ରାଜ୍ୟ

ଏଣିକି ଅନ୍‌ଲାଇନ୍‌ରେ ମିଳିବ କୋଭିଡ ରିପୋର୍ଟ

ଭୁବନେଶ୍ୱର: କୋଭିଡ ରିପୋର୍ଟ ପ୍ରଦାନକୁ ସରଳୀକୃତ କରିବା ନେଇ ରାଜ୍ୟ ସରକାରଙ୍କ ନୂଆ ପଦକ୍ଷେପ । ଏଣିକି ଅନ୍‌ଲାଇନ୍ ମାଧ୍ୟମରେ କୋଭିଡ ଓ୍ୱେବସାଇଟ୍‌ରୁ ରିପୋର୍ଟ ପାଇପାରିବେ ଲୋକେ । ଆରଟି ପିସିଆର କିମ୍ବା ରାପିଡ୍ ଆଣ୍ଟିଜେନ୍ ପରୀକ୍ଷ ପାଇଁ ନମୁନା ଦେଇଥିବା ବ୍ୟକ୍ତି ରାଜ୍ୟ ସରକାରଙ୍କ ୱେବସାଇଟରୁ ସେମାନଙ୍କ ରିପୋର୍ଟ ପାଇପାରିବେ । କେବଳ ସେମାନଙ୍କ ପଞ୍ଜିକୃତ ମୋବାଇଲ୍ ନମ୍ବର କିମ୍ବା ଏସଆରଏଫ ଆଇଡି ଦାଖଲ କରି ନିଜର ନମୁନା ପରୀକ୍ଷା ଫଳାଫଳ ଜାଣିପାରିବେ । ଆବଶ୍ୟକସ୍ଥଳେ ଏହାକୁ ଡାଉନଲୋଡ୍ ମଧ୍ୟ କରିପାରିବେ । ସ୍ୱାସ୍ଥ୍ୟ ବିଭାଗ ଓ ଇଲେକ୍ଟ୍ରୋନିକ୍ସ ଏବଂ ଆଇଟି ବିଭାଗର ଏହି ଅଭିନବ ବ୍ୟବସ୍ଥା ଦ୍ୱାରା ଲୋକମାନଙ୍କୁ ରିପୋର୍ଟ ସଂଗ୍ରହ କରିବା ପାଇଁ ପରୀକ୍ଷା କେନ୍ଦ୍ରକୁ ଯିବାକୁ ପଡ଼ିବ ନାହିଁ।

ଏହି ଡିଜିଟାଲ୍ ପରୀକ୍ଷା ରିପୋର୍ଟରେ ନମୁନା ପରୀକ୍ଷା କରିଥିବା ବ୍ୟକ୍ତିଙ୍କ ସମସ୍ତ ବିବରଣୀ ରହିବ। ଏଥିସହ ଏହି ରିପୋର୍ଟରେ ଥିବା କ୍ୟୁଆର କୋଡ୍ ଯୋଗେ ପ୍ରାଧିକୃତ ସାଂସ୍ଥ ଯେକୌଣସି ସମୟରେ ରିପୋର୍ଟର ସତ୍ୟାସତ୍ୟ ଯାଞ୍ଚ କରିପାରିବେ। “ମହାମାରୀ ବିରୋଧରେ ଲଢ଼େଇରେ ଟେକ୍ନୋଲୋଜି ଏକ ଗୁରୁତ୍ୱପୂର୍ଣ୍ଣ ଅସ୍ତ୍ର ପାଲଟିଛି। ଏହି ଅଭିନବ ବ୍ୟବସ୍ଥା ରିପୋର୍ଟ ସଂଗ୍ରହ ପ୍ରକ୍ରିୟାକୁ ସହଜ କରିବା ଦ୍ୱାରା ଲୋକଙ୍କୁ ସୁବିଧାରେ କୋଭିଡ ରିପୋର୍ଟ ମିଳିବା ସହ ଏହି କଠିନ ସମୟରେ ଜନସାଧାରଣଙ୍କ ପାଇଁ ଯଥେଷ୍ଟ ଉପଯୋଗୀ ହେବ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି । ଓ୍ୱେବସାଇଟ୍‌ର ଉଦ୍‌ଘାଟନ ଅବସରରେ ସେ  ଆହୁରି କହିଛନ୍ତି, “ରାଜ୍ୟବାସୀଙ୍କ ମୂଲ୍ୟବାନ ଜୀବନ ସୁରକ୍ଷିତ କରିବା ପାଇଁ ଓଡ଼ିଶା ସରକାର କୋଭିଡ ପରୀକ୍ଷାଠାରୁ ଆରମ୍ଭ କରି ଚିକିତ୍ସା ପର୍ଯ୍ୟନ୍ତ ସମସ୍ତ ସେବା ମାଗଣାରେ ଯୋଗାଇ ଦେଉଛନ୍ତି। ଏଥିସହ ମୁଖ୍ୟମନ୍ତ୍ରୀ ଆହୁରି ଉଲ୍ଲେଖ କରିଛନ୍ତି ଯେ, “ଆମେ କୋଭିଡ ପରୀକ୍ଷାକୁ ଆହୁରି ବ୍ୟାପକ କରିବା ପାଇଁ ବିଭିନ୍ନ ଜିଲ୍ଲାରେ ଆରଟି ପିସିଆର ପରୀକ୍ଷା କେନ୍ଦ୍ର ପ୍ରତିଷ୍ଠା କରୁଛୁ। ଯେଉଁଠାରେ ଲୋକମାନଙ୍କୁ ପ୍ରତିଦିନ ସେବା ଯୋଗାଇ ଦିଆଯିବ। ଯାହା ଆମର କୋଭିଡ ମହାମାରୀ ବିରୋଧୀ ଲଢେଇରେ ଆହୁରି ଦୃଢତା ଭରିବ।”

Leave a Reply

Your email address will not be published. Required fields are marked *