ରାଜ୍ୟ

ବାତ୍ୟା ସମୟରେ ରାଜ୍ୟରେ ଜନ୍ମ ନେଇଛନ୍ତି ୩୦୦ରୁ ଅଧିକ ଶିଶୁ

ଭୁବନେଶ୍ବର :  ପ୍ରାୟ ପ୍ରତିବର୍ଷ ଓଡ଼ିଶା ବାତ୍ୟାର ସମ୍ମୁଖୀନ ହେଉଛି । କେତେବେଳେ ଓଡ଼ିଶାକୁ ତିତଲି ମାଡ଼ କରିଛି ତ ଆଉ କେତେବେଳେ ଫନି। ଏବେ ଓଡ଼ିଶାରେ ତାଣ୍ଡବ ରଚିଯାଇଛି ବାତ୍ୟା ‘ୟାସ୍‌’। ବାତ୍ୟା ନାମକରଣ ଓମାନ କରିଥିବା ବେଳେ ଏହାର ଉଚ୍ଚାରଣ ‘ୟସ୍’ ବୋଲି କରାଯାଉଛି। ସେପଟେ ବାତ୍ୟା ସମୟରେ ଓଡ଼ିଶାରେ ଜନ୍ମ ନେଉଥିବା ନବଜାତକଙ୍କ ନାଁ ବାତ୍ୟାର ନାମାନୁସାରେ ହେଉଛି। ଏହା ଏକ ପରମ୍ପରାରେ ପରିଣତ ହୋଇଥିବା କହିଲେ ଅତ୍ୟୁକ୍ତି ହେବ ନାହିଁ।

ବାତ୍ୟା ତିତଲି ସମୟରେ ଅନକେ କନ୍ୟା ସନ୍ତାନଙ୍କ ନାଁକୁ ‘ତିତ୍‌ଲି’ ବୋଲି ରଖିଥିଲେ ସେମାନଙ୍କ ଅଭିଭାବକ । ସେହିଭଳି ଜନ୍ମ ନେବା ପରେ ବାତ୍ୟା ୟାସ୍‌ର ନାଁ ପାଇଛନ୍ତି ଶତାଧିକ ଶିଶୁ। ସୂଚନା ଅନୁସାରେ ବାତ୍ୟା ସମୟରେ ଜନ୍ମ ନେଇଥିବା ୩୦୦ରୁ ଉର୍ଦ୍ଧ୍ବ ଶିଶୁଙ୍କ ନାମକରଣ ପ୍ରାୟତଃ ବାତ୍ୟାର ନାଁ ଅନୁସାରେ ହୋଇଛି।  ଅନେକ ପରିବାର ସେମାନଙ୍କ ପିଲାର ନାଁ ‘ୟାସ୍‌’ କିମ୍ବା ‘ୟସ୍‌’ ବୋଲି ଦେଇଛନ୍ତି।

ସୋମବାର ଏବଂ ମଙ୍ଗଳବାର ବାତ୍ୟାର ପ୍ରକୋପରେ ରାଜ୍ୟର ଉପକୂଳବର୍ତ୍ତୀ ଜିଲ୍ଲା ବିଶେଷ କରି କେନ୍ଦ୍ରାପଡା, ଭଦ୍ରକ ଏବଂ ବାଲେଶ୍ବରରେ ବ୍ୟାପକ କ୍ଷୟକ୍ଷତି ହୋଇଛି। ସ୍ଥିତି ଏମିତି ହୋଇଥିଲା ଯେ ଲୋକେ ବାତ୍ୟା ଆଶ୍ରୟ ସ୍ଥଳରେ ରହିବାକୁ ବାଧ୍ୟ ହୋଇଥିଲେ। ଏବେ ବାତ୍ୟା ‘ୟାସ୍‌’ କମଜୋର ହେବା ସହ ଝାଡ଼ଖଣ୍ଡ ଆଡ଼କୁ ଗତି କରୁଛି।

ବାତ୍ୟା ଆଶ୍ରୟସ୍ଥଳରେ ଆଶ୍ରୟ ନେଇଥିବା ଲୋକେ ଏବେ ନିଜ ନିଜ ଘରକୁ ଫେରୁଛନ୍ତି। ଜଗତସିଂହପୁର, କେନ୍ଦ୍ରାପଡ଼ା ଏବଂ ଯାଜପୁର ଜିଲ୍ଲାର ଅଧିକାଂଶ ଲୋକେ ବୁଧବାର ନିଜ ଘରକୁ ଫେରିଥିବା ବେଳେ ଅନ୍ୟମାନେ ଗୁରୁବାର ନିଜ ଘରକୁ ଫେରୁଛନ୍ତି । ଯଦିଓ ବାତ୍ୟା ୟାସ୍‌ ଭୟଙ୍କର ରୂପ ଧାରଣ କରିନଥିଲା ତଥାପି ଅନେକ ବାସହରା ହୋଇଥିବା ଅନୁମାନ କରାଯାଉଥିବା ବେଳେ ରାସ୍ତାଘାଟ ବିପର୍ଯ୍ୟସ୍ତ ହୋଇପଡ଼ିଛି । ଏବେ ବାତ୍ୟା ପ୍ରଭାବିତ ଜିଲ୍ଲାରେ ପୁନରୁଦ୍ଧାର କାର୍ଯ୍ୟ ଚାଲୁରହିଛି। 

Leave a Reply

Your email address will not be published. Required fields are marked *