ମହାନଗରରାଜ୍ୟ

ଲକ୍‌ଡାଉନ୍ ସମୟରେ ଆହାର ପାଲଟିଛି ସାହାରା

ଭୁବନେଶ୍ୱର : ଲକ୍‌ଡାଉନ୍ ସମୟରେ ଏବେ ଲୋକଙ୍କ ଭୋକ ମେଣ୍ଟାଉଛି ଆହାର କେନ୍ଦ୍ର । ଭୋକିଲା ଲୋକଙ୍କ ପାଇଁ ସାହାରା ପାଲଟିଛି । ବିଶେଷକରି, ଡାକ୍ତରଖାନାକୁ ଆସୁଥିବା ରୋଗୀଙ୍କ ସମ୍ପର୍କୀୟଙ୍କ ସହିତ ଅନେକ ଗରିବ ଲୋକଙ୍କ ପାଇଁ ଏହା ବରଦାନ ସଦୃଶ ହୋଇଛି । କରୋନାର ୨ୟ ସଂକ୍ରମଣ ତୀବ୍ର ହୋଇଥିଲେ ମଧ୍ୟ ଲୋକଙ୍କ ଆବଶ୍ୟକତାକୁ ଚାହିଁ ମାସ ୫ତାରିଖରୁ ଲକ୍‌ଡାଉନ୍ ଆରମ୍ଭ ଦିନଠାରୁ ଆହାର କେନ୍ଦ୍ରଗୁଡ଼ିକ ଯଥାରିତି ଖୋଲାରହିଛି । ତେବେ କର୍ତ୍ତୃପକ୍ଷ ସଂକ୍ରମଣକୁ ଦୃଷ୍ଟିରେ ରଖି ଏହା ସମୟରେ ଆହାର କେନ୍ଦ୍ରରେ ବସି ଖାଇବା ଅପେକ୍ଷା ଲୋକଙ୍କୁ ଖାଦ୍ୟସାମଗ୍ରୀ ପୁଡ଼ିଆ ଆକାରରେ ଦେବାକୁ ନିଷ୍ପତ୍ତି ନେଇଛନ୍ତି ।

ମିଳିଥିବା ସୂଚନାନୁଯାୟୀ, ଲକ୍‌ଡାଉନ୍‌ର ପ୍ରଥମ ଦିନ ସର୍ବାଧିକ ୧୬୬ଟି ଆହାର କେନ୍ଦ୍ର ଖୋଲିଥିବାବେଳେ, ଏଠାରେ ପ୍ରାୟ ୩୧ହଜାର ମିଲ୍ ବିକ୍ରୟ ହୋଇଥିଲା । ମଇ ୫ରୁ ଗତକାଲି ୨୦ତାରିଖ ମଧ୍ୟରେ ୨ଟି ଶନିବାର ୮ ଓ ୧୫ ତାରିଖକୁ ବାଦ୍‌ଦେଲେ ଅନ୍ୟ ପ୍ରାୟ ସବୁଦିନ ୧୬୩ରୁ ଅଧିକ ଆହାର କେନ୍ଦ୍ର କାର୍ଯ୍ୟ କରୁଥିଲା । ଲକ୍‌ଡାଉନ୍ ଅବଧି ବଢ଼ିବା ସହିତ ଆହାର କେନ୍ଦ୍ରଗୁଡ଼ିକରେ ଲୋକଙ୍କ ମିଲ୍ ସଂଗ୍ରହ ପରିମାଣ ବଢ଼ି ୧୭ ଓ ୧୮ତାରିଖ ବେଳକୁ ଏହା ୪୦ହଜାରକୁ ଟପିଯାଇଥିଲା । ଡାକ୍ତରଖାନା ପରିସରରେ ଥିବା ଆହାର କେନ୍ଦ୍ର ଗୁଡ଼ିକରେ ସଂଖ୍ୟାଧିକ ରୋଗୀଙ୍କ ସମ୍ପର୍କୀୟ ଖାଦ୍ୟପୁଡ଼ିଆ ସଂଗ୍ରହ କରୁଥିବାର ଲକ୍ଷ୍ୟ କରାଯାଇଛି । ଉକ୍ତ ସମୟ ମଧ୍ୟରେ ରାଜ୍ୟର ଆହାର କେନ୍ଦ୍ରଗୁଡ଼ିକରେ ମୋଟ ୪ଲକ୍ଷ ୬୧ହଜାରରୁ ଅଧିକ ମିଲ୍ ଲୋକେ ନେଇଥିବା ଜଣାଯାଇଛି ।

କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଏଠାରେ କାର୍ଯ୍ୟରତ କର୍ମଚାରୀ ଓ ଖାଦ୍ୟ ସଂଗ୍ରହ କରିବାକୁ ଆସୁଥିବା ଲୋକମାନେ ଯେଭଳି ସୁରକ୍ଷିତ ରହିବେ; ସେଥିପାଇଁ କର୍ତ୍ତୃପକ୍ଷ ସମସ୍ତ ପ୍ରକାରର ପଦକ୍ଷେପ ଗ୍ରହଣ କରିଛନ୍ତି । ପ୍ରତ୍ୟେକ ଆହାର କେନ୍ଦ୍ରକୁ ସଫାସୁତୁରା ରଖାଯିବା ସହ ସାଧାରଣ ଲୋକଙ୍କ ପାଇଁ ସାନିଟାଇଜର୍ ଯୋଗାଇ ଦିଆଯାଇଛି । ଆହାର କେନ୍ଦ୍ରରେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ ହୋଇଥିବାବେଳେ ଏବଂ ସାମାଜିକ ଦୂରତାକୁ ସର୍ବାଧିକ ଗୁରୁତ୍ୱ ଦିଆଯାଇଛି । ବିନା ମାସ୍କରେ ଆସିଲେ ଖାଦ୍ୟ ମିଳିବନାହିଁ ବୋଲି ଲୋକଙ୍କୁ ଅବଗତ କରାଯାଇଛି ।

ଯେହେତୁ ଲୋକେ ଏଠାରୁ ଖାଦ୍ୟ ସଂଗ୍ରହ କରୁଛନ୍ତି; ତେଣୁ ଆହାର କେନ୍ଦ୍ର ପରିସରରେ ଆଦୌ ଗହଳି ପରିଲକ୍ଷିତ ହୋଇନି । ଉଲ୍ଲେଖନୀୟ ଯେ, ଲକ୍‌ଡାଉନ୍ ସମୟରେ ଅତ୍ୟାବଶ୍ୟକ ସେବାକୁ ବାଦ୍ ଦେଲେ ଛୋଟ ଛୋଟ ହୋଟେଲ ଓ ଖାଇବା ଦୋକାନ ଖୋଲିବା ଉପରେ କଟକଣା ଲଗାଯାଇଥିବାରୁ ମେଡିକାଲକୁ ଆସୁଥିବା ରୋଗୀ ଓ ସେମାନଙ୍କ ସମ୍ପର୍କୀୟ ଏବଂ ଗରିବ ଲୋକଙ୍କ ପାଇଁ ଆହାର କେନ୍ଦ୍ର ବେଶ୍ ସହାୟକ ହୋଇପାରିଛି । ଲକ୍‌ଡାଉନ୍ ଅବଧି ବଢ଼ିଥିବାବେଳେ ଆହାର କେନ୍ଦ୍ର ପୂର୍ବଭଳି ଖୋଲାରହିବ ବୋଲି ଗୃହ ଓ ନଗର ଉନ୍ନୟନ ବିଭାଗ ସୂତ୍ରରୁ ପ୍ରକାଶ ।

Leave a Reply

Your email address will not be published. Required fields are marked *