ଦେଶ- ବିଦେଶରାଜ୍ୟ

ଅଷ୍ଟମ କିସ୍ତି ଅର୍ଥ ପ୍ରଦାନ କରି କୃଷକଙ୍କ ସହିତ କଥା ହେଲେ ମୋଦୀ

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ପି.ଏମ୍‍ କିଷାନ ବା ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଯୋଜନାର ଅଷ୍ଟମ କିସ୍ତି ଆର୍ଥିକ ସହାୟତା ପ୍ରଦାନ କରିଛନ୍ତି। ଦେଶର ସାଢ଼େ ୯ କୋଟି କୃଷକଙ୍କ ଜମାଖାତାରେ ୨୦ ହଜାର କୋଟିରୁ ଅଧକ ଟଙ୍କା ସିଧାସଳଖ ସୁବିଧା ହସ୍ତାନ୍ତର ଯୋଜନାରେ ଜମା କରାଯାଇଛି। ଏହି ଅବସରରେ ପ୍ରଧାନମନ୍ତ୍ରୀ, ପି.ଏମ୍‍. କିଷାନ ସମ୍ମାନ ନିଧି ଯୋଜନାର ହିତାଧିକାରୀମାନଙ୍କ ସହ ଭାବ ବିନିମୟ କରିଛନ୍ତି। ଉତ୍ତରପ୍ରଦେଶର ଉନାଓ, ଆନ୍ଧ୍ରପ୍ରଦେଶର ଅନନ୍ତପୁର ଏବଂ ମେଘାଳୟର ରି-ଭୋଇ ସମେତ ଦେଶର ବିଭିନ୍ନ ଅଞ୍ଚଳର କୃଷକମାନଙ୍କ ସହ ଆଲୋଚନା କରିଛନ୍ତି।

୨୦୧୯ ମସିହା ଫେବୃୟାରୀ ୧୪ ତାରିଖରୁ ଶୁଭାରମ୍ଭ ହୋଇଥିବା ପି.ଏମ. କିଷାନ ଯୋଜନାରେ ଦେଶର କୋଟି କୋଟି କୃଷକ ଲାଭବାନ ହେଉଛନ୍ତି। ଏହି ଯୋଜନାରେ ପ୍ରତିବର୍ଷ ତିନୋଟି କିସ୍ତିରେ ୬ହଜାର ଟଙ୍କା କୃଷକଙ୍କ ବ୍ୟାଙ୍କ ଖାତାରେ ଜମା କରାଯାଉଛି। ଦେଶର ପ୍ରତ୍ୟେକ କୃଷକଙ୍କ ନିକଟରେ ଏହି ଯୋଜନାର ଲାଭ ପହଞ୍ଚାଇବା ପାଇଁ ସରକାର ପ୍ରତିଶ୍ରୁତିବଦ୍ଧ। ଏପର୍ଯ୍ୟନ୍ତ ୧୧ କୋଟି ୨୮ ଲକ୍ଷ କୃଷକଙ୍କୁ ଏହି ଯୋଜନାର ଲାଭ ମିଳିପାରିଛି। ସିଧାସଳଖ ସୁବିଧା ହସ୍ତାନ୍ତର ଯୋଜନାରେ ଏପର୍ଯ୍ୟନ୍ତ କୃଷକଙ୍କ ଜମାଖାତାରେ ୧ ଲକ୍ଷ ୧୬ ହଜାର କୋଟି ଟଙ୍କା ଜମା କରାଯାଇଛି। କରୋନା ମହାମାରୀର ପ୍ରଥମ ଲହର ସମୟରେ ପ୍ରାୟ ୪୩ ହଜାର କୋଟି ଟଙ୍କା କୃଷକଙ୍କ ବ୍ୟାଙ୍କ ଖାତାରେ ଜମା କରାଯାଇଥିଲା।

Leave a Reply

Your email address will not be published. Required fields are marked *