ରାଜ୍ୟ

ବାହା ବେଦୀରୁ ବରକୁ ଉଠାଇ ନେଲା ପ୍ରଶାସନ

ଦିଗପହଣ୍ଡି: ସ୍ଥଗିତ ହେଲା ବାହାଘର, ଫେରିଗଲା କନ୍ୟା । କରୋନା ରିପୋର୍ଟ ପଜିଟିଭ୍ ଆସିବା ପରେ ଚଢ଼ାଉ କରି ବାହାଘରକୁ ସ୍ଥଗିତ ରଖିଛି ଜିଲ୍ଲା ପ୍ରଶାସନ । ବରକୁ ଆଇସୋଲେସନରେ ପଠାଇବା ସହ କନ୍ୟାକୁ ଘରକୁ ପଠାଇ ଦେଇଛି ସ୍ଥାନୀୟ ପ୍ରଶାସନ । ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ବ୍ଲକ୍ ପାଟପୁର ଥାନା ଦସେଇପୁର ଗାଁରେ ଦେଖିବାକୁ ମିଳିଛି ଏଭଳି ଘଟଣା ।

ଘଟଣାନୁଯାୟୀ ବର ଜଣଙ୍କ ଗତ ୧୭ ତାରିଖରେ କରୋନା ଟେଷ୍ଟ କରାଇଥିବା ବେଳେ ଆଜି ତାଙ୍କ ରିପୋର୍ଟ ପଜିଟିଭ ଆସିଥିଲା । କିନ୍ତୁ ଏହା ସତ୍ତ୍ୱେ ପରିବାର ଲୋକେ ତାଙ୍କ ବାହାଘର ପାଇଁ ପ୍ରସ୍ତୁତି ଚଳାଥିଲେ । ଏ ନେଇ ଅନ୍ୟ କାହାକୁ ଅବଗତ ନ କରାଇ ବାହାଘର ରୀତିନୀତି ମଧ୍ୟ ଆରମ୍ଭ କରିଥିଲେ । ତେବେ ଘଟଣା ନେଇ ଖବର ପାଇବା ପରେ ସ୍ଥାନୀୟ ପ୍ରଶାସନ ଓ ପୋଲିସ ମିଳିତ ଭାବେ ଘଟଣାସ୍ଥଳରେ ପହଞ୍ଚି ବାହାଘରକୁ ସ୍ଥଗିତ ରଖିଛନ୍ତି। ଏବଂ ବର ଜଣଙ୍କ ସମ୍ପୂର୍ଣ୍ଣ ସୁସ୍ଥ ହେବାର ୩୦ ଦିନ ପରେ ସମ୍ପୂର୍ଣ୍ଣ ପରିବାର କରୋନା ଟେଷ୍ଟ କରାଇ ବାହାଘର କରାଇବା ନେଇ ପରିବାର ଲୋକଙ୍କ ଠାରୁ ଲିଖିତ ପ୍ରତିଶ୍ରୁତି ରଖିଛି ପ୍ରଶାସନ । ତେବେ ବର ଜଣଙ୍କ କରୋନା ରିପୋର୍ଟ ସମ୍ପର୍କରେ କନ୍ୟା ଘର ଲୋକଙ୍କୁ ଅବଗତ ନଥିବା କୁହାଯାଇଛି ।

ସୂଚନା ଥାଉ କି, ଗ୍ରାମାଞ୍ଚଳରେ ଦିନକୁ ଦିନ ସଂକ୍ରମଣ ହାର ବଢ଼ିଚାଲିଥିବା ବେଳେ ଏହାକୁ ଦୃଷ୍ଟିରେ ରଖି ସରକାର ଲକଡାଉନ୍ ଅବଧି ଜୁନ୍ ୧ ଯାଏଁ ବୃଦ୍ଧି କରିଛନ୍ତି । ଏଥିସହ ବାହାଘର ଭୋଜି ନିମନ୍ତେ ୫୦ ଜଣଙ୍କୁ ପୂର୍ବରୁ ଅନୁମତି ଦିଆଯାଇଥିବା ବେଳେ ବର୍ତ୍ତମାନ କେବଳ ୨୫ ଜଣଙ୍କୁ ନେଇ ଆୟୋଜନ କରାଯିବ ବୋଲି ନିର୍ଦ୍ଦେଶ ରହିଛି । ଏହାସହ ଭୋଜି ଆୟୋଜନକାରୀଙ୍କ ରିପୋର୍ଟ ନେଗେଟିଭ ଆସିଲେ ହିଁ ବାହାଘର ହୋଇପାରିବ ବୋଲି ଗଞ୍ଜାମ ଜିଲ୍ଲା ପ୍ରଶାସନ ନିଷ୍ପତ୍ତି ନେଇଛନ୍ତି । ବାହାଘର ସମୟରେ ଭୋଜି ସମ୍ପୂର୍ଣ୍ଣ ବନ୍ଦ ଓ ଅତିଥିଙ୍କୁ ଘରେ ନ ପୁରାଇବା, ଗହଳି ଚହଳି ନକରିବା ପାଇଁ ବାରଣ କରାଯାଇଥିବା ବେଳେ କେବଳ ଖାଦ୍ୟ ପାର୍ସଲ ଦେବାକୁ କୁହାଯାଇଛି । ତଥାପି ମାନୁ ନାହାଁନ୍ତି ଅମାନିଆ । ଯାହାର ଏକ ଉଦାହରଣ ହେଉଛି ସାନଖେମୁଣ୍ଡି ବ୍ଲକ୍ ଦସେଇପୁର ଗାଁ ଘଟଣା ।

Leave a Reply

Your email address will not be published. Required fields are marked *