ମନୋରଞ୍ଜନମହାନଗରରାଜ୍ୟ

ଓଡ଼ିଆ ସଙ୍ଗୀତ ନିର୍ଦ୍ଦେଶକ ଶାନ୍ତିରାଜ ଖୋସଲାଙ୍କ ପରଲୋକ

କଟକ: ବିଶିଷ୍ଟ ଓଡ଼ିଆ ସଙ୍ଗୀତ ନିର୍ଦ୍ଦେଶକ ଶାନ୍ତିରାଜ ଖୋସଲାଙ୍କ ପରଲୋକ ହୋଇଛି। ଆଜି ସକାଳେ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି। ମୃତ୍ୟୁ ବେଳକୁ ତାଙ୍କୁ ୫୫ ବର୍ଷ ବୟସ ହୋଇଥିଲା। ତାଙ୍କ ଦେହାନ୍ତ ନେଇ ଶାନ୍ତିରାଜଙ୍କ ପରିବାର ପକ୍ଷରୁ ସୂଚନା ଦିଆଯାଇଛି।

ମେ’ ୨୨ରେ ସେ କରୋନା ପଜିଟିଭ ଚିହ୍ନଟ ହୋଇଥିଲେ ଓ ଘରେ ହୋମ୍‌ ଆଇସୋଲେସନରେ ଥିଲେ। ଆଜି ସକାଳେ ସେ ନିଃଶ୍ୱାସପ୍ରଶ୍ୱାସ ନେବାରେ କଷ୍ଟ ଅନୁଭବ କରିଥିଲେ। ଏହାପରେ ତାଙ୍କୁ କଟକ SCB କୋଭିଡ୍ ଆଉଟ୍‌ଡୋରରେ ଭର୍ତ୍ତି କରାଯାଇଥିଲା। ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ତାଙ୍କ ପରଲୋକରେ ଓଲିଉଡ୍‌ ଜଗତରେ ଶୋକର ଛାୟା ଖେଳି ଯାଇଛି।

ଶାନ୍ତିରାଜ ଖୋସଲାଙ୍କ ପରଲୋକରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୋକ ପ୍ରକାଶ କରିଛନ୍ତି। ଟ୍ୱିଟ୍‌ କରି ସେ କହିଛନ୍ତି, ‘ବିଶିଷ୍ଟ ସଙ୍ଗୀତ ନିର୍ଦ୍ଦେଶକ ଶାନ୍ତିରାଜ ଖୋସଲାଙ୍କ ଦେହାନ୍ତ ବିଷୟରେ ଜାଣି ମୁଁ ଦୁଃଖିତ। ନିଜର ସ୍ୱତନ୍ତ୍ର ସଙ୍ଗୀତ ରଚନା ଶୈଳୀ ପାଇଁ ସେ ସର୍ବଦା ସ୍ମରଣୀୟ ରହିବେ। ତାଙ୍କ ଅମର ଆତ୍ମାର ସଦଗତି କାମନା କରିବା ସହ ଶୋକସନ୍ତପ୍ତ ପରିବାରବର୍ଗଙ୍କ ପ୍ରତି ମୋର ସମବେଦନା ଜଣାଉଛି।’

ଦୀର୍ଘ ବର୍ଷ ଧରି ଶାନ୍ତିରାଜ କଟକ ମକରାବାଗରେ ରହି ଆସୁଥିଲେ। ହେଲେ ତାଙ୍କ ପ୍ରକୃତ ଘର କୋରାପୁଟ ଜିଲ୍ଲା ଜୟପୁରରେ। ସେ ଓଲିଉଡ୍‌ ଇଣ୍ଡଷ୍ଟ୍ରିରେ ଜଣେ ଜଣାଶୁଣା ମ୍ୟୁଜିକ୍‌ ଡାଇରେକ୍ଟର, ମ୍ୟୁଜିକ୍‌ ଆରେଞ୍ଜର ଭାବେ ବେଶ୍‌ ପରିଚିତ ଥିଲେ। ଫିଲ୍ମ ‘ଡନ୍‌’, ‘ମୋ ସପନର ସୌଦାଗର’, ‘କେଉଁ ଦୁନିଆରୁ ଆସିଲ ବନ୍ଧୁ’, ‘ଧନରେ ରଖିବୁ ଶପଥ ମୋର’, ‘ତୋ ବିନା ମୋ କାହାଣୀ ଅଧା’ ଭଳି ଅନେକ ଫିଲ୍ମରେ ସେ ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ। ସେହିପରି ସେ ଅନେକ ହିଟ୍‌ ଆଲବମ୍‌ ଯଥା ‘ପ୍ରଥମ ପ୍ରେମର ପ୍ରଥମ ଚିଠି’, ‘ହସ ଗୋଟେ ଓଠ ତଳ ଗାଁର ନାଁ’ର ମଧ୍ୟ ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ। ‘ଜାଇ ଫୁଲ ଲୋ ଜାଇ ଫୁଲ’, ‘ବାଇ ଚଢ଼େଇ’ ଓ ‘ଏମିତି ରଙ୍ଗ ଦେ ଲୋ ଫୁଲ’ ଭଳି ଗୀତ ଗୁଡ଼ିକର ସେ ମ୍ୟୁଜିକ୍‌ ଆରେଞ୍ଜର ଥିଲେ।

Leave a Reply

Your email address will not be published. Required fields are marked *