ରାଜ୍ୟ

ରାଜ୍ୟରେ ପୁଣି ଥରେ ଲକଡାଉନ୍‌ ବଢାଇବେ କି ସରକାର ?

ଭୁବନେଶ୍ୱର : ଜୁନ୍ ୧ ଯାଏଁ ବଢ଼ିଥିବା ଲକଡାଉନ୍‌ କଟକଣାକୁ ଆଗକୁ ବଢ଼ାଇବେ କି ସରକାର? ବିଶେଷଜ୍ଞଙ୍କ ମତରେ ରାଜ୍ୟରେ ସଂକ୍ରମଣ ପିକ୍ ଅତିକ୍ରମ କରି ସାରିଲାଣି। ରାଜ୍ୟରେ ଗୋଟିଏ ସମୟରେ ଟେଷ୍ଟ ପଜିଟିଭ୍ ରେଟ୍ ବା ଟିପିଆର୍ ୨୬ ପ୍ରତିଶତ ଥିବା ବେଳେ ଏବେ ତାହା ୧୪ ପ୍ରତିଶତକୁ ଖସିଛି। ତେଣୁ ସେ ଦୃଷ୍ଟିରୁ ସଂକ୍ରମଣ କମିଥିବା କୁହାଯାଇ ପାରେ। କିନ୍ତୁ ଦେଶରେ ଏବେ ଟିପିଆର୍ ୮.୩୫କୁ ଖସି ଆସିଥିଲା ବେଳେ ରାଜ୍ୟରେ ଏହା ଏବେ ବି ୧୦ ପ୍ରତିଶତ ଉପରେ ଥିବାରୁ ଅନ୍ତତଃ ଆଉ ଦୁଇ ସପ୍ତାହ ଲକଡାଉନ୍‌ ସପକ୍ଷରେ ମତ ଦେଇଛନ୍ତି ସ୍ୱାସ୍ଥ୍ୟ ବିଶେଷଜ୍ଞ। ଏହା ଭିତରେ ଦିଲ୍ଲୀରେ ଦୈନିକ ସଂକ୍ରମଣ ଓ ମୃତ୍ୟୁହାର ଖସିବା ପରେ ଆସନ୍ତା ୩୧ ତାରିଖରୁ ଅନଲକ୍‌ ପ୍ରକ୍ରିୟା ଆରମ୍ଭ ହେବବୋଲି ଘୋଷଣା କରିଛନ୍ତି ଦିଲ୍ଲୀ ସରକାର। ହେଲେ ପଶ୍ଚିମବଙ୍ଗ, ତାମିଲନାଡୁ, ଗୋଆ ସରକାର କିନ୍ତୁ ଲକଡାଉନ୍‌ ଅବଧିକୁ ବଢ଼ାଇବା ନେଇ ଘୋଷଣା କରିଛନ୍ତି। ତାମିଲନାଡୁ ଓ ଗୋଆ ସରକାର ତାଲାବନ୍ଦ ଅବଧିକୁ ଜୁନ୍ ୭ ଏବଂ ପଶ୍ଚିମବଙ୍ଗ ଜୁନ୍ ୧୫ ତାରିଖ ପର୍ଯ୍ୟନ୍ତ ବଢାଇଛନ୍ତି। ସେହିପରି ସଂକ୍ରମଣ କମୁଥିଲେ ମଧ୍ୟ ଜୁନ୍ ୧୫ ତାରିଖ ପର୍ଯ୍ୟନ୍ତ ତାଲାବନ୍ଦ ଭଳି କଟକଣାକୁ ବଢ଼ାଇଛନ୍ତି ମହାରାଷ୍ଟ୍ର ସରକାର। ତେଣୁ ରାଜ୍ୟ ସରକାର ମଧ୍ୟ ଅନୁରୂପ ପଦକ୍ଷେପ ନେବା ନେଇପାରନ୍ତି ବୋଲି କୁହାଯାଉଛି। କାରଣ ବାତ୍ୟା ବିପନ୍ନ ଅଞ୍ଚଳରେ ଠିକଣା ଢଙ୍ଗରେ ଟେଷ୍ଟିଂ ହୋଇ ପାରି ନଥିବାରୁ ସେଠି କରୋନା ସ୍ଥିତି କିଭଳି ଅଛି ତାହା ବି ଅନୁଧ୍ୟାନ କରିବାର ଅଛି। ଟିକାକରଣ ମଧ୍ୟ ଏ ପର୍ଯ୍ୟନ୍ତ ତ୍ୱରାନ୍ୱିତ ହୋଇପାରିନାହିଁ। ତେବେ ଲୋକଙ୍କ ଜୀବନ ଓ ଜୀବିକାକୁ ଆଖି ଆଗରେ ରଖି ଯାହା ଉଚିତ୍ ହେବ ରାଜ୍ୟ କୋଭିଡ୍ ପରାମର୍ଶଦାତା କମିଟି ଏନେଇ ସରକାରଙ୍କୁ ପରାମର୍ଶ ଦେବେ ବୋଲି କହିଛନ୍ତି କ୍ୟାପିଟାଲ୍ ହସ୍ପିଟାଲ୍ ନିର୍ଦ୍ଦେଶକ। ୟାସ୍ ବାତ୍ୟା ସମୟରେ ଆଶ୍ରୟସ୍ଥଳୀରେ ଲୋକେ ଏକାଠି ହୋଇଥିଲେ। ପୁଣି ଆଗକୁ ଉପକୂଳ ଅଞ୍ଚଳର ବଡ଼ ପର୍ବ ରଜ ଓ ସାବିତ୍ରୀ ବି ଆସୁଛି। ଏହି ସମୟରେ ଦୋକାନ ବଜାର ଭିଡ଼ ଜମିବ। ତେଣୁ ଏସବୁ ଦେଖି ରାଜ୍ୟ ସରକାର ସଂକ୍ରମଣର ଚେନକୁ ରୋକିବାକୁ ଲକଡାଉନ୍‌କୁ ବଢ଼ାଉଛନ୍ତି କି, ଅନ୍ୟ କେଉଁ ଷ୍ଟ୍ରାଟେଜି ନେଉଛନ୍ତି ତାକୁ ଅପେକ୍ଷା।

Leave a Reply

Your email address will not be published. Required fields are marked *