ମଧ୍ୟରେ ଟଣା ଓଟରା ଜାରି ରହିଛି। ମୁଖ୍ୟ ସଚିବଙ୍କୁ କେନ୍ଦ୍ରକୁ ଡକାଇବା ନେଇ ଜାରି ବିବାଦ ମଧ୍ୟରେ ସୋମବାର ଅଲପନ ବନ୍ଦୋପାଧ୍ୟାୟ ନିଜ ପଦରୁ ଅବସର ନେଇ ଯାଇଛନ୍ତି। ତାଙ୍କୁ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ମୁଖ୍ୟ ପରାମର୍ଶଦାତା ଭାବେ ନିଯୁକ୍ତ କରାଯାଇଛି। ମମତା ସ୍ପଷ୍ଟ କରି ଦେଇଥିଲେ ଯେ, ସେ ନିଜ ରାଜ୍ୟର କୋଭିଡ୍ ମୁକାବିଲା ମଧ୍ୟରେ ଅଲପନଙ୍କୁ ଦିଲ୍ଲୀ ବଦଳି କରାଯିବା କେନ୍ଦ୍ରର ଆଦେଶକୁ ପାଳନ କରିବେ ନାହିଁ। ସାମ୍ବାଦିକ ସମ୍ମିଳନୀରେ ମମତା କହିଛନ୍ତି ଯେ, ଅଲପନଙ୍କୁ ମୁଖ୍ୟମନ୍ତ୍ରୀଙ୍କ ମୁଖ୍ୟ ପରାମର୍ଶଦାତା ଭାବେ ନିଯୁକ୍ତ କରାଯାଇଛି। ତାଙ୍କ ସ୍ଥାନରେ ଏଚକେ ଦ୍ଵିବେଦୀଙ୍କୁ ରାଜ୍ୟର ମୁଖ୍ୟ ସଚିବ ଭାବେ ନିଯୁକ୍ତ କରାଯାଇଛି। ଅନ୍ୟପଟେ କିନ୍ତୁ ଅଲପନ୍‌ଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ କେନ୍ଦ୍ର ଲାଗିପଡ଼ିଛି ।

ତାଙ୍କ ବିରୋଧରେ ଖୁବ୍‌ଶିଘ୍ର ଚାର୍ଜସିଟ୍‌ ଦାଖଲ କରାଯିବା ନେଇ ଜଣାପଡ଼ିଛି । ବନ୍ଦୋପାଧ୍ୟାୟଙ୍କ ମୁଖ୍ୟ ସଚିବ  ଭାବେ କାର୍ଯ୍ୟକାଳକୁ ରାଜ୍ୟ ସରକାର ତିନି ମାସ ପାଇଁ ବଢାଇଥିଲେ। ହେଲେ ପ୍ରଧାନମନ୍ତ୍ରୀଙ୍କ  ବାତ୍ୟା ସମୀକ୍ଷା  ବୈଠକରେ ବିଳମ୍ବରେ ପହଞ୍ଚିବା ଘଟଣା ପରେ ଅଲପନଙ୍କୁ ଦିଲ୍ଲୀ ବଦଳି ଆଦେଶ ଦେଇଥିଲେ। କେନ୍ଦ୍ର ସରକାର। ଏହାକୁ ନେଇ କେନ୍ଦ୍ର ଏବଂ ମମତା ବାନାର୍ଜୀ ସରକାର ମଧ୍ୟରେ ତିକ୍ତତା ବଢିବାରେ ଲାଗିଥିଲା। ଏହା ମଧ୍ୟରେ ଅଲପନ ବନ୍ଦୋପାଧ୍ୟାୟ ମୁଖ୍ୟ ସଚିବ ପଦରୁ ସୋମବାର ଅବସର ନେଇଛନ୍ତି। ତାଙ୍କୁ ସୋମବାର ସକାଳ ୧୦ଟାରେ ଦିଲ୍ଲୀ ସ୍ଥିତ କେନ୍ଦ୍ରୀୟ କାର୍ମିକ ଏବଂ ପ୍ରଶିକ୍ଷଣ ବିଭାଗର ଅଫିସରେ ହାଜର ହେବାର ଥିଲା।

ମାତ୍ର ସେ ଦିଲ୍ଲୀ ନଯିବାକୁ ନିଷ୍ପତ୍ତି ନେଇଥିଲେ ଏବଂ ମୁଖ୍ୟମନ୍ତ୍ରୀଙ୍କ ସହ ବୈଠକ କରିଥିଲେ। ଏହା ପରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ତାଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କୁହାଯାଉଥିଲା। ଏହା ପୂର୍ବରୁ ମମତା ବାନାର୍ଜୀ କେନ୍ଦ୍ରର ଆଦେଶ ଅସାମ୍ବିଧାନିକ ଦର୍ଶାଇ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଚିଠି ଲେଖି ଆଦେଶ ପ୍ରତ୍ୟାହାର କରିବାକୁ ଅନୁରୋଧ କରିଥିଲେ। ସେ କହିଥିଲେ ଯେ, ତାଙ୍କ ସରକାର ବନ୍ଦୋପାଧ୍ୟାୟଙ୍କୁ କାର୍ଯ୍ୟମୁକ୍ତ କରିବ ନାହିଁ। ସେ ଲେଖିଥିଲେ, କେନ୍ଦ୍ରର ଏମିତି ନିଷ୍ପତ୍ତିରେ ସେ ସ୍ତବ୍ଧ। ରାଜ୍ୟ ସରକାରଙ୍କ ବିନା ପରାମର୍ଶରେ ଏମିତି ଆଦେଶ ଜାରି କରାଯାଇଥିବା ମମତା ଚିଠିରେ ଉଲ୍ଲେଖ କରିଥିଲେ।

Leave a Reply

Your email address will not be published. Required fields are marked *