ରାଜ୍ୟ

ଜୀବନ ଯୁଦ୍ଧରେ ହାରିଗଲେ ସଂଗ୍ରାମ

ପୁରୀ (ବସନ୍ତ ଦାସ) : ପୁଣି ରାଜ୍ୟରେ ଶୋକର ଛାୟା, ପୁଣି କରୋନା ସହ ଯୁଦ୍ଧ କରି ହାରିଗଲେ ଆଉ ଜଣେ ଯୁବ ସାମ୍ବାଦିକ। ପୁରୀ ଜିଲ୍ଲା କୋଣାର୍କର ଯୁବ ସାମ୍ବାଦିକ ସଂଗ୍ରାମ କେଶରୀ ମହାପାତ୍ର, ଦୈନିକ ଓଡ଼ିଆ ଖବର କାଗଜ “ସମୟ” ର ପ୍ରତିନିଧି ଗତ କିଛି ଦିନ ଧରି କୋଭିଡରେ ଆକ୍ରାନ୍ତ ହୋଇ ଭୁବନେଶ୍ୱରରେ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ। ଗତ ମେ ୧୦ ତାରିଖରେ ନିଜର ସ୍ୱାସ୍ଥ୍ୟବସ୍ଥା ଯାଞ୍ଚ କରିବାକୁ ସେ କୋଭିଡ ଟେଷ୍ଟ କରିଥିଲେ ୧୨ ତାରିଖରେ ତାଙ୍କ ରିପୋର୍ଟ ପଜିଟିଭ ଆସିଥିଲା। ପ୍ରଥମେ କୋଣାର୍କ କୋଭିଡ କେୟାର ସେଣ୍ଟରରେ ଭର୍ତ୍ତି ହେବା ପରେ ଶ୍ଵାସ କ୍ରିୟାରେ ସମସ୍ୟା ସୃଷ୍ଟି ହେବାରୁ ପୁରୀ ଏବଂ ପରେ ଭୁବନେଶ୍ୱରରେ ଏକ ହସ୍ପିଟାଲକୁ ସ୍ଥାନାନ୍ତରିତ କରାଯାଇଥିଲା। ଜୀବନ ଯୁଦ୍ଧରେ ଶେଷରେ ଗତ ରବିବାର ଦିନ ରାତି ୧୧.୨୫ରେ ସେ ଶେଷ ନିଶ୍ଵାସ ତ୍ୟାଗ କରିଥିଲେ।

ଶିକ୍ଷାଗତ ଯୋଗ୍ୟତାରେ ଇଂଜିନିୟରିଂ କରିଥିଲେ ବି ନିଜ ପିତାଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ଲକ୍ଷାଧିକ ଟଙ୍କାର ଚାକିରୀ ଛାଡି ସେ ସାମ୍ବାଦିକତାକୁ ନିଜର ନିଶା କରି ନେଇଥିଲେ। ନିଜ ସାମ୍ବାଦିକ ଜୀବନରେ କୋଣାର୍କ ଅଞ୍ଚଳର ବିକାଶ ଓ ଉନ୍ନତି ପାଇଁ ନିର୍ଭୀକ ଭାବେ ନିଜ ଲେଖନୀରେ ସ୍ୱର ଉତ୍ତୋଳନ କରିଆସୁଥିଲେ। ପୁରୀ ଜିଲ୍ଲା ପେଷାଦାର ସାମ୍ବାଦିକ ସଂଘର ସଭାପତି ରାଜ୍ୟର କେତେଜଣ ହାତଗଣତି ବରିଷ୍ଠ ସାମ୍ବାଦିକ ମଧ୍ୟରୁ ଜଣେ ଜଣାଶୁଣା ବ୍ୟକ୍ତି ତ୍ରିବିକ୍ରମ ରାମକୃଷ୍ଣ ମହାପାତ୍ରଙ୍କ ଜ୍ୟୋଷ୍ଠ ପୁତ୍ର ଥିଲେ ସଂଗ୍ରାମ ।

୨୧ -୫-୧୯୮ ରେ ଜନ୍ମ ଗ୍ରହଣ କରି ୨୩-୦୫-୨୦୨୧ରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ଗତକାଲି ତାଙ୍କର ଅନ୍ତିମ ସଂସ୍କର ସତ୍ୟନଗର ସ୍ମଶାନରେ ହୋଇଛି ।ପିତା ତ୍ରିବିକ୍ରମ ରାମକୃଷ୍ଣ ମହାପାତ୍ର, ଭାଇ ସମ୍ପଦ ମହାପାତ୍ର ଙ୍କ ସହ ଉତ୍କଳ ସାମ୍ବାଦିକ ସଂଘର ସଭାପତି ବିଭୁତି ଭୂଷଣ କର ନିଜେ ସ୍ମଶାନରେ ଉପସ୍ଥିତ ଥିଲେ। ତାଙ୍କ ମୃତ୍ୟୁରେ ପୁରୀ ଜିଲ୍ଲାରେ ଶୋକର ଛାୟା ଖେଳିଯାଇଛି। ଗତକାଲି ସନ୍ଧ୍ୟାରେ ପୁରୀ ଜିଲ୍ଲାପାଳଙ୍କ ନିର୍ଦ୍ଦେଶରେ ଗୋପ ଅତିରିକ୍ତ ତହସିଲଦାର ଓ କୋଣାର୍କ ଥାନା  ଅଧିକାରୀଙ୍କ ଉପସ୍ଥିତରେ ତାଙ୍କ ପରିବାରକୁ ରେଡ଼କ୍ରସ ପକ୍ଷରୁ ୧୦ ହଜାର ଟଙ୍କା ସହାୟତା ଯୋଗାଇ ଦିଆଯାଇଛି। 

Leave a Reply

Your email address will not be published. Required fields are marked *