ରାଜ୍ୟ

ଧାନମଣ୍ଡି ସମସ୍ୟାର ପ୍ରତିବାଦ : ଗୃହରେ ସାନିଟାଇଜର ପିଇବାକୁ ଉଦ୍ୟମ କଲେ ବିଜେପି ବିଧାୟକ

ଭୁବନେଶ୍ୱର : ରାଜ୍ୟର ମଣ୍ଡିଗୁଡ଼ିକରେ ଧାନକିଣାକୁ ନେଇ ଚାଷୀମାନେ ସମ୍ମୁଖୀନ ହେଉଥିବା ସମସ୍ୟାର ପ୍ରତିବାଦରେ ଆଜି ବିଧାନସଭାରେ ବିଜେପି ବିଧାୟକ ସୁବାସ ପାଣିଗ୍ରାହୀ ସାନିଟାଇଜର୍ ପିଇବାକୁ ଉଦ୍ୟମ କରିଛନ୍ତି। ବିଧାୟକ ଶ୍ରୀ ପାଣିଗ୍ରାହୀ ସାନିଟାଇଜର ପିଇବାକୁ ଉଦ୍ୟମ କରିବା ବେଳେ ଅନ୍ୟ ସଦସ୍ୟମାନେ ଏହାକୁ ‌ଛଡ଼ାଇ ନେଇଥିବା ସୂଚନା ମିଳିଛି। ସଂସଦୀୟ ବ୍ୟାପାର ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ଓ ବିଧାୟିକା ପ୍ରମିଳା ମଲ୍ଲିକଙ୍କ ସମେତ ଅନ୍ୟ ସଦସ୍ୟମାନେ ବିଧାୟକ ଶ୍ରୀ ପାଣିଗ୍ରାହୀଙ୍କଠାରୁ ସାନିଟାଇଜର ବୋତଲ ଛଡ଼ାଇ ନେଇଥିଲେ। ଇତିମଧ୍ୟରେ ବିଧାୟକ ସୁବାସ ପାଣିଗ୍ରାହୀ ସ୍ୱାସ୍ଥ୍ୟାବସ୍ଥା ଯାଞ୍ଚ କରିବାକୁ ଏକ ମେଡ଼ିକାଲ ଟିମ ବିଧାନସଭାରେ ପହଞ୍ଚିଛି।

ସୂଚନାଯୋଗ୍ୟ, ଆଜି ବିଧାନସଭାରେ ପୁଣି ଥରେ ମଣ୍ଡିରେ ଧାନ କିଣାକୁ ନେଇ ପ୍ରସଙ୍ଗ ଉଠିଥିଲା। ଧାନ ମଣ୍ଡି ସମସ୍ୟାକୁ ନେଇ ବିଧାନସଭା କିଛି ସମୟ ପାଇଁ ଅଚଳ ହୋଇପଡ଼ିଥିଲା । ଏହାକୁ ପ୍ରସଙ୍ଗ କରି ବିରୋଧୀ ଦଳର ନେତାମାନେ ସରକାରଙ୍କୁ ଘେରିଥିଲେ। ବିଜେପି ବିଧାୟକ ସୁବାସ ପାଣିଗ୍ରାହୀ ଆତ୍ମାହୁତି ଧମକ ଦେଇଥିଲେ। ତାଙ୍କ କହିବାନୁଯାୟୀ, ସାରା ରାଜ୍ୟରେ ଧାନ ମଣ୍ଡି ସମସ୍ୟା ଦେଖାଯାଉଛି । ମଣ୍ଡିରୁ ଧାନ ଉଠୁନାହିଁ । ଯେଉଁ ଚାଷୀମାନେ ଧମକ ଦେଇଥିଲେ ଆତ୍ମହତ୍ୟା କରିବୁ, ସେମାନଙ୍କ ଧାନ ଉଠାଗଲା, ଅନ୍ୟମାନଙ୍କ ଧାନ ସେମିତି ପଡି ରହିଛି । ଚାଷୀମାନେ ଆତ୍ମହତ୍ୟା କରିବା ଭଳି ପ୍ରକ୍ରିୟା ଆରମ୍ଭ ହେଲାଣି। ରାଜ୍ୟ ସରକାର ଗୃହ ପ୍ରତି ଅବମାନନା କରିଛନ୍ତି ଓ ବିଶ୍ୱାସଘାତକତା କରିଛନ୍ତି।

ଶହ ଶହ ଚାଷୀଙ୍କ ଧାନ କିଣାଯାଉ ନ ଥିବା ଓ ମଣ୍ଡିଗୁଡ଼ିକରେ ଦଲାଲି ଚାଲୁଥିବା ଅଭିଯୋଗ କରି ସୁନ୍ଦରଗଡ଼ ବିଧାୟିକା କୁସୁମ ଟେଟେ ବୁଧବାର ଗଣମାଧ୍ୟମ ଆଗରେ ତୀବ୍ର ଅସନ୍ତୋଷ ପ୍ରକାଶ କରି ଆତ୍ମହୁତି ଦେବେ ବୋଲି କହିଥିଲେ। ଆସନ୍ତା ବିଧାନସଭା ଅଧିବେଶନରେ ଏହି ପ୍ରସଙ୍ଗ ଉଠାଇ ସେ ଆତ୍ମଦାହ କରିବେ ବୋଲି ପ୍ରକାଶ କରିବା ପରେ ଏହା ଚର୍ଚ୍ଚାର ବିଷୟ ପାଲଟିଥିଲା।

Leave a Reply

Your email address will not be published. Required fields are marked *