ରାଜ୍ୟ

ଚେଙ୍କ ନେଲା ୪ ମାସର ଶିଶୁପୁତ୍ରର ଜୀବନ

ନବରଙ୍ଗପୁର : ଚାରି ମାସ ଶିଶୁ ପୁତ୍ରର ରୋଗ ନିରୂପଣ ହୋଇପାରିଲା ନାହିଁ । ଶେଷରେ ଚେଙ୍କ ନେଲା ଚାରି ମାସ ଶିଶୁ ପୁତ୍ରର ଜୀବନ । ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ବ୍ଲକ ଲକିଗୁଡା ଗ୍ରାମରେ । ତେନ୍ତୁଳିଖୁଣ୍ଟି ବ୍ଲକ ଲମତାଗୁଡା ପଞ୍ଚାୟତର ଲକିଗୁଡା ଗ୍ରାମର ତ୍ରିନାଥ ନାୟକ ଓ ଡମୁଣି ନାୟକଙ୍କ ଶିଶୁ ପୁତ୍ରଙ୍କୁ ୨ ମାସ ହୋଇଥିଲାବେଳେ କେବଳ କାନ୍ଦୁଥିଲା । ପ୍ରଥମେ ତେନ୍ତୁଳିଖୁଣ୍ଟି ଡାକ୍ତରଖାନାକୁ ଆଣି ଡାକ୍ତରଙ୍କୁ ଦେଖାଇ ଔଷଧ ଖୁଆଇଥିଲେ । ତଥାପି ଶିଶୁର ଉନ୍ନତି ନଆସିବାରୁ ଆଶା କର୍ମୀଙ୍କ ସହଯୋଗରେ ନବରଙ୍ଗପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପ୍ରାୟ ୩ ଥର ଆଣି ଚିକିତ୍ସା କରାଇଥିଲେ । ତଥାପି ଶିଶୁର ସ୍ୱାସ୍ଥ୍ୟ ଅବସ୍ଥାରେ ଉନ୍ନତି ଆସି ନ ଥିଲା । ଶେଷରେ ଗତ ୧୦ ଦିନ ପୂର୍ବେ ଶିଶୁର ପେଟ ଓ ଛାତିରେ ପ୍ରାୟ ୫୦ଟି ଚେଙ୍କ ଦିଆଯାଇଥିଲା । ଚେଙ୍କ ଦେବା ପରେ ବି ସେମାନେ ନବରଙ୍ଗପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଆଣି ଚିକିତ୍ସା କରାଇଥିଲେ ବୋଲି କହିଛନ୍ତି ।

ଶେଷରେ ଆଜି ଶିଶୁର ଅବସ୍ଥା ଗୁରୁତର ହେବାରୁ ଶିଶୁର ବାପା ଓ ମା’ ତେନ୍ତୁଳିଖୁଣ୍ଟି ଡାକ୍ତରଖାନାକୁ ଆଣିଥିଲେ । ତେନ୍ତୁଳିଖୁଣ୍ଟି ଡାକ୍ତରଖାନାର ଡାକ୍ତର ସଚ୍ଚିକାନ୍ତ ଲେଙ୍କା ଶିଶୁକୁ ମୃତ ଘୋଷଣା କରିଛନ୍ତି । ତେବେ ଶିଶୁର ରୋଗ ନିରୂପଣକୁ ନେଇ ଉଠିଛି ପ୍ରଶ୍ନ । ସେ ଶିଶୁ ହେଉ କିମ୍ବା ବୟଷ୍କ ହେଉ ରୋଗ ନିରୂପଣ କରିବା ପାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ୮୧ ପ୍ରକାର ପରୀକ୍ଷଣର ବ୍ୟବସ୍ଥା ରହିଛି । ସେହିପରି ଭାବେ ସିଏଚ୍‌ସି ଗୁଡ଼ିକରେ ୪୨ ପ୍ରକାର ପରୀକ୍ଷଣର ବ୍ୟବସ୍ଥା ରହିଛି । ତଥାପି ଶିଶୁର ରୋଗ ନିରୂପଣ ହୋଇପାରି ନ ଥିଲା । ଶେଷରେ ଚେଙ୍କ ଦେବା ପାଇଁ ବାଧ୍ୟ ହୋଇଥିଲେ ପରିବାର ଲୋକେ । ଏପରି ବହୁ ଘଟଣା ଗ୍ରାମାଞ୍ଚଳରେ ଘଟୁଥିଲେ ମଧ୍ୟ ତାହା ଲୋକଲୋଚନକୁ ଆସିପାରୁ ନାହିଁ । ଆଶାକର୍ମୀ ମୋତି ଭୋଇ କହିଛନ୍ତି ଯେ, ଚେଙ୍କ ଦେବା ପାଇଁ ସେ ବାରମ୍ବାର ପରିବାର ଲୋକଙ୍କୁ ମନା କରିଛନ୍ତି । ତଥାପି ପରିବାର ଲୋକେ କଥା ନଶୁଣି ଲୁଚିଛପି ଶିଶୁ ପୁତ୍ରକୁ ଚେଙ୍କ ଦେଇଥିଲେ । ଶିଶୁର ଦେହରେ ଚେଙ୍କ ଦିଆଯାଇଥିବା ନେଇ ପରିବାର ଲୋକ ସ୍ୱୀକାର କରିଥିବା ତେନ୍ତୁଳିଖୁଣ୍ଟି ଡ. ସଚ୍ଚିକାନ୍ତ ଲେଙ୍କା ପ୍ରକାଶ କରିଛନ୍ତି । କିନ୍ତୁ ଅନ୍ୟପଟେ ଶିଶୁକୁ ଗରମ ତେଲରେ ମାଲିସ କରିବା ସମୟରେ ଏଭଳି ହୋଇଥିବା ସମ୍ପର୍କୀୟ ପ୍ରକାଶ କରିଛନ୍ତି । ଦୀର୍ଘ ଦିନ ପରେ ଚେଙ୍କ ଚିକିତ୍ସା ଜିଲ୍ଲାକୁ ଫେରିଥିବା ଚର୍ଚ୍ଚା ହେଉଛି ।

Leave a Reply

Your email address will not be published. Required fields are marked *