ରାଜ୍ୟ

ଝାରସୁଗୁଡାରୁ ଚେନ୍ନାଇକୁ ଉଡ଼ିଲା ବିମାନ

ଝାରସୁଗୁଡ଼ା : ଝାରସୁଗୁଡ଼ା ବୀର ସୁରେନ୍ଦ୍ର ସାଏ ବିମାନ ବନ୍ଦରରୁ ଆଜିଠାରୁ ଚେନ୍ନାଇକୁ ବିମାନ ସେବା ଆରମ୍ଭ ହୋଇଛି । ସ୍ପାଇସ୍‌ଜେଟ୍ ପକ୍ଷରୁ ଏହି ସେବା ଆରମ୍ଭ କରାଯାଇଛି । ଆଜି ପ୍ରଥମ ଦିନରେ ଚେନ୍ନାଇରୁ ୯୩ ଜଣ ଯାତ୍ରୀ ଝାରସୁଗୁଡା ଆସିଛନ୍ତି । ସେହିପରି ଝାରସୁଗୁଡ଼ାରୁ ୮୪ ଜଣ ଯାତ୍ରୀ ଚେନ୍ନାଇକୁ ଉଡ଼ାଣ ଭରିଛନ୍ତି । ଆଜି ପ୍ରଥମ ଦିନରେ ଝାରସୁଗୁଡାକୁ ବିମାନଟି ଅପରାହ୍ଣ ୩ଟ୨୦ରେ ପହଞ୍ଚି ପୁଣି ୩ଟା୫୦ରେ ଚେନ୍ନାଇ ଅଭିମୁଖେ ଉଡାଣ ଭରିଥିଲା । ଚେନ୍ନାଇକୁ ବିମାନ ସେବା ଆରମ୍ଭ ହେବା ଚିକିତ୍ସା, ପର୍ଯ୍ୟଟନ, ହୋଟେଲ ଶିଳ୍ପ, ଟେକ୍ସଟାଇଲ ଶିଳ୍ପ ଆଦି ପାଇଁ ସହାୟକ ହେବ । ସ୍ଥାନୀୟ ଲୋକେ ଅଳ୍ପ ସମୟରେ ଏବଂ ଆରାମରେ ଚେନ୍ନାଇରୁ ଝାରସୁଗୁଡ଼ାକୁ ଯାତାୟତ କରିପାରିବେ ବୋଲି ବିମାନ ବନ୍ଦର ନିର୍ଦ୍ଦେଶକ କିଶୋର କୁମାର ସେନାପତି କହିଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି ଯେ, ଆଗାମୀ ଦିନରେ ଦେଶର ପ୍ରତ୍ୟେକ ବିମାନ ବନ୍ଦରକୁ ଝାରସୁଗୁଡ଼ାରୁ ସିଧାସଳଖ ଭାବରେ ବିମାନ ସେବା ପ୍ରଦାନ କରିବା ପାଇଁ ପଦକ୍ଷେପ ଗ୍ରହଣ କରାଯିବ । ପ୍ରକାଶ ଯୋଗ୍ୟ ଯେ, ସ୍ପାଇସ୍‌ଜେଟ୍‌ର ବିମାନ ପ୍ରତ୍ୟେକ ଦିନ ଚେନ୍ନାଇରୁ ଅପରାହ୍ଣ ୧ଟା ୧୦ ମିନିଟ୍‌ରେ ବାହାରି ଅପରାହ୍ଣ ୩ଟାରେ ଝାରସୁଗୁଡା ପହଞ୍ଚିବ । ଏହା ପରେ ଅପରାହ୍ଣ ୩ଟା ୩୦ରେ ଝାରସୁଗୁଡାରୁ ଉଡାଣ ଭରି ୫ଟା ୧୫ରେ ଚେନ୍ନାଇ ପହଞ୍ଚିବା ପାଇଁ ସମୟ ସାରଣୀ ସ୍ଥିର କରାଯାଇଛି । ଅନ୍ୟପଟେ ଝାରସୁଗୁଡା ବୀର ସୁରେନ୍ଦ୍ର ସାଏ ବିମାନ ବନ୍ଦରରୁ ଭୁବନେଶ୍ୱର, ରାୟପୁର, କୋଲକାତା, ହାଇଦ୍ରାବାଦ, ଦିଲ୍ଲୀ, ମୁମ୍ବାଇ ଓ ବେଙ୍ଗଲୋରକୁ ବିମାନ ଚଳାଚଳ କରୁଛି ।

Leave a Reply

Your email address will not be published. Required fields are marked *