ରାଜ୍ୟ

ବର୍ଦ୍ଧିତ ହାରରେ ହୋଲଡିଂ ଟିକସ ଆଦାୟ ସ୍ଥଗିତ, ଲୋକଙ୍କ ଭାବାବେଗ ଦେଖି ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ : ମନ୍ତ୍ରୀ

ଭୁବନେଶ୍ୱର : ସରକାର ଶେଷରେ ରାଜଧାନୀରେ ବର୍ଦ୍ଧିତ ହାରରେ ହୋଲଡିଂ ଟିକସ ଆଦାୟ ନିଷ୍ପତ୍ତି ସ୍ଥଗିତ ରଖିଛନ୍ତି । ସୋମବାର ଏ ବିଷୟରେ ସୂଚନା ଦେଇଛନ୍ତି ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନା । ସୋମବାର ଏକ ଉଚ୍ଚସ୍ତରୀୟ ବୈଠକ ପରେ ମନ୍ତ୍ରୀ ଶ୍ରୀ ଜେନା କହିଛନ୍ତି ଯେ, ବର୍ଦ୍ଧିତ ହୋଇଥିବା ଜମିର ବେଞ୍ଚମାର୍କ ମୂଲ୍ୟ ଆଧାରରେ ଏକ ଫର୍ମୁଲା ଅନୁଯାୟୀ ଭୁବନେଶ୍ୱରରେ ହୋଲଡିଂ ଟିକସ ବୃଦ୍ଧି ନିଷ୍ପତ୍ତି ନିଆଯାଇଥିଲା । ହେଲେ ଏହି ନିଷ୍ପତ୍ତିକୁ ନେଇ ଏକ ମାମଲା ହାଇକୋର୍ଟରେ ଆଗତ ହୋଇଛି । ବିଭିନ୍ନ ବର୍ଗର ଜନସାଧାରଣଙ୍କ ପକ୍ଷରୁ ଏ ସମ୍ପର୍କରେ ସରକାରଙ୍କ ନିକଟରେ ଅନୁରୋଧ ପହଞ୍ଚିଥିଲା । ଜନସାଧାରଣଙ୍କ ଭାବାବେଗକୁ ସମ୍ମାନ ଜଣାଇ ବର୍ଦ୍ଧିତ ହୋଲଡିଂ ଟାକ୍ସ ନିଷ୍ପତ୍ତିକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସ୍ଥଗିତ ରଖିବାକୁ ନିଷ୍ପତ୍ତି ନେଇଛନ୍ତି । ବିଚାରାଧୀନ ମାମଲାରେ ହାଇକୋର୍ଟଙ୍କ ଆଦେଶ ଆସିବା ପରେ ସେ ଅନୁଯାୟୀ ନିଷ୍ପତ୍ତି ନିଆଯିବ ବୋଲି ନଗର ଉନ୍ନୟନ ମନ୍ତ୍ରୀ ଶ୍ରୀ ଜେନା ସୂଚନା ଦେଇଛନ୍ତି । ତେବେ ବର୍ତ୍ତମାନ ପୁରୁଣା ଦର ଅନୁସାରେ ଏବେ ଟିକସ ଆଦାୟ ହେବ ।

ଉଲ୍ଲେଖଯୋଗ୍ୟ, ହୋଲ୍ଡିଂ ଟିକସ ନ ଦେଲେ ବଡ ଖିଲାପକାରୀ ଓ ବ୍ୟବସାୟିକ ପ୍ରତିଷ୍ଠାନ ଉପରେ ଓପିଡ଼ିଆର ଆକ୍ଟରେ ମାମଲା ରୁଜୁ କରିବା ସହ ସିଲ୍ କରିବା ପାଇଁ ବିଏମ୍‌ସି ନିର୍ଦ୍ଦେଶ ଦେଇଥିଲା । ଏନେଇ ବିଏମ୍‌ସି ନିର୍ଦ୍ଦେଶନାମା ଜାରି କରିଥିଲା । ଏନେଇ ସବୁ ଜେଡିସିଙ୍କୁ ବିଏମ୍‌ସି ଡେପୁଟି କମିଶନର ଚିଠି ଲେଖିଥିଲେ । ଏହାସହ ଯେଉଁମାନେ ଟ୍ୟାକ୍ସ ଦେବେ ନାହିଁ ସେମାନଙ୍କ ବିରୋଧରେ ସାର୍ଟିଫିକେଟ କେସ୍ ହେବ ବୋଲି ସୂଚନା ରହିଥିଲା । ରାଜସ୍ୱ କ୍ଷତି ରୋକିବାକୁ ତ୍ୱରିତ ପଦକ୍ଷେପ ପାଇଁ ଚିଠିରେ ଉଲ୍ଲେଖ ମଧ୍ୟ କରାଯାଇଥିଲା । ତେବେ ପୂର୍ବରୁ ରାଜଧାନୀ ରାଜରାସ୍ତାରେ ହୋଲଡିଂ ଟିକସ ତାତି ଦେଖିବାକୁ ମିଳିଥିଲା । ବିଏମ୍‌ସିର ଅଚାନକ ଟ୍ୟାକ୍ସ ବୃଦ୍ଧି ନିଷ୍ପତ୍ତିକୁ ବିରୋଧୀଙ୍କ ଜୋରଦାର ବିରୋଧ କରାଯାଇଥିଲା । ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ନିକଟରେ ବଢ଼ାଯାଇଥିବା ହୋଲଡିଂ ଟ୍ୟାକ୍ସକୁ ଲୋକେ ବିରୋଧ କରି ଆସୁଥିବା ବେଳେ ମାର୍ଚ୍ଚ ୧୨ରେ ସରକାରଙ୍କୁ ଘେରିଥିଲା ବିରୋଧୀ । ଭୁବନେଶ୍ୱର ଜିଲ୍ଲା ବିଜେପି ମାର୍ଚ୍ଚ ୧୨ରେ ଘେରାଉ କରିଥିଲା ବିଏମସି କାର୍ଯ୍ୟାଳୟ ।

ସୂଚନାଯୋଗ୍ୟ, ୧୯୮୯ ମସିହାରୁ ରାଜଧାନୀବାସୀଙ୍କୁ ଦେବାକୁ ପଡୁଛି ହୋଲଡିଂ ଟ୍ୟାକ୍ସ । ସେ ସମୟରେ ଟିକସ ମୂଲ୍ୟ ଜମି ମୂଲ୍ୟର ୧୨ ପ୍ରତିଶତ ଥିଲା । ୨୦୦୩ରେ ଏହା ୧୭.୫ ପ୍ରତିଶତକୁ ବୃଦ୍ଧି ହୋଇଥିଲା । ପରେ ୨୦୧୯ରୁ ଜମିର ବେଞ୍ଚମାର୍କ ଭାଲ୍ୟୁ ଅନୁସାରେ ଟିକସ ଧାର୍ଯ୍ୟ ହୋଇଛି । ତେବେ ବର୍ତ୍ତମାନ ଟିକସ ପ୍ରତିଶତରେ ବୃଦ୍ଧି ହୋଇନଥିଲେ ବି ୧୯୯୭ର ଜମି ମୂଲ୍ୟ ବଦଳରେ ୨୦୧୯ ବେଞ୍ଚମାର୍କ ମୂଲ୍ୟ ଅନୁସାରେ ଟିକସ ଧାର୍ଯ୍ୟ କରିଥିବାରୁ ଏହାର ପରିମାଣ ସ୍ଥାନେ ସ୍ଥାନେ ୧୨ ରୁ ୧୫ ଗୁଣା ବୃଦ୍ଧି ପାଇଛି ଆଉ ଯାହାକୁ ବିରୋଧ କରିଛନ୍ତି ସାଧାରଣ ଜନତା । ସେପଟେ ୧୯୯୮ ପରଠୁ ୨୦୧୮ ପର୍ଯ୍ୟନ୍ତ ରାଜଧାନୀରେ ଜମିର ବେଞ୍ଚମାର୍କ ମୂଲ୍ୟ ସଂଶୋଧନ ହୋଇ ନଥିଲା ଏବଂ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ କ୍ରମେ ସଂଶୋଧିତ ବେଞ୍ଚମାର୍କ ମୂଲ୍ୟ ଆଧାରରେ ଟିକସ ବଢିଥିବା ବିଏମସି ସୂତ୍ରରୁ ପ୍ରକାଶ ।

Leave a Reply

Your email address will not be published. Required fields are marked *